ଜବତ ୫୬% ନକଲି ନୋଟ୍‌ ୨୦୦୦ ଟଙ୍କିଆ

ନୂଆଦିଲ୍ଲୀ : କଳାଧନ, ନକଲି ନୋଟ୍ ରୢାକେଟ୍ ଓ ଦୁର୍ନୀତିର ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଦେଇଥିଲା। ଏହା ପରେ ଆଣିଥିଲେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଥିବା ନୂଆ ୨୦୦୦ ଟଙ୍କିଆ ନୋଟ୍। ଏହାକୁ ସହଜରେ ନକଲ କରାଯାଇପାରିବ ନାହିଁ ବୋଲି ସେହି ସମୟରେ ସରକାର କହିଥିଲେ। ମାତ୍ର ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟକୁ ଯଦି ବିଚାରକୁ ନିଆଯିବ ତେବେ ସରକାରଙ୍କ ସେହି ପ୍ରତିଶ୍ରୁତି ଭୁଲ ପ୍ରମାଣିତ ହୋଇଛି ବୋଲି କୁହାଯାଇପାରିବ। ୨୦୧୭ ଓ ୨୦୧୮ରେ ଦେଶରେ ଜବତ ହୋଇଥିବା ୫୬% ନକଲି ନୋଟ୍ ହେଉଛି ୨୦୦୦ ଟଙ୍କିଆ। ୩.୭ ପ୍ରତିଶତ ନକଲି ନୋଟ୍ ନୂଆ ୫୦୦ ଟଙ୍କିଆ ହୋଇଥିବା ବେଳେ ୧୫.୩ ପ୍ରତିଶତ ୧୦୦୦ ଟଙ୍କିଆ, ୧୦ ପ୍ରତିଶତ ନୋଟ ପୁରୁଣା ୫୦୦ ଟଙ୍କିଆ ଓ ୬.୪ ପ୍ରତିଶତ ନୋଟ୍‌ ହେଉଛି ପୁରୁଣା ୫୦୦ ଟଙ୍କିଆ। ମୋଟ ନକଲି ନୋଟ୍‌ରେ ୨୦୦୦ ଟଙ୍କିଆର ଭାଗ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଏହି ଦୁଇ ବର୍ଷରେ ମୋଟ ୪୬.୦୬ କୋଟି ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି। ସେଥି ମଧ୍ୟରୁ ୨୮.୧୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇଛି। ଗୁଜରାଟରୁ ସର୍ବାଧିକ ୨୦୦୦ ଟଙ୍କିଆ ନୋଟ୍ ଜବତ ହୋଇଛି। ଏହା ପଛକୁ ରହିଛି ପଶ୍ଚିମବଙ୍ଗ, ତାମିଲନାଡୁ ଓ ଉତ୍ତର ପ୍ରଦେଶ। ବର୍ତ୍ତମାନ ସୁଦ୍ଧା ନକଲି ୨୦୦୦ ଟଙ୍କିଆ ନୋଟ୍ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପ୍ରବେଶ କରିସାରିଲାଣି। ଝାଡ଼ଖଣ୍ଡ, ମେଘାଳୟ ଓ ସିକିମ୍‌ରେ ଗୋଟିଏ ହେଲେ ବି ନକଲି ୨୦୦୦ ଟଙ୍କିଆ ନୋଟ୍‌ ଜବତ ହୋଇନାହିଁ। ବିମୁଦ୍ରୀକରଣର ୫୩ ଦିନ ପରେ ବଜାରକୁ ଦୁଇ ହଜାର ଟଙ୍କିଆ ନୋଟ୍ ଆସିଯାଇଥିଲା।

ସମ୍ବନ୍ଧିତ ଖବର