ଭୁବନେଶ୍ବର : କରୋନା ମହାମାରୀ ରାଜ୍ୟ ସରକାରଙ୍କ ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଖଣି କ୍ଷେତ୍ରରୁ ରୟାଲ୍ଟି ଆୟ ହ୍ରାସ ପାଇଛି। ଚଳିତ ବର୍ଷ ଏପ୍ରିଲ୍-ସେପ୍ଟେମ୍ବର ମଧ୍ୟରେ ରାଜ୍ୟ ସରକାର ୩୩୦୦ କୋଟି ଟଙ୍କାର ରୟାଲ୍ଟି ପାଇଛନ୍ତି ଯାହା ଗତବର୍ଷର ଏହି ସମୟ ତୁଳନାରେ ପ୍ରାୟ ୧୩୦୦ କୋଟି ଟଙ୍କା କମ୍। ଗତବର୍ଷ ଏପ୍ରିଲ୍-ସେପ୍ଟେମ୍ବର ଅବଧିରେ ୪୬୦୦ କୋଟି ଟଙ୍କାର ରୟାଲ୍ଟି ଆଦାୟ ହୋଇଥିଲା ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି। ସିଆଇଆଇ-ଓଡ଼ିଶା ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ କାର୍ଯ୍ୟକ୍ରମ ‘ମିନେରାଲ୍ ୱାଗନ’ରେ ଯୋଗ ଦେଇ ସେ କହିଛନ୍ତି ଯେ ରାଜ୍ୟରେ ୪୭ଟି ଇସ୍ପାତ, ୬୪ଟି ସ୍ପଞ୍ଜ ଆଇରନ ଓ ୧୨ଟି ପେଲେଟ୍ କାରଖାନା ରହିଛି। କରୋନା ମହାମାରୀ ପ୍ରଭାବରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ୨୧ ପ୍ରତିଶତ ଓ ସ୍ପଞ୍ଜ ଆଇରନ୍ ଉତ୍ପାଦନ ୪୦ ପ୍ରତିଶତ ହ୍ରାସ ପାଇଛି। ମାତ୍ର ପେଲେଟ୍ ଉତ୍ପାଦନରେ ୫% ବୃଦ୍ଧି ଘଟିଛି। ବିଦ୍ୟୁତ ଶକ୍ତି, ଇସ୍ପାତ, ସିମେଣ୍ଟ୍ ଓ ଆଲୁମିିୟମ ଆଦି ସବୁ କିଛିର ଚାହିଦା କମିଛି। ରାଜ୍ୟ ସରକାର ୨୪ଟି ଖଣିର ନିଲାମ କରିଛନ୍ତି ଏବଂ ଏବେ ୭୦ଟି ଖଣି କାର୍ଯ୍ୟକ୍ଷମ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିବେଶକମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଯେଉଁମାନେ ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିବେ ରାଜ୍ୟ ସରକାର ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବେ। ଖୁବ୍ଶୀଘ୍ର ରାଜ୍ୟ ସରକାର ନୂଆ ଶିଳ୍ପ ନୀତି ଆଣିବେ। ପରିବର୍ତିତ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ନିବେଶକ ଓ କଳକାରଖାନାଗୁଡ଼ିକୁ ସୁହାଇବା ଭଳି ବ୍ୟବସ୍ଥା ଏହି ନୀତିରେ ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର, ମହାନବୀ କୋଲଫିଲ୍ଡ ଲିମିଟେଡ୍ର ନିର୍ଦେଶକ (ପର୍ସନେଲ୍) କେଶବ ରାଓ, ମିନେରାଲ ଏକ୍ସପ୍ଲୋରେସନ୍ କର୍ପୋରେସନ୍ ଲିମିଟେଡ୍ର ସିଏମ୍ଡି ଡକ୍ଟର ରଞ୍ଜିତ ରଥ, ହିନ୍ଦୁସ୍ତାନ କପର ଲିମିଟେଡ୍ର ସିଏମ୍ଡି ଅରୁଣ କୁମାର ଶୁକ୍ଳା, ଏସାର ମିନ୍ମେଟ୍ ଲିମିଟେଡ୍ର ସିଇଓ ଶଶି ଶେଖର ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
କରୋନା ପ୍ରଭାବ : ରୟାଲ୍ଟି ଆୟ ୧୩୦୦ କୋଟି କମିଲା
/sambad/media/post_attachments/wp-content/uploads/2020/08/mines.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)