ବଜାରକୁ ଆସିବ ରୟାଲ୍‌ ଏନ୍‌ଫିଲ୍ଡର ୨ଟି ନୂଆ ୬୫୦ସିସି ବାଇକ୍‌, ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ମଧ୍ୟମ ଆକୃତିର ମଟରସାଇକେଲ୍‌ ନିର୍ମାଣ କରୁଥିବା ଅଗ୍ରଣୀ କମ୍ପାନି ରୟାଲ୍‌ ଏନ୍‌ଫିଲ୍ଡ  ନିଜର ୬୫୦ସିସିର ୨ଟି ନୂତନ ମଟରସାଇକେଲ୍‌ ଅଷ୍ଟ୍ରେଲିଆ ବଜାରକୁ  ଛାଡ଼ିଛି। ଏହି ନୂଆ ବାଇକ୍‌ ଦ୍ୱୟ ହେଉଛି ଇଣ୍ଟରସେପ୍ଟର ୬୫୦ ଏବଂ କଣ୍ଟିନେଣ୍ଟାଲ୍‌ ଜିଟି୬୫୦। ଇଣ୍ଟରସେପ୍ଟର ୬୫୦ ମୋଟରସାଇକେଲ୍‌ର ଦର ଅଷ୍ଟ୍ରେଲିୟାନ୍‌ ଡଲାର ମୁତାବକ ୧୦,୦୦୦(ଭାରତୀୟ ମୁଦ୍ରାରେ ୫.୦୪ଲକ୍ଷ ଟଙ୍କା) ରହିଥିବା ବେଳେ କଣ୍ଟିନେଣ୍ଟାଲ୍‌ ଜିଟି୬୫୦ର ଦର ରହିଛି ଅଷ୍ଟ୍ରେଲିୟାନ ଡଲାର ଅନୁସାରେ ୧୦,୪୦୦(ଭାରତୀୟ ମୁଦ୍ରାରେ ୫.୨୪ ଲକ୍ଷ ଟଙ୍କା)।

ଏହି ୨  ନୂଆ ବାଇକ୍‌ ଚେନ୍ନାଇରେ ଥିବା କମ୍ପାନିର ପ୍ଲାଣ୍ଟ୍‌ରେ ତିଆରି ହୋଇଛି। ତେବେ ଏହି ୨ ବାଇକ୍‌ ଭାରତରେ ଚଳିତବର୍ଷ ଏପ୍ରିଲ୍‌ ମାସ ପରେ ବଜାର ପ୍ରବେଶ କରିବ।

୨୦୧୭ ମସିହାରେ ହୋଇଥିବା ବିଶ୍ୱସ୍ତରୀୟ ଇଆଇସିଏମ୍‌ଏ ପ୍ରଦର୍ଶନୀରେ ଭାରତ ନିର୍ମିତ ଏହି ଦୁଇଟି ମଡେଲ୍‌କୁ ପ୍ରଦର୍ଶିତ କରାଯାଇଥିଲା। ମାତ୍ର ସେ ସମୟରେ କମ୍ପାନି ପକ୍ଷରୁ ଏହି ୨ ମଡେଲ୍‌ର ଦର ପ୍ରକାଶ କରାଯାଇନଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଏବଂ ଭାରତରେ ଥିବା ରୟାଲ୍‌ ଏନ୍‌ଫିଲ୍ଡର ଅନ୍ୟ ସବୁ ବାଇକ୍‌ ସହ ତୁଳନା କରି କମ୍ପାନି ଏହି ଦୁଇ ମଡେଲ୍‌ର ଦର ସ୍ଥିର କରିଛି। ଉଦାହରଣ ସ୍ୱରୂପ ହିମାଲୟାନ୍‌ ବାଇକ୍‌ର ଦର ଭାରତରେ ୧.୬୮ ଲକ୍ଷ ଥିବା ବେଳେ ଅଷ୍ଟ୍ରେଲିଆ ଡଲାର ମୁତାବିକ୍‌ ଦର ରହିଛି ୫,୯୯୦ଡଲାର।

ଦୁଇ ଦେଶ ମଧ୍ୟରେ ରହୁଥିବା ଦରର ଅନୁପାତକୁ ଦେଖିବା ପରେ କମ୍ପାନି ସ୍ପଷ୍ଟ କରିଛି ଯେ ଏହି ନୂଆ ଦୁଇଟି ବାଇକ୍‌ର ଦର ଭାରତୀୟ ବଜାରରେ ୩ ଲକ୍ଷ ଟପିବ ନାହିଁ।

ସମ୍ବନ୍ଧିତ ଖବର