ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ି ବହୁସଂଖ୍ୟାରେ ରୟାଲ ଏନଫିଲଡ ବାଇକ କିଣୁଥିବାର ଆପଣ ଦେଖୁଥିବେ | ବଜାଜ ପଲସର ସହ ଟିଭିଏସ ଓ ହିରୋ ମୋଟକର୍ପର ମଡେଲଗୁଡିକୁ ଛାଡି ଏବେ ଯୁବପିଢ଼ି ରୟାଲ ଏନଫିଲଡ ବା ବୁଲେଟକୁ ବହୁ ସଂଖ୍ୟାରେ କିଣୁଛନ୍ତି | ତେବେ ଆପଣ ଜାଣନ୍ତି କି ରୟାଲ ଏନଫିଲଡର ବିଭିନ୍ନ ମଡେଲ ଭିତରୁ କେଉଁ ମଡେଲ ସବୁଠାରୁ ଅଧିକ ବିକ୍ରି ହୁଏ | ବାସ୍ତବରେ ରୟାଲ ଏନଫିଲଡ ପକ୍ଷରୁ ମେ ମାସରେ କମ୍ପାନୀ ଏହାର ବାଇକ ବିକ୍ରି ବାବଦରେ ତଥ୍ୟ ଦେଇଛି | କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମେ ୨୦୨୩ରେ କମ୍ପାନୀ ମୋଟ ୭୧ ହଜାର ୩୩୬ଟି ବାଇକ୍ ବିକ୍ରି କରିଛି। ୨୦୨୨ ମସିହା ମେ ମାସରେ ଏହି ସଂଖ୍ୟା ୨୯ ହଜାର ୯୫୯ ଥିଲା। ସୂଚନା ଅନୁଯାୟୀ, ମେ ୨୦୨୩ରେ କମ୍ପାନୀର କ୍ଲାସିକ୍ ୩୫୦ ମଡେଲର ସର୍ବାଧିକ ବିକ୍ରି ହୋଇଛି |

Advertisment

ଏହି ବିକ୍ରି ସଂଖ୍ୟା ୨୬ ହଜାର ୩୫୦ ୟୁନିଟ୍ ଥିଲା। ସେହିପରି ବିକ୍ରି ମାମଲାରେ ହଣ୍ଟର୍ ୩୫୦ ଦ୍ଵିତୀୟ ସ୍ଥାନରେ ଅଛି | ମେ ୨୦୨୩ରେ ମୋଟ ୧୮୮୬୯ ୟୁନିଟ୍ ବିକ୍ରି ହୋଇଥିଲା | ସେହିପରି ବିକ୍ରି ମାମଲାରେ ତୃତୀୟ ସ୍ଥାନରେ ବୁଲେଟ ୩୫୦ ରହିଛି | ମେ ୨୦୨୩ରେ, ସମୁଦାୟ ୮ ହଜାର ୩୧୪ ୟୁନିଟ୍ ବୁଲେଟ୍ ୩୫୦ ବିକ୍ରି ହୋଇଥିବାବେଳେ ମେ ୨୦୨୨ରେ ଏହି ସଂଖ୍ୟା ୬୯୫୮ ୟୁନିଟ୍ ଥିଲା। ବଜାରରେ ରୟାଲ ଏନଫିଲଡ କ୍ଲାସିକ୍ ୩୫୦ର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧.୯୩ ଲକ୍ଷ ଟଙ୍କା | ମଡେଲକୁ ଆଧାର କରି ଏହାର ମୂଲ୍ୟ ୧.୯୩ ଲକ୍ଷ ଟଙ୍କାରୁ ୨.୨୫ ଲକ୍ଷ ଟଙ୍କା ଏକ୍ସ-ସୋ’ରୁମ୍ ମୂଲ୍ୟ ମଧ୍ୟରେ ରହିଥାଏ | ସୁରକ୍ଷା ପାଇଁ ଏହାର ଉଭୟ ଆଗ ଏବଂ ପଛ ଚକରେ ଡିସ୍କ ବ୍ରେକ୍ ସହ ଟ୍ୟୁବଲେସ୍ ଟାୟାର ରହିଛି | ବାଇକର ଶକ୍ତିଶାଳୀ ଇଞ୍ଜିନ୍ ଲିଟର ପିଛା ୪୧.୫୫ କିଲୋମିଟରର ମାଇଲେଜ୍ ଦେଇଥାଏ |