ନୂଆଦିଲ୍ଲୀ: ବାୟୋବାସ୍ ଓ କୃଷି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଥିବା ଜୈବ ବିଟୁମେନ୍କୁ ସଡ଼କ ନିର୍ମାଣରେ ବ୍ୟବହାର କରିବା ଲାଗି ଖୁବ୍ଶୀଘ୍ର ଏକ ପରୀକ୍ଷାମୂଳକ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ (ସିଆର୍ଆର୍ଆଇ) ଓ ଭାରତୀୟ ପେଟ୍ରୋଲିୟମ୍ ପ୍ରତିଷ୍ଠାନ, ଡେରାଡୁନ ମଧ୍ୟରେ ଚୁକ୍ତି ହୋଇଛି। ଉଭୟ ସଂସ୍ଥାର ମିଳିତ ସହଯୋଗରେ ଜୈବ ବିଟୁମେନ୍କୁ ବ୍ୟବହାର କରି ଏକ କିଲୋମିଟର ରାସ୍ତା ନିର୍ମାଣ କରିବେ। ଯଦି ଏହି ପରୀକ୍ଷଣ ସଫଳ ହେବ ତେବେ ଉକ୍ତ ପ୍ରଯୁକ୍ତିକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଲାଗି ବିଭିନ୍ନ ଘରୋଇ ଓ ରାଷ୍ଟ୍ରାୟତ୍ତ ସଂସ୍ଥାକୁ ହସ୍ତାନ୍ତର କରାଯିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ନିଜେ ଏହି ପ୍ରକଳ୍ପର ତଦାରଖ କରୁଛନ୍ତି।
ଭାରତ ଏବେ ନିଜ ଆବଶ୍ୟକତାର ଅଧା ବିଟୁମେନ୍ ଆମଦାନି କରୁଛି। ଆସନ୍ତା ଦଶନ୍ଧି ସୁଦ୍ଧା ଜୈବ ବିଟୁମେନ୍ ବ୍ୟବହାର ବଢ଼ାଇ ଆମଦାନି କମ୍ କରିବାକୁ ସରକାର ଯୋଜନା ରଖିଛନ୍ତି। ବିଟୁମେନ୍ ହେଉଛି ଏକ କଳାରଙ୍ଗର ଉପାଦାନ ଯାହାକୁ ଅଶୋଧିତ ତୈଳରୁ ଉତ୍ପାଦନ କରାଯାଇଥାଏ। ତାହାକୁ ସଡ଼କ ତିଆରିରେ ବହୁଳ ଭାବେ ବ୍ୟବହାର କରାଯାଉଛି। ୨୦୨୫ ସୁଦ୍ଧା ଜୈବ ବିଟୁମେନ୍ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି। ତାହା ସମ୍ଭବ ହେଲେ ଆମଦାନିରେ ଖର୍ଚ୍ଚ ହେଉଥିବା ଡଲାର ସଞ୍ଚୟ ହୋଇପାରିବ। ଜୈବ ବିଟୁମେନ୍ ଜରିଆରେ ଭାରତ ଦୁଇଟି ସମସ୍ୟାର ସମାଧାନ କରିପାରିବ। ଗୋଟିଏ ପଟେ ଏହା ବିଟୁମେନ୍ ଆମଦାନିକୁ ହ୍ରାସ କରିବାରେ ସହାୟକ ହେବ ଏବଂ ଅନ୍ୟପଟେ ଅମଳ ପରେ କ୍ଷେତରେ ଲୋକମାନେ ଯେଉଁ ନିଆଁ ଲଗାଉଛନ୍ତି, ସେହି ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ।
ଦେଶରେ ସଡ଼କ ନିର୍ମାଣ ତ୍ବରାନ୍ବିତ ହୋଇଥିବାରୁ ବିଟୁମେନ୍ ବ୍ୟବହାର ବହୁତ ବଢ଼ିଛି। ୨୦୧୪-୧୫ରେ ୫.୯୪ ନିୟୁତ ଟନ୍ ବିଟୁମେନ୍ ବ୍ୟବହାର ହୋଇଥିବା ବେଳେ ୨୦୧୭-୧୮ ସୁଦ୍ଧା ତାହା ୭.୭ ନିୟୁତ ଟନ୍ରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷରେ ୧୧,୦୩୩ କୋଟି ଟଙ୍କାରେ ୩.୨୧ ନିୟୁତ ଟନ୍ ବିଟୁମେନ୍ ଆମଦାନି କରାଯାଇଥିବା ବେଳେ ଦେଶ ଭିତରେ ୫.୨୪ ନିୟୁତ ଟନ୍ ବିଟୁମେନ୍ ଉତ୍ପାଦନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfsfhsfhsfh.jpg)