ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଇସ୍ପାତ ସଚିବ ସନ୍ଦିପ ପୌଣ୍ଡ୍ରିକ ଭେଟି ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ସେଲ୍, ଏନ୍ଏମ୍ଡିସି ଓ ଇସ୍ପାତ ମନ୍ତ୍ରଣାଳୟର ବିଭିନ୍ନ ପିଏସ୍ୟୁର ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସଂପ୍ରସାରଣ କରାଯାଇ ଏହାର ଉତ୍ପାଦନ କ୍ଷମତାକୁ ୪.୫ ନିୟୁତ ଟନ୍ରୁ ୯ ନିୟୁତ ଟନ୍କୁ ବୃଦ୍ଧି କରାଯିବ ବୋଲି ଇସ୍ପାତ ସଚିବ ସୂଚନା ଦେଇଛନ୍ତି। ଏଥିପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିବା ବେଳେ ସବୁ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଆଇଜିଏଚ୍ ହସ୍ପିଟାଲ ଏବଂ ଅନ୍ୟ ଖଣି ଅଞ୍ଚଳରେ ବିଭିନ୍ନ ବିଭାଗୀୟ ପିଏସ୍ୟୁ ଦ୍ବାରା ପରିଚାଳିତ ହେଉଥିବା ହସ୍ପିଟାଲଗୁଡିକରେ ଅଧିକ ଉନ୍ନତି ଅଣାଯିବା ଆବଶ୍ୟକତା ରହିଛି। ଏହା ଦ୍ବାରା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଏସ୍ୟୁମାନଙ୍କ ସିଏସ୍ଆର୍ ପାଣ୍ଠିରେ ଓଡ଼ିଶାରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେଥିପ୍ରତି ଧ୍ୟାନ ଦେବାକୁ ସେ ଇସ୍ପାତ ସଚିବଙ୍କୁ କହିଛନ୍ତି। ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ ଦେଓରଂଜନ କୁମାର ସିଂହ ଏବଂ ଓଡିଶା ଖଣି ନିଗମର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଉପସ୍ଥିତ ଥିଲେ।