ଭୁବନେଶ୍ବର: ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ବକେୟା ଟିକସ ଛାଡ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଆଇନ ଅଧୀନରେ ଏହି ଟିକସ ଦୀର୍ଘ ଦିନ ଧରି ଆଦାୟ ହୋଇପାରୁନଥିଲା। ସେଗୁଡ଼ିକ ଆଇନଗତ ସମସ୍ୟା ଦେଇ ଗତି କରୁଥିଲା। ଓଡ଼ିଶା ବିକ୍ରି କର ଆଇନ, ଓଡ଼ିଶା ଅତିରିକ୍ତ ବିକ୍ରି କର ଆଇନ, କେନ୍ଦ୍ରୀୟ ବିକ୍ରି କର ଆଇନ, ଓଡ଼ିଶା ମୂଲ୍ୟଯୁକ୍ତ ଆଇନ ଓ ଓଡ଼ିଶା ଆମୋଦକର ଆଇନ ଅଧୀନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବକେୟା ଟିକସ ଛାଡ଼ କରାଯାଇଥିବା ନେଇ ସୂଚନା ମିଳିଛି। ରାଜ୍ୟ ଅର୍ଥ ବିଭାଗ ତରଫରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି। ପେଟ୍ରୋଲ୍, ଡିଜେଲ୍, ବିମାନ ଇନ୍ଧନ, ପ୍ରାକୃତିକ ଗ୍ୟାସ୍, ଅଶୋଧିତ ତେଲ ଓ ମାନବ ବ୍ୟବହାର ଉପଯୋଗୀ ମଦ ଭଳି ଛଅଟି ସାମଗ୍ରୀକୁ ଟିକସ ଛାଡ଼ ପ୍ରକ୍ରିୟାରୁ ବାଦ ଦିଆଯାଇଛି। ୨୦୧୭ ଜୁନ୍ ୩୦ ସୁଦ୍ଧା ବକେୟା ଥିବା ୫୦୦୦ ଟଙ୍କାରୁ କମ୍ ମୂଲ୍ୟର ଟିକସକୁ ଛାଡ଼ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ଯେଉଁ ସବୁ ଆଇନଗୁଡ଼ିକ ଅଧୀନରେ ଟିକସ ଦୀର୍ଘଦିନ ବକେୟା ରହିଛି ସେଗୁଡ଼ିକ ସ୍ଥାନରେ ଏବେ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ଆଇନ କାର୍ଯ୍ୟକାରୀ ହୋଇଛି। ଟିକସ ଛାଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ୩୪,୩୩୨ଟି ବକେୟା ଟିକସ ମାମଲାର ଫଇସଲା ହୋଇଯିବ। ଏହି ମାମଲାଗୁଡ଼ିକରେ ବକେୟା ଟିକସ କିମ୍ବା ସୁଧ ସହ ଜରିମାନା ରାଶି ପରିମାଣ ୫ ହଜାର ଟଙ୍କାରୁ କମ୍ ରହିଛି। ଫଳରେ ମୋଟ ଉପରେ ସରକାର ୪,୬୭,୧୨,୪୦୯ ଟଙ୍କାର ଟିକସ ଛାଡ଼ କରିବେ। ଏହି କମ୍ ପରିମାଣର ଟିକସ ଆଦାୟ ଲାଗି ଅନେକ ଉଦ୍ୟମ ଦରକାର। ଏହି ଟିକସ ଛାଡ଼ କରାଗଲେ ସେ କ୍ଷେତ୍ରରେ ହେଉଥିବା ଉଦ୍ୟମକୁ ଅନ୍ୟ କାର୍ଯ୍ୟରେ ଲଗାଯାଇପାରିବ। ଯେଉଁ ସବୁ ମାମଲାରେ ଅଧିକ ପରିମାଣର ବକେୟା ରାଶି ପଡ଼ି ରହିଛି ତାହାକୁ ଆଦାୟ କରିବା ଲାଗି ଅଧିକ ଧ୍ୟାନ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/tax-3.jpg)