ରୋଟୋମାକ୍‌ ନେଇଛି ୩୬୯୫ କୋଟିର ଋଣ, ମାଲିକଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କଲା ସିବିଆଇ

ନୂଆଦିଲ୍ଲୀ :ପିଏନବି ଠକେଇ ପରି ଆଉଏକ ବ୍ୟାଙ୍କ ଠକେଇର ତଦନ୍ତ ଆରମ୍ଭ କରିଛି ସିବିଆଇ । ଦେଶର ଲୋକପ୍ରିୟ ପେନ ବ୍ରାଣ୍ଡ ରୋଟୋମାକ୍‌ର ବ୍ୟାଙ୍କ ଋଣ ଉପରେ ସିବିଆଇ ତଦନ୍ତ କରି ଜାଣିବାକୁ ପାଇଛି ଯେ ସେ ବିଭିନ୍ନ ବ୍ୟାଙ୍କରୁ ନେଇ ଥିବା ଋଣ ପରିମାଣ ବେଶ ଅଧିକ । ଏହି ଋଣ ନେଇ ସେ ସୁଝୁ ନାହାନ୍ତି ।

ପୂର୍ବରୁ ଅନୁମାନ କରାଯାଇଥିଲା ଯେ ସେ ନେଇଥିବା ଋଣ ପରିମାଣ ୮୦୦ କୋଟି ଟଙ୍କା । କିନ୍ତୁ ସିବିଆଇ ଦ୍ୱାରା କମ୍ପାନିର ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରାଯିବା ପରେ ଜଣାଯାଇଛି ଯେ ସେ ସୁଝୁନଥିବା ଋଣ ପରିମାଣ ଏହାଠାରୁ ଅନେକ ଅଧିକ, ପ୍ରାୟ ୩୬୯୫ କୋଟି ଟଙ୍କା । ସିବିଆଇ କମ୍ପାନିର ମାଲିକ ବିକ୍ରମ କୋଠାରୀଙ୍କ ବିରୋଧରେ ଏଫଆଇଆର ରୁଜ୍ଜୁ କରିଛି । ସିବିଆଇ ପକ୍ଷରୁ କୁହାଯାଇଛି ଯେ ସେ ୭ଟି ବ୍ୟାଙ୍କର ମିଳିତ କନସୋର୍ଟିୟମଠାରୁ ୨୯୧୯ କୋଟି ଟଙ୍କାର ଋଣ ନେଇଛନ୍ତି । ସୁଧମୂଳ ମିଶି ଏହି ପରିମାଣ ୩୬୯୫ କୋଟି ଟଙ୍କା ହେବ । କିନ୍ତୁ ସେ ଋଣ ସୁଝୁନଥିବାରୁ ତାଙ୍କ ବିରୋଧରେ ବ୍ୟାଙ୍କମାନେ ଏଫଆଇଆର ଦେଇଥିଲେ । ଅନ୍ୟପକ୍ଷରେ ଇଡି ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ ଏକ ମନି ଲଣ୍ଡରିଙ୍ଗ ମାମଲା ରୁଜ୍ଜୁ ହୋଇଛି ।

ପୂର୍ବରୁ ଖବର ଆସିଥିଲା ଯେ କୋଠାରୀ ଭାରତ ଛାଡି ବିଦେଶକୁ ଚାଲିଯାଇଛନ୍ତି । କିନ୍ତୁ ଭାରତ ଛାଡି ଯିବାର ପ୍ରଶ୍ନ ଉଠୁନାହିଁ ବୋଲି କୋଠାରୀ ସ୍ପଷ୍ଟ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର