ଭୁବନେଶ୍ବର : ଅଧିକାଂଶ ଏଟିଏମ୍ରେ ଆଉ ୨ ହଜାର ଟଙ୍କିଆ ନୋଟ୍ ଗ୍ରାହକଙ୍କୁ ମିଳୁନାହିଁ। ମାର୍ଚ୍ଚ ୧ ତାରିଖରୁ ଇଣ୍ଡିଆନ୍ ବ୍ୟାଙ୍କର ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ମିଳିବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ତେବେ କେବଳ ଇଣ୍ଡିଆନ୍ ବ୍ୟାଙ୍କ ନୁହେଁ ପ୍ରାୟ ସବୁ ବ୍ୟାଙ୍କର ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ଆଉ ଗ୍ରାହକଙ୍କୁ ମିଳୁନାହିଁ।
ମୋଦୀ ସରକାର ୨୦୧୬ ନଭେମ୍ବର ୮ ତାରିଖରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍କୁ ଅଚଳ ଘୋଷଣା କରିଦେଲେ। ଏହାସ୍ଥାନରେ ନୂଆ ୨୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ଆଣିଲେ। ଉଭୟ ବ୍ୟାଙ୍କ ଶାଖା ଓ ଏଟିଏମ୍ରେ ଏହା ଉପଲବ୍ଧ ହେଲା। କିନ୍ତୁ ଗତ କିଛିଦିନ ହେଲା ଏଟିଏମ୍ରେ ଆଉ ଗ୍ରାହକଙ୍କୁ ଏହି ନୋଟ୍ ମିଳୁନାହିଁ। ତେଣୁ ଅଧିକ ପରିମାଣରେ ଟଙ୍କା ଉଠାଉଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସେମାନଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ୁଛି। ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ ନିଜର ନାମ ଗୋପନ ରଖିବା ସର୍ତ୍ତରେ କହିବାନୁଯାୟୀ, ବ୍ୟାଙ୍କିଂ ବ୍ୟବସ୍ଥାରେ ପୂର୍ବଭଳି ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହେଉନାହିଁ। ରିଜର୍ଭ ବ୍ୟାଙ୍କର କରେନ୍ସି ଚେଷ୍ଟ୍ରୁ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆବଶ୍ୟକ ସଂଖ୍ୟକ ୨୦୦୦ ଟଙ୍କିଆ ନୋଟ୍ ଆସୁନାହିଁ। ତେବେ ଏହା ପଛର କାରଣ କ’ଣ ତାହା ସେ କହିପାରିବେ ନାହିଁ ବୋଲି କହିଛନ୍ତି। ସେହିଭଳି ଅନ୍ୟ ଜଣେ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ବିମୁଦ୍ରୀକରଣ ପରେ ୨୦୦୦ ଟଙ୍କିଆ ନୋଟ୍ ରଖିବା ପାଇଁ ବ୍ୟାଙ୍କଗୁଡ଼ିକ ଏଟିଏମ୍ର ଟ୍ରେ ବା କ୍ୟାସେଟ୍କୁ ନୂଆକରି ସେଟ୍ କରିଥିଲେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ଯଥେଷ୍ଟ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଫଳରେ ଏ ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ବ୍ୟାଙ୍କ ଓ ସେମାନଙ୍କ ଗ୍ରାହକଙ୍କୁ ବହନ କରିବାକୁ ପଡ଼ିଥିଲା। ଏବେ କିନ୍ତୁ ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ଭର୍ତ୍ତି ନକରି ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍ ରଖାଯାଉଛି। ଫଳରେ ଅଧିକ ଟଙ୍କା ଉଠାଉଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ପୂର୍ବାପେକ୍ଷା ଶୀଘ୍ର ଏଟିଏମ୍ରୁ ଟଙ୍କା ଶେଷ ହୋଇ ଯାଉଥିବା ପରିଲକ୍ଷିତ ହେଉଛି। ଏଥିପାଇଁ ଉଭୟ ଗ୍ରାହକ ଏବଂ ବ୍ୟାଙ୍କକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ପଟେ ଏଟିଏମ୍ରେ ଟଙ୍କା ନଥିବା କାରଣରୁ ଗ୍ରାହକ ଗୋଟିଏ ଏଟିଏମ୍ରୁ ଅନ୍ୟ ଏଟିଏମ୍କୁ ଦୌଡ଼ୁଥିବାବେଳେ ଅନ୍ୟପଟେ କମ୍ ସମୟ ବ୍ୟବଧାନରେ ଟଙ୍କା ଭର୍ତ୍ତି କରିବାକୁ ପଡ଼ୁଥିବାରୁ ବ୍ୟାଙ୍କର ମାନବ ସମ୍ବଳ ଉପରେ ମଧ୍ୟ ଚାପ ସୃଷ୍ଟି ହେଉଛି। ତେବେ କରୋନା ମହାମାରୀ ପରେ ଦେଶରେ ଡିଜିଟାଲ କାରବାର ବଢ଼ିବା କାରଣରୁ ନୋଟ୍ ଉପରେ ଲୋକଙ୍କ ନିର୍ଭରଶୀଳତା ହ୍ରାସ ପାଇଛି। ଏଥିସହିତ ୨୦୦୦ ଟଙ୍କିଆ ନୋଟ୍ ଉଠାଉଥିବା ଗ୍ରାହକମାନେ ଅଳ୍ପ ମୂଲ୍ୟର କିଣାକିଣି ସମୟରେ ଏହାକୁ ଭଙ୍ଗାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଲୋକଙ୍କ ଅସୁବିଧାକୁ ଦୂର କରିବା କିମ୍ବା ଯୋଗାଣ ହ୍ରାସ ପାଇଁ ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ମିଳୁନାହିଁ ତାହାର ସନ୍ତୋଷଜନକ ଉତ୍ତର ଅନେକ ବ୍ୟାଙ୍କ ଅଧିକାରୀ ଦେଇପାରିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/ATM-van_d.jpg)
