ରିଅଲ ଇଷ୍ଟେଟ୍‌ ପାଇଁ ୨୫ ହଜାର କୋଟିର ପାଣ୍ଠି

ଅପେକ୍ଷା କରିଥିବା ଗ୍ରାହକଙ୍କୁ ଶୀଘ୍ର ଘର ମିଳିବ, ଅସମ୍ପୂର୍ଣ୍ଣ ପ୍ରକଳ୍ପ ‌ଶେଷ କରିବାକୁ ପାଣ୍ଠିରୁ ଟଙ୍କା ଦିଆଯିବ

ନୂଆଦିଲ୍ଲୀ : ‌ରିଅଲ ଇଷ୍ଟେଟ୍‌ କ୍ଷେତ୍ର ଲାଗି ଆଜି ୨୫ ହଜାର କୋଟି ଟଙ୍କାର ନୂତନ ପାଣ୍ଠି ଘୋଷଣା କରାଯାଇଛି। ଘର କିଣିବା ଲାଗି ଟଙ୍କା ଦେଇ ଫସିଯାଇଥିବା ଗ୍ରାହକମାନଙ୍କୁ ସହା‌ୟତା ପ୍ରଦାନ କରିବା ଉଦେଶ୍ୟରେ ଏହି ପାଣ୍ଠି ଗଠନ କରାଯାଇଛି। ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍‌) ଗଠନ କରିବା ବିଷୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପାଣ୍ଠି ଲାଗି ସରକାର ନିଜ ଆଡ଼ୁ ୧୦ ହଜାର କୋଟି ଟଙ୍କାର ଯୋଗଦାନ ପ୍ରଦାନ କରିବେ। ଏଲ୍‌ଆଇସି, ଷ୍ଟେଟ୍‌ ବ୍ୟାଙ୍କ ଭଳି ସଂସ୍ଥା ଠାରୁ ମଧ୍ୟ ଏହି ପାଣ୍ଠିକୁ ଟଙ୍କା ମିଳିବ। ମୋଟ ଉପରେ ଏଥିରେ ୨୫ ହଜାର କୋଟି ଟଙ୍କା ରହିବ। ଏହି ପାଣ୍ଠିର ପରିଚାଳନା କରିବ ଏସ୍‌ବିଆଇ କ୍ୟାପ୍‌ସ୍‌।

ଅଧା ବାଟରେ ଲଟକି ରହିଥିବା ବାସଗୃହ ପ୍ରକଳ୍ପଗୁଡ଼ିକ ଏହି ପାଣ୍ଠିରୁ ଟଙ୍କା ହାସଲ କରିପାରିବେ। ସରକାର ଚାହୁଛନ୍ତି ପାଣ୍ଠିରେ ଥିବା ଟଙ୍କା ସମ୍ପୂର୍ଣ୍ଣ ବ୍ୟବହାର ହେଉ ଏବଂ ଗ୍ରାହକମାନଙ୍କୁ ଶୀଘ୍ର ଘର ମିଳୁ। ତେବେ ଏଥିରୁ କେବଳ ସେହି ପ୍ରକଳ୍ପକୁ ପାଣ୍ଠି ଦିଆଯିବ ଯେଉଁମାନଙ୍କ ଆର୍ଥିକ ସ୍ଥିତି (ନିଟ୍‌ ସମ୍ପତ୍ତି) ଭଲ ଥିବ। ରେରା ନିୟମ ଅଧୀନରେ ପଞ୍ଜିକୃତ ହୋଇଥିବା ପ୍ରକଳ୍ପଗୁଡ଼ିକୁ ପାଣ୍ଠିରୁ ଟଙ୍କା ମିଳିବ। ଏନ୍‌ସିଏଲ୍‌ଟିକୁ ଟଣା ହୋଇଥିବା କଂପାନିଗୁଡ଼ିକ ମଧ୍ୟ ଏହି ପାଣ୍ଠିରୁ ଟଙ୍କା ପାଇପାରିବେ। ତେବେ ସର୍ତ୍ତ ହେଉଛି ସେମାନଙ୍କ ବି‌ରୋଧରେ କଂପାନି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇନଥିବା ଦରକାର। ସୁଲଭ ଓ ମଧ୍ୟମ ଆୟ ବର୍ଗର ବାସଗୃହ ପ୍ରକଳ୍ପ ମଧ୍ୟ ଏହି ପାଣ୍ଠି ଦ୍ବାରା ଲାଭବାନ ହୋଇପାରିବେ। ଋଣ ଦେଇଥିବା ସଂସ୍ଥା ଯଦି କୌଣସି ପ୍ରକଳ୍ପକୁ ଏହି ପାଣ୍ଠିରୁ ଟଙ୍କା ଦିଆଯାଉ ବୋଲି କହିବେ ସେଭଳି କ୍ଷେତ୍ରରେ ଉକ୍ତ କଂପାନିକୁ ମଧ୍ୟ ଏହି ପାଣ୍ଠିରୁ ଟଙ୍କା ପ୍ରଦାନ କରାଯିବ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଆକଳନ କରାଯାଇଛି ଯେ, ଦେଶରେ ୧୬୦୦ ଆବାସିକ ପ୍ରକଳ୍ପ ଅଧା ବାଟରେ ଲଟକି ରହିଛି ଯେଉଁଥିରେ ୪ ଲକ୍ଷ ୫୮ ହଜାର ଘର ନିର୍ମାଣାଧୀନ ରହିଛି। ଘର ପାଇବା ଲାଗି ଅପେକ୍ଷା କରିଥିବା ଗ୍ରାହକମାନଙ୍କ ସମସ୍ୟାର ସମାଧାନ କିଭଳି ଭାବେ ହୋଇପାରିବ ତାହା ଜାଣିବା ଲାଗି ଶ୍ରୀମତୀ ସୀତାରମଣ ପ୍ରଭାବିତ ହୋଇଥିବା ଗ୍ରାହକ, ବିଭିନ୍ନ ଅଂଶୀଦାର ଓ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ ଭେଟି ଆଲୋଚନା କରିଥିଲେ। ଶ୍ରୀମତୀ ସୀତାରମଣ କହିଛନ୍ତି, ଏହି ନିଷ୍ପତ୍ତିର ପ୍ରଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସିମେଣ୍ଟ୍‌, ଲୁହା ଓ ଇସ୍ପାତ ଶିଳ୍ପ ପାଇଁ ଚାହିଦା ବଢ଼ିବ। ଅର୍ଥନୀତିର ଅନ୍ୟ କ୍ଷେତ୍ରରେ ରହିଥିବା ଚାପ ମଧ୍ୟ ଏହା ଦ୍ବାରା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ରିଅଲ ଇଷ୍ଟେଟ୍‌ ଶିଳ୍ପର ସଂଘ କ୍ରେଡାଇ ତରଫରୁ ସ୍ବାଗତ କରାଯାଇଛି। ‌

ସମ୍ବନ୍ଧିତ ଖବର