ମୁମ୍ବାଇ: ଇଲେକ୍ଟ୍ରିକ୍ ଯାନର ଚାହିଦା ଓ ସଂଖ୍ୟା ଖୁବ୍ ଜୋର୍ରେ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ବହୁ ଲୋକପ୍ରିୟ ବାଇକ୍ ରୟାଲ୍ ଏନ୍ଫିଲ୍ଡର ଇଲେକ୍ଟ୍ରିକ୍ ଭର୍ସନର ଅପେକ୍ଷା ଲୋକ ଅନେକ ଦିନରୁ କରିଛନ୍ତି। ଆମେ ପୂର୍ବରୁ ବିଭିନ୍ନ ସମୟରେ ରୟାଲ୍ ଏନ୍ଫିଲ୍ଡର ଇଲେକ୍ଟ୍ରିକ୍ ବାଇକ୍କୁ ନେଇ ଚର୍ଚ୍ଚା ଶୁଣିଛେ। ହେଲେ ଏ ଥର ଆଡ୍ଭେଞ୍ଚର୍ ହିମାଲୟନ୍ ବାଇକ୍ର ଇଲେକ୍ଟ୍ରିକ୍ ଅବତାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଅଟୋମୋବାଇଲ୍ ୱେବ୍ସାଇଟ୍ର ଏକ ରିପୋର୍ଟରେ ଆଡ୍ଭେଞ୍ଚର୍ ହିମାଲୟନ୍ ଇଲେକ୍ଟ୍ରିକ୍ ବାଇକ୍ର ଏକ ଫଟୋ ବି ଦେଖିବାକୁ ମିଳିଛି। ଏହି ରିପୋର୍ଟ ଅନୁସାରେ କମ୍ପାନି ହିମାଲୟନ୍ ବାଇକ୍ ଉପରେ କାମ କରିବା ଆରମ୍ଭ କରିଛି। ଅବଶ୍ୟ ଏ ନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଏହାପୂର୍ବରୁ ଆଉ ଏକ ଇଲେକ୍ଟ୍ରିକ୍ ବାଇକ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସେହି ବାଇକ୍ର ନାମ ‘ଇଲେକ୍ଟ୍ରି୦୧’।
ହିମାଲୟନ୍ ଇଲେକ୍ଟ୍ରିକ୍ ବାଇକ୍ର ଏହି ଲିକ୍ ହୋଇଥିବା ଫଟୋରୁ ବାଇକ୍ର ଡିଜାଇନ୍ ବିଷୟରେ ଅଳ୍ପ ବହୁତ ସୂଚନା ମିଳିସାରିଛି। ଫଟୋଟି ଏକ ସ୍କେଚ୍, ଯାହାକୁ ଡିଜିଟାଲ୍ ରେଣ୍ଡର୍ କରାଯାଇଛି। ଏହାର ଦୃଶ୍ୟ ପାରମ୍ପରିକ ଆଡ୍ଭେଞ୍ଚର୍ ବାଇକ୍ ପରି ହୋଇଛି।
ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଦ୍ୱାରା ଚାଳିତ ହେଉଥିବା ଯାନବାହାନର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକମାନଙ୍କ ଚାହିଦାକୁ ଦେଖି ବାଇକ୍ କମ୍ପାନିଗୁଡ଼ିକ ଇଲେକ୍ଟ୍ରିକ୍ ବାଇକ୍ ନିର୍ମାଣ କ୍ଷେତ୍ରରେ ମନୋନିବେଶ କରିଛନ୍ତି। ପୂର୍ବରୁ ବହୁ ଇଲେକ୍ଟ୍ରିକ୍ ସ୍କୁଟର୍ ଲଞ୍ଚ୍ ହୋଇସାରିଛି।