ସମସ୍ତଙ୍କୁ ଚାଉଳ ଚିନ୍ତା: ଆଫ୍ରିକାଠୁ ଏସିଆ ପର୍ଯ୍ୟନ୍ତ ସବୁଆଡ଼େ ମହଙ୍ଗା

ନୂଆଦିଲ୍ଲୀ: ଭାରତ ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ପରେ ବିଶ୍ବବ୍ୟାପୀ ତାହା ମହଙ୍ଗା ହେବାରେ ଲାଗିଛି। ଚାଉଳରୁ ତିଆରି ଖାଦ୍ୟକୁ ପ୍ରମୁଖ ଭୋଜନ ଭାବେ ବ୍ୟବହାର କରୁଥିବା ଦେଶଗୁଡ଼ିକ ବେଶ ଚିନ୍ତିତ ହୋଇଛନ୍ତି। ଆଫ୍ରିକା ମହାଦେଶରୁ ଆରମ୍ଭ କରି ଏସିଆର ଅଧିକାଂଶ ଦେଶ ଚିନ୍ତିତ ହୋଇପଡ଼ିଛନ୍ତି। କେନିଆରେ ଗତ କିଛି ବର୍ଷ ମରୁଡ଼ି ହେବା ସହ ସାର ମୂଲ୍ୟରେ ବୃଦ୍ଧି ପାଇ ସେଠ‌ାରେ ଧାନ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଚାଉଳର ଅଭାବକୁ ଏହି ଦେଶ ଭାରତରୁ ଆମଦାନି କରି ପୂରଣ କରୁଥିଲା। ମାତ୍ର ଭାରତ ସରକାର ରପ୍ତାନି କଟକଣା ଲଗାଇବା ପରେ କେନିଆ ବେଶ ଚିନ୍ତିତ ହୋଇପଡ଼ିଛି। ପାଇକାରୀ ବିକ୍ରେତା ଭାରତ ଚାଉଳ ପାଉନାହାନ୍ତି। ଖୁଚୁରା ବଜାରରେ ତାହାର ଦାମ୍ ଜୁନ୍ ପରେ ପାଞ୍ଚ ଥର ବଢ଼ିଲାଣି। ଭାରତ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ପରେ ସାରା ବିଶ୍ବରେ ୯.୫ ନିୟୁତ ଟନ୍‌ ଚାଉଳର ଅଭାବ ଦେଖାଦେଇଛି।

ଏହା ପ୍ରତିବର୍ଷ ରପ୍ତାନି ‌ହେଉଥିବା ଚାଉଳର ଏକ ପଞ୍ଚମାଂଶ। ଜଳବାୟୁରେ ଏଲ୍‌-ନିନୋ ପ୍ରଭାବ ଆଶଙ୍କା ଥିବାରୁ ଧାନ ଉତ୍ପାଦନ କମ୍ ହେବ ବୋଲି ଆକଳନ କରାଯାଇଛି। ଭିଏତ୍‌ନାମ ବିକୁଥିବା ଚାଉଳ ଦାମ୍ ୧୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଗକୁ ଚାଉଳ ଅଭାବ ଦେଖାଦେବାର ଆଶଙ୍କା ଥିବାରୁ ବହୁ ଦେଶ ଆଗୁଆ କିଣି ତାହାକୁ ମହଜୁଦ ରଖୁଛନ୍ତି। ୟୁଏଇ ମଧ୍ୟ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛି। ଯଦି ଅନ୍ୟ ଚାଉଳ ଉତ୍ପାଦନକାରୀ ଦେଶ ସେଭଳି କଟକଣା ଲଗାଇବେ ତେବେ ଅନ୍ୟମାନଙ୍କ ଚାଉଳ ଉପରେ ନିର୍ଭରଶୀଳ ଥିବା ଦେଶଗୁଡ଼ିକର ଅବସ୍ଥା ଅସମ୍ଭାଳ ହୋଇପଡ଼ିବ। ବିଶେଷ କରି ଆଫ୍ରିକୀୟ ଦେଶଗୁଡ଼ିକ ଗୁରୁତର ପ୍ରଭାବିତ ହେବେ।‌ ସେଠାରେ ଲୋକମାନେ ଚାଉଳରୁ ତିଆରି ଜିନିଷ ଅଧିକ ଖାଉଥିବା ବେଳେ ସମ୍ପୂର୍ଣ୍ଣ ରୂପେ ଆମଦାନି ଉପରେ ନିର୍ଭରଶୀଳ ରହିଛନ୍ତି। ସେନେଗାଲ ଧାନ ଉତ୍ପାଦନ ବଢ଼ାଇବା ଲାଗି ସଂଘର୍ଷ ଜାରି ରଖିଛି। ଏହି ଦେଶ ନିଜ ଆବଶ୍ୟକତାର ୭୦% ଚାଉଳ ଭାରୁ ମଗାଉଥିଲା। ଏବେ ତାହା ଥାଇଲ୍ୟାଣ୍ଡ୍‌ ଓ କାମ୍ବୋଡ଼ିଆରୁ ଚାଉଳ କିଣିବା ଉପରେ ବିଚାର କରୁଛି।

ଚାଉଳ ମୁଖ୍ୟତଃ ଏସିଆର ଲୋକମାନେ ଖାଉଛନ୍ତି। ଏହି ୯୦ ପ୍ରତିଶତ ଧାନ ଚାଷ ହେଉଥିବା ବେଳେ ବ୍ୟବହାର ମଧ୍ୟ ହେଉଛି। ଧାନ ଉତ୍ପାଦନ ଯେଭଳି ପ୍ରଭାବିତ ନହୁଏ ତାହା ନିଶ୍ଚିତ କରିବା ଲାଗି ଫିଲିପାଇନ୍ସ ଜଳ ପରିଚାଳନା ଉପରେ ନଜର ରଖିଛି। ଏବେ ବିଶ୍ବବାସୀଙ୍କ ନଜର ଭାରତର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଉଷୁନା ଚାଉଳ ରପ୍ତାନି ଉପରେ ଭାରତ ସରକାର କଟକଣା ଲଗାଇବା ବିଷୟରେ ବିଚାର କରୁଥିବା ନେଇ ଆଜି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଆମର ସେଭଳି କୌଣସି ଯୋଜନା ନାହିଁ। ବର୍ତ୍ତମାନ ଉଷୁନା ଚାଉଳ ରପ୍ତାନି ଉପରେ କୌଣସି କଟକଣା ଲଗାଯାଇନାହିଁ। କୂଟନୈତିକ ବାଟ ଦେଇ ରୁଷ୍‌ରୁ ଗହମ ଆମଦାନି କରିବା ପାଇଁ ମଧ୍ୟ କୌଣସି ଯୋଜନା ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର