ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)କୁ ନେଇ ସର୍ବଭାରତୀୟ ଏଲଆଇସି କର୍ମଚାରୀ ମହାସଂଘ (ଏଆଇଏଲ୍ଇଏଫ୍) ଚିନ୍ତା ପ୍ରକଟ କରିଛି। ଏହାର ପ୍ରଭାବରେ କର୍ମଚାରୀ ଛଟେଇ ହେବ ଓ ସାମାଜିକ ଭିତ୍ତିଭୂମିରେ ବ୍ୟୟ ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।
ମହାସଂଘର ସାଧାରଣ ସମ୍ପାଦକ ରାଜେଶ କୁମାର କହିଛନ୍ତି ଯେ ଗ୍ରାମାଞ୍ଚଳରେ ଏବଂ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକମାନଙ୍କୁ ବୀମା ପ୍ରଦାନ କରିବା ଲାଗି ଏଲ୍ଆଇସି ସ୍ଥାପନ କରାଯାଇଥିଲା। ଏହି ସଂସ୍ଥା ଏବେ ସଡ଼କ, ରେଳପଥ ଓ ବିଦ୍ୟୁତ ଭଳି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ବିକାଶ କାର୍ଯ୍ୟ ଲାଗି ଗତ ଛଅ ଦଶନ୍ଧି ଧରି ପାଣ୍ଠି ଯୋଗାଉଛି। କିନ୍ତୁ ଆଇପିଓ ଆସିବା ପରେ କଂପାନି ଏସବୁ କାର୍ଯ୍ୟ ଉପରେ ଧ୍ୟାନ ନଦେଇ କିଭଳି ଅଧିକ ଲାଭ କରିବ ତାହା ଉପରେ ଗୁରୁତ୍ବ ଦେବ ବୋଲି ବ୍ଲୁମ୍ବର୍ଗ ଟିଭି ସହ ସାକ୍ଷାତକାରରେ ଶ୍ରୀ କୁମାର କହିଛନ୍ତି। ଏଲ୍ଆଇସି ପାଇଁ ୧,୧୪,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏହି ମହାସଂଘ ଅଧୀନରେ ପ୍ରାୟ ୪୦୦୦ କର୍ମଚାରୀ ରହିଛନ୍ତି। ଏଲ୍ଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ ନକରିବା ଲାଗି ନିବେଦନ କରି ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ସାଂସଦମାନଙ୍କୁ ଚିଠି ଲେଖାଯାଇଛି। ଶ୍ରୀ କୁମାର କହିଛନ୍ତି ଯେ ଜାତୀୟ ସମ୍ପତ୍ତିକୁ ବିକ୍ରି କରିବା ଏକ ଉଦ୍ଦେଶ୍ୟମୂଳକ ବିଭ୍ରାଟ ନୀତି। ଏହା ଦ୍ବାରା ନିଯୁକ୍ତି ହ୍ରାସ ପାଇବ, ଅଧିକ କାମ ଆଉଟ୍ସୋର୍ସିଂ ହେବ ଓ କର୍ମଚାରୀ ଛଟେଇ ମଧ୍ୟ କରାଯିବାର ଆଶଙ୍କା ରହିବ ବୋଲି ସେ କହିଛନ୍ତି।
ପୁଞ୍ଜି ପ୍ରତ୍ୟାହାର ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ଅଧିକ ଗୁରୁତ୍ବ ଦେଉଥିବା ମୋଦୀ ସରକାର ଏଲ୍ଆଇସିର ୧୦% ଅଂଶଧନ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଘୋଷଣା କରିଥିଲେ। ଏଲ୍ଆଇସି ଆଇପିଓକୁ ଏକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିବା ଲାଗି କାମ ଚାଲିଛି। ବିଦେଶୀ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦେଶରେ ରୋଡ୍ ସୋ’ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଲ୍ଆଇସି ଆଇପିଓ ପରିଚାଳନା କରିବା ଲାଗି ୧୦ଟି ବ୍ୟାଙ୍କ ଚୟନ କରାଯାଇଛି। ଥରେ ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଠାରୁ ବଡ଼ ସଂସ୍ଥା ଭାବେ ଏଲ୍ଆଇସି ଉଭା ହେବ ବୋଲି ପୂର୍ବାନୁମାନ କରାଯାଇଛି।