ତେଲରୁ ୬ ମାସରେ ୧.୭ ଲକ୍ଷ କୋଟି ଆୟ

ମହାମାରୀ ପୂର୍ବ ସମୟ ତୁଳନାରେ ୭୯% ଅଧିକ

ନୂଆଦିଲ୍ଲୀ : ପେଟ୍ରୋଲ୍ ଓ ଡିଜେଲ୍‌ ଦରରେ ନିୟମିତ ବୃଦ୍ଧିକୁ ନେଇ ସାଧାରଣ ଜନତା ଅଣନିଶ୍ବାସୀ ହୋଇପଡ଼ିଥିବା ବେଳେ ସେଥିରେ ଲଗାଯାଇଥିବା ଟିକସରୁ କେନ୍ଦ୍ର ସରକାର କିନ୍ତୁ ବେଶ ମୋଟା ଅଙ୍କର ଆୟ କରୁଛନ୍ତି। ତୈଳ ଉପରେ ଲଗାଯାଇଥିବା ଟିକସ ସରକାରଙ୍କ ରାଜକୋଷ ଭରିବାରେ ଏକ ବଡ଼ ଭୂମିକା ନିର୍ବାହ କରୁଛି। ଚଳିତ ଆର୍ଥିକ ବର୍ଷ ଯାହା ୨୦୨୧ ମାର୍ଚ୍ଚରୁ ଆରମ୍ଭ ହୋଇଛି ତାହାର ପ୍ରଥମ ଛଅ ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌ରୁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଟିକସ ସଂଗ୍ରହ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ହୋଇଥିବା ୧.୨୮ ଲକ୍ଷ କୋଟି ଟଙ୍କା ସଂଗ୍ରହ ତୁଳନାରେ ଏହା ୩୩% ଅଧିକ। ଯଦି ଚଳିତ ବର୍ଷର ସଂଗ୍ରହକୁ ମହାମାରୀ ପୂର୍ବବର୍ତ୍ତୀ ସମୟ ସହ ତୁଳନା କରାଯିବ ତେବେ ଟିକସରେ ୭୯% ବୃଦ୍ଧି ହୋଇଛି ବୋଲି ଜଣାପଡ଼ିଛି। ୨୦୧୯-୨୦ରେ ଏହି ସମୟରେ ୯୫,୯୩୦ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିଲା।୨୦୨୦-୨୧ ଆର୍ଥିକ ବର୍ଷ ସାରାରେ ପେଟ୍ରୋଲ୍ ଓ ଡିଜେଲ୍‌ରୁ ୩.୮୯ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିଲା। ୨୦୧୭-୧୮ରେ ୨.୫୮ ଲକ୍ଷ କୋଟି ଟଙ୍କା ଓ ୨୦୧୮-୧୯ରେ ୨.୩ ଲକ୍ଷ କୋଟି ଟଙ୍କାର ତୈଳ ଟିକସ ସଂଗ୍ରହ କରାଯାଇଥିଲା।

