ରେକର୍ଡ ସୃଷ୍ଟି କଲା ୨୪,୦୦୦ କୋଟି ଟଙ୍କାର ବୁଲେଟ୍‌ ଟ୍ରେନ୍‌ ରାଜିନାମା

ନୂଆଦିଲ୍ଲୀ: ଗୁରୁବାର ଦିନ ‘ନ୍ୟାସ୍‌ନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନ୍‌‘ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ଅହମଦାବାଦ-ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଭିତ୍ତିଭୂମି ନିମନ୍ତେ ‘ଲାର୍ସନ୍‌ ଆଣ୍ଡ୍‌ ଟୁବ୍ରୋ’ (ଏଲ୍‌ ଆଣ୍ଡ୍‌ ଟି) ସହ ୨୪, ୦୦୦ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି। ସରକାରୀ ପାଣ୍ଠିରେ ଏହା ହେଉଛି ଦେଶର ପ୍ରଥମ ସର୍ବ ବୃହତ୍‌ ‘ସିଭିଲ୍‌ କଣ୍ଟାକ୍ଟ୍‌’।

କାର୍ଯ୍ୟ ଆରମ୍ଭ ନିମନ୍ତେ ସମ୍ପୃକ୍ତ ଅଞ୍ଚଳରେ ଲୋକ ନିୟୋଜିତ କରି ସାରିଥିବା କଥା ନିର୍ମାଣ କମ୍ପାନି ‘ଲାର୍ସନ୍‌ ଆଣ୍ଡ୍‌ ଟୁବ୍ରୋ’ କହିଛି। ଗୁଜରାଟରେ ପଡୁଥିବା ୩୨୫ କିଲୋମିଟର୍‌ ରେଳପଥ ନିମନ୍ତେ ‘ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌’ ‘ଏଲ୍‌ ଆଣ୍ଡ୍‌ ଟ’କୁ କାମ ଦେଇଛି।

ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଜମି ଅଧିଗ୍ରହଣ ନିମନ୍ତେ ମହାରାଷ୍ଟ୍ର ସରକାରଙ୍କୁ ଅପେକ୍ଷା ନ କରି ବରଂ ଗୁଜରାଟ ଭାଗରେ ପଡୁଥିବା ରେଳପଥର କାର୍ଯ୍ୟ ଆରମ୍ଭ କରି ସମ୍ପୂର୍ଣ୍ଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ରେଳବାଇକୁ କହିଛନ୍ତି।

Image Courtesy of Doordarshan

ଏହି ଅବସରରେ ଭାରତରେ ଥିବା ଜାପାନୀ ରାଷ୍ଟ୍ରଦୂତ ସାତୋଶି ସୁଜୁକି କହିଛନ୍ତି, ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ଵିତ କରିବା ଆବଶ୍ୟକ ଥିବା ବେଳେ ଏଭଳି ଏକ ପ୍ରକାଣ୍ଡ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଠିକା ଦିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ରକଳ୍ପ କେବଳ ଯେ ଭାରତକୁ ଜାପାନୀ ବୈଷୟିକ ଜ୍ଞାନକୌଶଳ ଆଣିବ ତାହା ନୁହେଁ, ଏହି ପ୍ରକଳ୍ପର କରିଡର୍‌ ସହ ନଗରାଞ୍ଚଳ ବିକାଶରେ ମଧ୍ୟ ପରିବର୍ତ୍ତନ ଘଟିବ।

ରେଳବାଇ ବୋର୍ଡ ସିଇଓ ତଥା ଅଧ୍ୟକ୍ଷ ଭି. କେ. ଯାଦବ କହିଛନ୍ତି ଯେ, ପ୍ରଥମ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଶେଷ ହେବା ପରେ ସରକାର ଆଉ ସାତଟି ରୁଟ୍‌ରେ ଏଭଳି ଟ୍ରେନ୍‌ କରିଡର୍‌ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର