ପ୍ରତି ତିନି ମାସରେ ନୂଆ ବୁଲେଟ ମଡେଲ ଲଞ୍ଚ୍‌ କରିବ ରୟାଲ ଏନଫିଲଡ୍‌

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ଅଟୋମୋବାଇଲ କମ୍ପାନିମାନଙ୍କ ବିକ୍ରି ଚିନ୍ତାଜନକଭାବେ ହ୍ରାସ ପାଇଛି । ଏପ୍ରିଲ ମାସରେ ଅଧିକାଂଶ କମ୍ପାନି କୌଣସି ଯାନବାହାନ ବିକ୍ରି କରିନଥିଲେ । କିନ୍ତୁ ଏବେ ବଜାର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ଅଟୋମୋବାଇଲ କମ୍ପାନିମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବୁଲେଟ ମୋଟର ସାଇକେଲ ନିର୍ମାଣ କରୁଥିବା କମ୍ପାନି ରୟାଲ ଏନଫିଲଡ କମ୍ପାନି ପ୍ରତି ତିନିମାସରେ ଗୋଟିଏ ଲେଖାଏଁ ନୂଆ ବାଇକ ବଜାରକୁ ଛାଡ଼ିବାକୁ ଯୋଜନା କରୁଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଜୁନ ମାସରେ କମ୍ପାନି ପକ୍ଷରୁ ମେଟେର ୩୫୦ ଲଞ୍ଚ୍‌ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କମ୍ପାନି ପକ୍ଷରୁ ୨୫୦ରୁ ୭୫୦ ସିସି ମୋଟର ସାଇକେଲ ଉପରେ ଫୋକସ କରାଯାଉଛି । ଉଭୟ ଘରୋଇ ଓ ବିଦେଶୀ ବଜାରକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । କମ୍ପାନି ପକ୍ଷରୁ ଗ୍ରାହକଙ୍କ ପାଇଁ କମ ଡାଉନ ପେମେଣ୍ଟ ଓ ଇଏମଆଇ ଅଫର ମଧ୍ୟ ଘୋଷଣା କରାଯାଇଛି । ଦେଶରେ ଚାଲିଥିବା ଲକଡାଉନ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ଅଟୋମୋବାଇଲ କମ୍ପାନିଙ୍କ ପକ୍ଷରୁ କମ ଡାଉନ ପେମେଣ୍ଟ, ଇଏମଆଇ ସ୍ଥଗିତ ସମୟ (ମୋରାଟୋରିୟମ) ସମ୍ପର୍କରେ ଘୋଷଣା କରାଯାଇଛି । ଏସବୁ କମ୍ପାନିଙ୍କ ମଧ୍ୟରେ ରହିଛନ୍ତି ମାରୁତି ସୁଜୁକୀ, ମର୍ସିଡିଜ ଆଦି । ଏହି ତାଲିକାରେ ଏବେ ରୟାଲ ଏନଫିଲଡ ଯୋଡ଼ି ହୋଇଛି ।

ସମ୍ବନ୍ଧିତ ଖବର