ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ; ଗୁଗୁଲ, ଫେସବୁକ ସହ ହାତ ମିଳାଇଲା

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ଡିଜିଟାଲ ପେମେଣ୍ଟ ବ୍ୟବସାୟରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ଏହି କମ୍ପାନି ବହୁରାଷ୍ଟ୍ରୀୟ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ ଓ ଫିନଟେକ୍ କମ୍ପାନି ଇନଫିବିମ ସହ ହାତ ମିଳାଇଛି । ଏସବୁ କମ୍ପାନିମାନଙ୍କ ସହ ମିଶି ଏକ ଡିଜିଟାଲ ପେମେଣ୍ଟ ନେଟଓ୍ବର୍କ ପ୍ରତିଷ୍ଠା କରିବାକୁ ରିଲାଏନ୍ସ ଯୋଜନା କରୁଛି ବୋଲି ଏକ ଜାତୀୟ ସ୍ତରର ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି ।

ଏବେ ଭାରତରେ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନିମାନେ ନ୍ୟାସନାଲ ପେମେଣ୍ଟସ କାଉନସିଲ (ଏନପିସିଆଇ)ର ନେଟଓ୍ବର୍କ ବ୍ୟବହାର କରୁଛନ୍ତି । ତେବେ ଦେଶରେ ଡିଜିଟାଲ ପେମେଣ୍ଟ କାରବାର ବଢିବା ପରେ ଏହି ନେଟଓ୍ବର୍କ ଉପରେ ଅତ୍ୟଧିକ ଚାପ ପଡ଼ୁଛି । ସେଥିପାଇଁ ଏକ ବିକଳ୍ପ ପେମେଣ୍ଟ ନେଟଓ୍ବର୍କ ପ୍ରତିଷ୍ଠା ପାଇଁ ଗତ ବର୍ଷ ସରକାର ଘରୋଇ କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଥିଲେ । ବିକଳ୍ପ ପେମେଣ୍ଟ ନେଟଓ୍ବର୍କ ଆସିବା ପରେ  ଏନପିସିଆଇ ଉପରେ ଚାପ କମିବ ବୋଲି ଆଶା କରାଯାଉଛି ।

ଏନପିସିଆଇ ୨୦୦୮ ମସିହାରେ ପ୍ରତିଷ୍ଠା ହୋଇଥିଲା ଓ ଏବେ ଷ୍ଟେଟ ବ୍ୟାଙ୍କ, ସିଟିବ୍ୟାଙ୍କ, ଏଚଡିଏଫସି ଆଦି ଏକ ଡଜନରୁ ଅଧିକ ବ୍ୟାଙ୍କ ଏହାର ଅଂଶୀଦାର ଅଛନ୍ତି ।

ସମ୍ବନ୍ଧିତ ଖବର