ପେଟ୍ରୋଲ୍‌, ଡିଜେଲ୍ ଅଭାବ ଆଶଙ୍କା

ଦେଶରେ ଯଥେଷ୍ଟ ତେଲ ଅଛି: ସରକାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ରହିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ‌ଦେଶରେ ତୈଳର ଅଭାବ ଦେଖାଦେଇଥିବା ଆଲୋଚନା ହେଉଛି। ତେବେ କେନ୍ଦ୍ର ସରକାର ତାହାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଦେଶରେ ତୈଳ ଅଭାବ ଭଳି ସ୍ଥିତି ନାହିଁ। ଚାହିଦାରେ ଯେଉଁ ବୃଦ୍ଧି ହେବ ତାହା ପୂରଣ କରିବା ଲାଗି ଯଥେଷ୍ଟ ପରିମାଣର ତୈଳ ରହିଛି। କେତେକ ରାଜ୍ୟରେ ପେଟ୍ରୋଲ୍ ପମ୍ପରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଫଳରେ ତେଲ ପକାଇବା ବିଳମ୍ବ ହେଉଥିବା ବେଳେ ସେଥିପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ତୈଳ କଂପାନିଗୁଡ଼ିକ ପେଟ୍ରୋଲ୍ ପମ୍ପ୍‌କୁ ଆବଶ୍ୟକ ପରିମାଣର ତେଲ ଯୋଗାଇପାରୁନଥିବା ମଧ୍ୟ ଆଲୋଚନା ହେଉଛି। ଏହା ପରେ ତୈଳର ଅଭାବ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଏ ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ଯଥେଷ୍ଟ ପରିମାଣର ପେଟ୍ରୋଲ ଓ ଡିଜେଲ୍ ଉତ୍ପାଦନ ହେଉଛି ଯାହା ଚାହିଦାରେ ହେଉଥିବା ବୃଦ୍ଧିକୁ ପୂରଣ କରିପାରିବ। ଚାହିଦାରେ ହଠାତ ବୃଦ୍ଧି ହୋଇଥିବାରୁ କେତେକ ନିର୍ଦିଷ୍ଟ ଅଞ୍ଚଳରେ ଲଜିଷ୍ଟିକ୍‌କୁ ନେଇ କିଛିଟା ସମସ୍ୟା ସୃଷ୍ଟି ହୋଇଛି। ଷ୍ଟକ ପରିମାଣ ବଢ଼ାଇ ସେହି ସମସ୍ୟା ଦୂର କରିବା ଲାଗି ତେଲ କଂପାନିଗୁଡ଼ିକ ଉଦ୍ୟମ କରୁଛନ୍ତି। ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ୍‌ ଚାହିଦାରେ ଗତବର୍ଷ ତୁଳନାରେ ୫୦% ବୃଦ୍ଧି ହୋଇଛି। ଏହି ରାଜ୍ୟଗୁଡ଼ିକରେ ଘରୋଇ କଂପାନିଗୁଡ଼ିକର ପେଟ୍ରୋଲ୍ ପମ୍ପ୍‌ ଅଧିକ ତେଲ ଯୋଗାଇଥାନ୍ତି। ଟର୍ମିନାଲ୍ ଓ ଡିପୋଠାରୁ ପେଟ୍ରୋଲ୍ ପମ୍ପ୍‌ର ଦୂରତା ମଧ ଅଧିକ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ତେଲକୁ ନେଇ ଦେଖାଦେଇଥିବା ସମସ୍ୟାର କାରଣ ସମ୍ପର୍କରେ ମନ୍ତ୍ରାଳୟ ଜଣାଇଛି ଯେ ଦେଶରେ ଏବେ କୃଷି କାର୍ଯ୍ୟଜାରି ରହିଥିବା ଯୋଗୁଁ ତେଲ ଚାହିଦା ବଢ଼ିଛି। ପୂର୍ବରୁ ଏକକାଳୀନ ବିପୁଳ ପରିମାଣର ତେଲ କିଣୁଥିବା ଗ୍ରାହକମାନେ ଏବେ ପେଟ୍ରୋଲ୍ ପମ୍ପ୍‌ରୁ ତେଲ କିଣୁଛନ୍ତି। ଘରୋଇ କଂପାନିର ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକ ତେଲ ବିକ୍ରି ହ୍ରାସ କରିଛନ୍ତି। ଫଳରେ ସେମାନଙ୍କ ଗ୍ରାହକମାନେ ଏବେ ସରକାରୀ ତେଲ କଂପାନିଗୁଡ଼ିକର ପେଟ୍ରୋଲ୍ ପମ୍ପ୍‌କୁ ଆସି ତେଲ ପକାଉଛନ୍ତି। ବେଆଇନ ବାୟୋ ଡିଜେଲ୍ ବିକ୍ରି ଉପରେ କଟକଣା ଲଗାଯିବା ପରେ ସେହି ଗ୍ରାହକମାନେ ମଧ୍ୟ ସରକାରୀ କଂପାନିର ପେଟ୍ରୋଲ୍ ପମ୍ପ୍‌ରେ ତେଲ ପକାଉଛନ୍ତି। ସେଥିପାଇଁ ତୈଳ ଚାହିଦାରେ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର