ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ବିଶ୍ବର ବିଭିନ୍ନ ଦେଶରେ ଖାଦ୍ୟଶସ୍ୟ ହଠାତ ମହଙ୍ଗା ହୋଇଯାଇଛି। ଏହା ଦ୍ବାରା ଗରିବ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଖାଦ୍ୟ ମୂଲ୍ୟରେ ଘଟିଥିବା ବୃଦ୍ଧି ଯୋଗୁଁ ଏହି ଦେଶଗୁଡ଼ିକରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ ଏବଂ ଦଙ୍ଗା ସଂଖ୍ୟା ବଢ଼ିବ ବୋଲି ବିଶ୍ବବ୍ୟାଙ୍କ ଚେତାବନୀ ଦେଇଛି। ଯୁଦ୍ଧ ଦ୍ବାରା ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ଅଧିକ ଅସ୍ଥିରତା ଦେଖାଦେବ ବୋଲି ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ କାରମେନ୍ ରିନ୍ହାର୍ଟ କହିଛନ୍ତି।
ଖାଦ୍ୟ ମୂଲ୍ୟରେ ହଠାତ୍ ବୃଦ୍ଧି କିଭଳି ସାମାଜିକ ଅସ୍ଥିରତା ସୃଷ୍ଟି କେର ତାହାର ଅନେକ ଉଦାହରଣ ରହିଛି। ୨୦୦୭-୦୮ ଓ ୨୦୧୧ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଖାଦ୍ୟ ମୂଲ୍ୟ ବଢ଼ିବା ଯୋଗୁଁ ୪୦ରୁ ଅଧିକ ଦେଶରେ ଦଙ୍ଗା ସୃଷ୍ଟି ହୋଇଥିଲା। ଗତବର୍ଷ ତୁଳନାରେ ଏବେ ଖାଦ୍ୟ ସାମଗ୍ରୀ ଦାମ୍ ୩୫% ଅଧିକ ରହିଛି। ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ତାହା ଆହୁରି ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଦୁଇ ଦେଶ ବିଶ୍ବର ସିଂହଭାଗ ଗହମ, ବାର୍ଲି, ମକା ଓ ସନ୍ଫ୍ଲାୱାର ଆବଶ୍ୟକତା ପୂରଣ କରୁଥିଲେ। ୟୁକ୍ରେନ୍ ଏହାର ଗହମ ଓ ଓଟ୍ସ ରପ୍ତାନି ବନ୍ଦ କରିଦେଇଛି। ଇଜିପ୍ଟ ଏହାର ୮୦% ଗହମ ୟୁକ୍ରେନ୍ରୁ ମଗାଉଥିଲା। ମୋଜାମ୍ବିକ୍ ମଧ୍ୟ ଗହମ ଓ ତେଲ ଉପରେ ଅତ୍ୟଧିକ ନିର୍ଭରଶୀଳ ଥିଲା। ଯୁଦ୍ଧ ପ୍ରଭାବରେ ତୈଳ ଦାମ୍ରେ ବୃଦ୍ଧି ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଏବେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୧୨୫ ଡଲାର ପାଖାପାଖି ରହିଛି। ତୈଳ ମହଙ୍ଗା ହେଲେ ପରିବହନ ମହଙ୍ଗା ହେବ ଯାହାର ସିଧାସଳଖ ପ୍ରଭାବ ପରିବହନ କରାଯାଇଥିବା ସାମଗ୍ରୀର ବିକ୍ରି ମୂଲ୍ୟ ଉପରେ ପଡ଼ିବ।
ୟୁକ୍ରେନ-ରୁଷ ଯୁଦ୍ଧ ବିଶ୍ବ ଖାଦ୍ୟ ବଜାରକୁ କିଭଳି ପ୍ରଭାବିତ କରିଛି ତାହା ଜାଣିବା ଲାଗି ଜି-୭ ରାଷ୍ଟ୍ର ସମୂହର କୃଷି ମନ୍ତ୍ରୀମାନେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ। ଜର୍ମାନି ଏହି ବୈଠକ ଆୟୋଜନ କରୁଛି। ବିଶ୍ବବ୍ୟାଙ୍କ ଅର୍ଥନୀତିଜ୍ଞ ରିନ୍ହାର୍ଟ କହିଛନ୍ତି ଯେ ଆରବ ରାଷ୍ଟ୍ରଗୁଡ଼ିକରେ ଜନ ଆନ୍ଦୋଳନର ଅଂଶ ସ୍ବରୂପ ଯେଉଁ ଦଙ୍ଗା ସୃଷ୍ଟି ହୋଇଥିଲା ତାହା ସହିତ ଖାଦ୍ୟାଭାବର ସମ୍ପର୍କ ଥିଲା। ୨୦୧୦ରେ ଟୁନିସିଆରୁ ଆରବ ବିଦ୍ରୋହ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ତାହା ଲିବ୍ୟା, ଇଜିପ୍ଟ, ୟେମେନ, ସିରିଆ ଓ ବାହାରିନ୍କୁ ବ୍ୟାପୀ ଥିଲା। ଲୋକମାନେ ଗଣତନ୍ତ୍ର ପ୍ରତିଷ୍ଠା କରିବା ଲାଗି ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ।
ମହାମାରୀ ପରେ ଯୁଦ୍ଧ ଯୋଗୁଁ ଖାଦ୍ୟ ନିରାପତ୍ତା ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହୋଇଛି ବୋଲି ଜାତିସଂଘର ବିଶ୍ବ ଖାଦ୍ୟ ନିରାପତ୍ତା କମିଟିର ମୁଖ୍ୟ ଗାବ୍ରିଏଲ୍ ଫେରେରୋ ଡି ଲୋମା-ଓସୋରିଓ କହିଛନ୍ତି। ସେ କହିଛନ୍ତି ଯେ ମହାମାରୀ ତୁଳନାରେ ଏବେ ୧୬.୧ କୋଟଇ ଅଧିକ ଲୋକ କ୍ଷୁଧା କବଳରେ ପଡ଼ିଛନ୍ତି। ମୋଟ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ୮୨.୧ କୋଟିକୁ ବୃଦ୍ଧି ପାଇଛି। ବାଲାଂଦେଶର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ଦେଶ ଏହାର ଅଧା ଗହମ ୟୁକ୍ରେନ୍ ଓ ରୁଷିଆରୁ ମଗାଉଥିଲା। ଯୋଗାଣ ବାଧାପ୍ରାପ୍ତ ହେବା ପରେ ଗହମ ଦାମ୍ ୫୫% ବଢ଼ିଛି। ଏମିତିରେ ଖାଦ୍ୟ ସାମଗ୍ରୀ ଦାମ୍ ୨୦୧୧ ପରେ ସର୍ବୋଚ୍ଚ ସ୍ତରରେ ଥିଲା। ଯୁଦ୍ଧ ସେହି ସ୍ଥିତିକୁ ଆହୁରି ଖରାପ ଆଡ଼କୁ ନେଉଛି ବୋଲି ସେ କହିଛନ୍ତି।