ଦୁଇ ବର୍ଷ ହେଲା ଦରମା ନେଇ ନାହାନ୍ତି ମୁକେଶ ଅମ୍ବାନି

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ତଥା ଦେଶର ୨ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ୨ ବର୍ଷ ହେଲା ନିଜ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜରୁ ଦରମା ନେଇ ନାହାନ୍ତି ।

କରୋନା ମହାମାରୀ ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଥିବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଖାର୍ଚ୍ଚକାଟ କରୁଛି । ଏହାର ଏକ ଅଂଶସ୍ବରୂପ ମୁକେଶ ଦୁଇଟି ଆର୍ଥିକ ବର୍ଷ ୨୦୨୦-୨୧ ଓ ୨୦୨୧-୨୨ରେ କୌଣସି ଦରମା ନେଇ ନାହାନ୍ତି । କେବଳ ଏତିକି ନୁହେଁ, ସେ ଏହି ଦୁଇବର୍ଷ କୌଣସି ଭତ୍ତା, କମିସନ କିମ୍ବା କର୍ମଚାରୀ ଷ୍ଟକ ଅପସନ (ଇସପ) ନେଇନାହାନ୍ତି । ନିଜ କର୍ମଚାରୀମାନଙ୍କ ମଧ୍ୟରେ ଏକ ଉଦାହରଣ ସୃଷ୍ଟି କରିବାକୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

ଏହାର ପୂର୍ବ ବର୍ଷ ଅର୍ଥାତ ୨୦୧୯-୨୦ରେ ସେ ବର୍ଷକୁ ୧୫ କୋଟି ଟଙ୍କା ଦରମା ନେଇଥିଲେ । ଏହା ମଧ୍ୟ ପ୍ରାୟ ୧୧ ବର୍ଷ ଧରି ଅପରିବର୍ତ୍ତିତ ରହିଥିଲା । ୨୦୦୮-୦୯ରେ ବି ସେ ବର୍ଷକୁ ୧୫ କୋଟି ଦରମା ନେଇଥିଲେ ଓ ତାହା ୨୦୧୯-୨୦ ପର୍ଯ୍ୟନ୍ତ ଅପରିବର୍ତ୍ତିତ ଥିଲା ।

ରିଲାଏନ୍ସରେ ନିର୍ଦ୍ଦେଶକଭାବେ କାମ କରୁଥିବା ମୁକେଶଙ୍କ ସଂପର୍କୀୟ ଦୁଇ ଭାଇ ନିଖିଲ ଓ ହିତାଲ ମେସଓ୍ବାନି ବର୍ଷକୁ ୨୪ କୋଟି ଟଙ୍କାର ଦରମା ନେଉଛନ୍ତି ।

୨୦୨୧-୨୨ରେ ରିଲାଏନ୍ସରେ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ନନ-ଏକଜକ୍ୟୁଟିଭ ଡାଇରେକ୍ଟର) ଥିବା ମୁକେଶଙ୍କ ପତ୍ନୀ ନିତା ଅମ୍ବାନି ୫ ଲକ୍ଷ ଟଙ୍କା ସିଟିଂ ଚାର୍ଜ ଓ ୨ କୋଟିର କମିସନ ନେଇଥିଲେ ।

ସମ୍ବନ୍ଧିତ ଖବର