‘ଆର୍‌ସିଲ୍‌’ ସିଇଓ ପଦରେ ଓଡ଼ିଆ

ଭୁବନେଶ୍ବର: ଓଡ଼ିଶାର ପଲ୍ଲବ ମହାପାତ୍ରଙ୍କୁ ଆସେଟ୍ ରିକନ୍‌ଷ୍ଟ୍ରକ୍ସନ କଂପାନି (ଇଣ୍ଡିଆ) ଲିମିଟେଡ୍‌ର ନୂଆ ଏମ୍‌ଡି ଓ ସିଇଓ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାପାତ୍ର ଏହା ପୂର୍ବରୁ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏମ୍‌ଡି ଓ ସିଇଓ ପଦରେ କାର୍ଯ୍ୟ କରୁଥିଲେ। ଏହି ପଦରେ ସେ ୨୦୧୮ ସେପ୍ଟେମ୍ବର ୨୧ରୁ ଚଳିତ ବର୍ଷ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଯୋଗ ଦେବା ପୂର୍ବରୁ ସେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ନୂଆ ନିଯୁକ୍ତି ସମ୍ପର୍କରେ ଆର୍‌ସିଲ୍‌ର ଅଧ୍ୟକ୍ଷ ଅନିଲ୍‌ ଗୋର୍‌ଥି କହିଛନ୍ତି ଯେ ପଲ୍ଲବଙ୍କ ପାଖରେ ବ୍ୟାଙ୍କ ଶିଳ୍ପର ଗଭୀର ଅଭିଜ୍ଞତା ରହିଛି। ବିଶେଷ କରି ଚାପଗ୍ରସ୍ତ ସମ୍ପତ୍ତି ପରିଚାଳନା କରିବାରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ୨୦୦୨ରେ ସ୍ଥାପିତ ହୋଇଥିବା ଆର୍‌ସିଲ୍‌ର ପରିଚାଳନା ଅଧୀନ ସମ୍ପତ୍ତି ପରିମାଣ ଏବେ ୧୨,୦୦୦ କୋଟି ଟଙ୍କା ରହିଛି।

ପଲ୍ଲବ କଟକରେ ଜନ୍ମ ଗ୍ରହଣ କରିଥିବା ବେଳେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରରେ ବଢ଼ିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ପରିସଂଖ୍ୟାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବା ଲାଗି ସେ ପୁଣି ଓଡ଼ିଶା ଫେରିଥିଲେ। ନିଜ ଚାକିରି ଜୀବନ ସେ ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ରୁ ଆରମ୍ଭ କରିଥିଲେ। ଏହା ପରେ ସେ ପ୍ରତିଯୋଗିତା ପରୀକ୍ଷା ଦେବା ଜାରି ରଖିବା ସହ ବିଭିନ୍ନ କଂପାନି ପାଇଁ ଚାକିରି କରିବାର ସୁଯୋଗ ହାତେଇଥିଲେ। କିନ୍ତୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଚାକିରି କରିବାକୁ ମନ ସ୍ଥିର କରିଥିଲେ। ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବେଳେ ଇଣ୍ଡିଆନ୍ ଅଡିଟ୍ ଆଣ୍ଡ୍‌ ଆକାଉଣ୍ଟ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ‌ମଧ୍ୟ ସେହି ଚାକିରିରେ ଯୋଗ ଦେଇନଥିଲେ। ଏସ୍‌ବିଆଇ କାର୍ଡର ସିଇଓ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। କ୍ରିକେଟ୍ ଖେଳ ପ୍ରତି ତାଙ୍କର ଦୁର୍ବଳତା ରହିଛି। ସେ ନିଜ ବିଶ୍ବବିଦ୍ୟାଳୟ ଓ ‌ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍‌ରେ ଷ୍ଟେଟ୍‌ ବ୍ୟାଙ୍କ ପାଇଁ ଖେଳିଛନ୍ତି। ଏବେ କିନ୍ତୁ ପୁସ୍ତକ ପଢ଼ିବା ଓ ପରିବାର ଲୋକମାନଙ୍କ ସହ ସମୟ ବିତାଇବା ପ୍ରତି ସେ ଅଧିକ ଧ୍ୟାନ ଦେଉଛନ୍ତି।

ସମ୍ବନ୍ଧିତ ଖବର