ଉପା ସରକାରଙ୍କ ଅମଳରେ ୧.୩୪ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ୍‌ ଜାରି କରାଯାଇଥିଲା। ତାହାକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପରିଶୋଧ କରୁଛି। ଯେତିକି ଟଙ୍କା ଶୁଝିବାର ଅଛି ତା’ଠାରୁ ଯଥେଷ୍ଟ ଅଧିକ ରାଜସ୍ବ ସଂଗ୍ରହ କରାଯାଇସାରିଲାଣି। ଏବେ ତୈଳ ଦରବୃଦ୍ଧି ପାଇଁ ପୂର୍ବ ସରକାରଙ୍କ ‌‌ତୈଳ ବଣ୍ଡ୍‌ ଦାୟୀ ବୋଲି ମୋଦୀ ସରକାର କହିବାକୁ ପଛାଉନାହାନ୍ତି। ପ୍ରଥମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପରେ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ତୈଳ ଦରବୃଦ୍ଧି ପାଇଁ ଉପା ସରକାରଙ୍କ ତୈଳ ବଣ୍ଡ୍‌କୁ ଦାୟୀ କରିଥିଲେ। ମାତ୍ର, ୨୦୨୦‌ରେ ମହାମାରୀ ବ୍ୟାପିବା ସମୟରେ ସରକାର ଏକସଙ୍ଗେ ଟିକସରେ ଯେଉଁ ବଡ଼ ଧରଣର ବୃଦ୍ଧି କରିଥିଲେ ତାହା ଦରବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲି ସ୍ବୀକାର କରୁନାହାନ୍ତି। ୨୦୨୦ ମାର୍ଚ୍ଚ ବେଳକୁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୧୯ ଡଲାର ଭଳି ନିମ୍ନ ସ୍ତରକୁ ହ୍ରାସ ପାଇଥିଲା। ତାହାର ଲାଭ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ବଦଳରେ ସରକାର ପେଟ୍ରୋଲ୍‌ ଟିକସରେ ୧୯ ଟଙ୍କା ୯୮ ପଇସା ବୃଦ୍ଧି କରିଥିଲେ। ଫଳରେ ଲିଟର ପିଛା ଟିକସ ପରିମାଣ ୩୨ ଟଙ୍କା ୯୦ ପଇସାରେ ପହଞ୍ଚିଥିଲା। ସେହିପରି ଡିଜେଲ୍‌ରେ ଲଗାଯାଇଥିବା ଟିକସ ମଧ୍ୟ ୩୧ ଟଙ୍କା ୮୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ଅଶୋଧିତ ତୈଳ ଦର ୮୫ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲେ ମଧ୍ୟ ସରକାର ଟିକସରେ ଯେଉଁ ବୃଦ୍ଧି କରିଥିଲେ ତାହା ପ୍ରତ୍ୟାହାର କରୁନାହାନ୍ତି। ସେଥିପାଇଁ ସାରା ଦେଶରେ ପେଟ୍ରୋଲ୍‌ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ୨୦୨୦ ମେ’ ୫ ପରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ୍ ମୂଲ୍ୟରେ ୩୭ ଟଙ୍କା ୩୮ ପଇସା ଓ ଡିଜେଲ୍ ଦାମ୍‌ରେ ୨୭ ଟଙ୍କା ୯୮ ପଇସାର ବୃଦ୍ଧି ହୋଇସାରିଲାଣି।

ଉପା ସରକାରଙ୍କ ଅମଳରେ ପେଟ୍ରୋଲ, ଡିଜେଲ୍, କିରାସିନି ଏବଂ ଏଲ୍‌ସିଜି ସବୁ ପ୍ରକାର ଇନ୍ଧନ ଉପରେ ସରକାର ସବ୍‌ସିଡି ଦେଉଥିଲେ। ଯେତେବେଳେ ଅଶୋଧିତ ତୈଳ ଦର ୧୦୦ ଡଲାର ଅତିକ୍ରମ କରିଥିଲା ସେହି ସମୟରେ କଂପାନିଗୁଡ଼ିକୁ କ୍ଷତିପୂରଣ ଦେବା ଲାଗି ପାଣ୍ଠିର ଅଭାବ ଥିବାରୁ ତଚୁର ଆର୍ଥିକ ଗୋଟିଚାଳନା କରି ତୈଳ ବଣ୍ଡ୍‌ ଜାରି କରାଯାଇଥିଲା। ସେହି ଟଙ୍କା ଭବିଷ୍ୟତରେ କିସ୍ତିରେ ପରିଶୋଧ କରିବାର ଥିଲା। ଉପା ସରକାର ଜାରି କରିଥିବା ୧.୩୪ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ୍‌ ମଧ୍ୟରୁ ମାତ୍ର ୩,୫୦୦ କୋଟି ଟଙ୍କାର ମୂଳଧନ ପରିଶୋଧ ହୋଇଛି। ଏବେବି ୧.୩ ଲକ୍ଷ କୋଟି ଟଙ୍କାର ମୂଳଧନ ଶୁଝିବା ବାକି ରହିଛି। ଚଳିତ ଆର୍ଥିକ ବର୍ଷରେ ସେଥିରୁ ୧୦ ହଜାର କୋଟି ଟଙ୍କା ଦିଆଯିବ। ୨୦୨୩-୨୪ରେ ୩୧,୧୫୦ କୋଟି ଟଙ୍କା, ୨୦୨୪-୨୫ରେ ୫୨,୮୬୦.୧୭ କୋଟି ଟଙ୍କା ଓ ୨୦୨୫-୨୬ରେ ୩୬,୯୧୩ କୋଟି ଟଙ୍କା ପରିଶୋଧ କରିବା ଲାଗି ମୋଦୀ ସରକାର ଯୋଜନା ରଖିଛନ୍ତି।

ସମ୍ବନ୍ଧିତ ଖବର