ଧନୀଙ୍କ ସଂଖ୍ୟା ବଢ଼ୁଛି:ଭାରତରେ ଅଢ଼େଇ ଲକ୍ଷ କୋଟିପତି

ନୂଆଦିଲ୍ଲୀ: ଭାରତୀୟଙ୍କ ସମ୍ପତ୍ତି ପରିମାଣ ଦ୍ରୁତ ଗତିରେ ବଢ଼ୁଛି। ଏଥି ସହିତ ଧନୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଭାରତରେ ଏବେ ମିଲିଓନେୟାରଙ୍କ ସଂଖ୍ୟା ୨ ଲକ୍ଷ ୪୫ ହଜାରରେ ପହଞ୍ଚିଗଲାଣି ବୋଲି କ୍ରେଡିଟ୍‌ ସ୍ୱିସ୍‌ ଏହାର ରିପୋର୍ଟରେ କହିଛି।
ବିପୁଳ ସମ୍ପତ୍ତିର ମାଲିକ ଥିବା ଧନୀ ଲୋକଙ୍କ ସଂଖ୍ୟା ବାର୍ଷିକ ୭.୫% ହାରରେ ବଢ଼ିବ। ୨୦୨୨ ବେଳକୁ ଭାରତରେ ମିଲିଓନେୟାରମାନଙ୍କ ସଂଖ୍ୟା ୩ ଲକ୍ଷ ୭୨ ହଜାରରେ ପଞ୍ଚିଯିବ ବୋଲି କ୍ରେଡିଟ୍‌ ସ୍ୱିସ୍‌ ଆକଳନ କରିଛି।
ଦେଶର ପାରିବାରିକ ସମ୍ପତ୍ତି ପରିମାଣ ଏବେ ୫ ଲକ୍ଷ କୋଟି ଡଲାର ରହିଛି। ୨୦୨୨ ସୁଦ୍ଧା ତାହା ୭.୧ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
୨୦୦୦ ମସିହା ପରଠାରୁ ଭାରତରେ ସମ୍ପତ୍ତି ପରିମାଣ ବାର୍ଷିକ ୯.୯% ହାରରେ ଆଗକୁ ବଢ଼ିଛି। ଏହି ସମୟରେ ବିଶ୍ୱ ସ୍ତରରେ ସମ୍ପତ୍ତି ପରିମାଣ ୬% ହାରରେ ଆଗକୁ ବଢ଼ିଥିଲା। ଭାରତର ଅଭିବୃଦ୍ଧି ଏକ୍ଷେତ୍ରରେ ବିଶ୍ୱଠାରୁ ଅଧିକ। ସର୍ବାଧିକ ସମ୍ପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି। କିନ୍ତୁ ସମ୍ପତ୍ତିରେ ଏ ଯେଉଁ ବଡ଼ ଧରଣର ବୃଦ୍ଧି ହୋଇଛି ତାହାର ଲାଭ ସବୁ ବର୍ଗ ପାଖରେ ପହଞ୍ଚିପାରିନାହିଁ। କେବଳ ଧନୀ ବର୍ଗର ଲୋକମାନଙ୍କ ଭିତରେ ଏହା ସୀମିତ ରହିଯାଇଛି। ଏବେବି ଦେଶର ୯୨% ପ୍ରାୟବୟସ୍କଙ୍କ ସମ୍ପତ୍ତି ପରିମାଣ ୧୦ ହଜାର ଡଲାରରୁ କମ୍‌ ରହିଛି।
ଭାରତରେ ୧୦ ହଜାର ଡଲାରରୁ ଅଧିକ ସମ୍ପତ୍ତି ଥିବା ପ୍ରାପ୍ତବୟସ୍କଙ୍କ ସଂଖ୍ୟା ହେଉଛି ୪୨ ଲକ୍ଷ। ଦେଶର ମୋଟ ଜନସଂଖ୍ୟାରେ ଏମାନଙ୍କ ଅବଦାନ ହେଉଛି ମାତ୍ର ୦.୫%। ଭାରତୀୟଙ୍କ ପାଖରେ ପାରିବାରିକ ଧନ ଭାବେ ୮୬% ହେଉଛି ସମ୍ପତ୍ତି ଏବଂ ରିଅଲ ଇଷ୍ଟେଟ୍‌। ମୋଟ ସମ୍ପତ୍ତିରେ ବ୍ୟକ୍ତିଗତ ଋଣ ପରିମାଣ ହେଉଛି ୯%। ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ ପାରିବାରିକ ଋଣ ପରିମାଣ ହେଉଛି ବହୁତ କମ୍‌। ମାତ୍ର ଭାରତ ଗରିବ ଲୋକଙ୍କ ଉପରେ ଋଣ ବୋଝ ବହୁତ ରହିଛି।
ପ୍ରାପ୍ତବୟସ୍କଙ୍କ ପାଖରେ ଥିବା ସମ୍ପତ୍ତି ହିସାବରେ ସ୍ୱିଜରଲ୍ୟାଣ୍ଡ୍‌ ବିଶ୍ୱର ଶ୍ରେଷ୍ଠ ଧନୀ ରାଷ୍ଟ୍ର ଭାବେ ଉଭା ହୋଇଛି। ଏହା ପଛକୁ ରହିଛି ଅଷ୍ଟ୍ରେଲିଆ ଓ ଯୁକ୍ତରାଷ୍ଟ୍ର ଆମେରିକା।

ସମ୍ବନ୍ଧିତ ଖବର