ଧନୀ ହେଉଛନ୍ତି ଅଧିକ ବିତ୍ତଶାଳୀ

ନୂଆଦିଲ୍ଲୀ: ଧନୀମାନେ ଅଧିକ ଧନୀ ହେଉଛନ୍ତି। ଦ୍ରୁତ ଗତିରେ ଧନୀ ହେଉଛନ୍ତି। ଏହାର ଅର୍ଥ ନୁହେଁ ଗରିବମାନେ ଅଧିକ ଗରିବ ହେଉଛନ୍ତି। ସମସ୍ତେ ଧନୀ ହେଉଛନ୍ତି। ବୋଷ୍ଟନ୍‌ କନ୍‌ସଲଟିଂ ଗ୍ରୁପ୍‌ (ବିସିଜି) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ମିଲିଓନେୟାର୍‌ମାନଙ୍କ କବ୍‌ଜାରେ ବିଶ୍ୱର ଅଧା ବ୍ୟକ୍ତିଗତ ସମ୍ପତ୍ତି ରହିଛି। ୨୦୧୭ରେ ଧନୀମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ୧୨% ବୃଦ୍ଧି ପାଇ ୨୦୧.୯ ଟ୍ରିଲିଅନ୍‌ ଡଲାର ହୋଇଯାଇଛି। ଏକ ଟ୍ରିଲିଅନ୍‌ ଏକ ଲକ୍ଷ କୋଟି ସହ ସମାନ। ବିଗତ ପାଞ୍ଚ ବର୍ଷ ଭିତରେ ବ୍ୟକ୍ତିଗତ ସମ୍ପତ୍ତିରେ ଏହାକୁ ସର୍ବାଧିକ ବୃଦ୍ଧି ଭାବେ ବିବେଚନା କରାଯାଉଛି। ଇକ୍ୱିଟି ବଜାରରେ ଜବରଦସ୍ତ ବୃଦ୍ଧି ଯୋଗୁଁ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ବଢ଼ିଥିବା ବେଳେ ଯେଉଁ ନିବେଶକମେନେ ଆମେରିକା ବାହାରେ ନିବେଶ କରିଥିଲେ ସେମାନଙ୍କୁ ଡଲାର ହିସାବରେ ଅଧିକ ଲାଭ ମିଳିଛି। ୨୦୧୨ରେ ମିଲଓନେୟାର ଧନୀମାନଙ୍କ କବ୍‌ଜାରେ ବିଶ୍ୱର ୪୫% ବ୍ୟକ୍ତିଗତ ସମ୍ପତ୍ତି ଥିଲା। ଇକ୍ୱିଟି, ନିବେଶ ପାଣ୍ଠି, ନଗଦ ଅର୍ଥରାଶି ଓ ବଣ୍ଡ୍‌ଗୁଡ଼ିକ ବ୍ୟକ୍ତିଗତ ସମ୍ପତ୍ତି ଭାବେ ବିବେଚନା କରାଯାଉଛି।

ଏହି ରିପୋର୍ଟକୁ ପ୍ରସ୍ତୁତ କରିଥିବା ଆନ୍ନା ଜାକ୍ରେଓ୍ଵସ୍କି କହିଛନ୍ତି ଯେ, ମିଲିଓନେୟାର୍‌ଙ୍କ ସମ୍ପତ୍ତି ବଢ଼ିବାର ଅର୍ଥ ନୁହେଁ ଗରିବମାନେ ଅଧିକ ଗରିବ ହେଉଛନ୍ତି। ସମସ୍ତେ ଧନୀ ହେଉଛନ୍ତି। ଧନୀମାନେ ଅଧିକ ଧନୀ ହେବାରେ ଲାଗିଛନ୍ତି ବୋଲି ସେ କହିଛନ୍ତି। ବ୍ୟକ୍ତିଗତ ସମ୍ପତ୍ତି ବଢ଼ାଇବାରେ ଗତ ବର୍ଷ ଚୀନ୍‌ ଆଗୁଆ ରହିଛି। ଏହା ଜାପାନକୁ ପଛରେ ପକାଇ ଦେଇଛି। ସର୍ବାଧିକ ମିଲିଓନେୟାର ଓ ବିଲିଓନେୟାର ସଂଖ୍ୟା ଦୃଷ୍ଟିରୁ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି। ଏହାକୁ ପଛକୁ ରହିଛି ଚୀନ୍‌। ଚୀନ୍‌ରେ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏଭଳି ବୃଦ୍ଧି ଲାଗି ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଧନୀ ସଂଖ୍ୟା ଦୃଷ୍ଟିରୁ ପ୍ରଥମ ପାଞ୍ଚଟି ସ୍ଥାନରେ ଥିବା ଦେଶଗୁଡ଼ିକ ହେଉଛନ୍ତି ଆମେରିକା, ଚୀନ୍‌, ଜାପାନ, ବ୍ରିଟେନ୍‌ ଓ ଜର୍ମାନି।

ସମ୍ବନ୍ଧିତ ଖବର