ଲକ୍ଷେ କୋଟିର କୃଷି ଭିତ୍ତିଭୂମି ପାଣ୍ଠି, ହର୍ବାଲ ଚାଷ ପାଇଁ ୪୦୦୦ କୋଟି

ନୂଆଦିଲ୍ଲୀ: କୃଷିଜାତ ସାମଗ୍ରୀ ପାଇଁ ଆବଶ୍ୟକ ପରିମାଣର ଶୀତଳଭଣ୍ଡାର ଓ ଅମଳ ପରବର୍ତୀ ପରିଚାଳନା ପାଇଁ ଭିତ୍ତିଭୂମିର ଯେଉଁ ଅଭାବ ରହିଛି ତାହାକୁ ଦୂର କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତ୍ତିଭୂମି ପାଣ୍ଠି ଗଠନ କରାଯାଇଛି। ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ପର୍ଯ୍ୟାୟ ବିଷୟରେ ଘୋଷଣା କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି।ଦେଶରେ ସର୍ବଦା ସ୍ବଳ୍ପମିଆଦୀ ଫସଲ ଋଣ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଦୀର୍ଘମିଆଦୀ ଭିତ୍ତିଭୂମି ସ୍ଥାପନ କରିବାରେ ନିବେଶ ଏପର୍ଯ୍ୟନ୍ତ ଯଥେଷ୍ଟ ହୋଇପାରିନାହିଁ। ପ୍ରାଥମିକ କୃଷି ସମବାୟ ସମିତି (ପାକସ୍‌), ଚାଷୀ ଉତ୍ପାଦକ ସଂଗଠନ (ଏଫ୍‌ପିଓ) ଓ କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଇତ୍ୟାଦି ସ୍ତରରେ କୃଷି ଭିତ୍ତିଭୂମି ପ୍ରକଳ୍ପ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ୧,୦୦,୦୦୦ କୋଟି ଟଙ୍କାର ଫାଇନାନ୍ସ ସୁବିଧା ଯୋଗାଇ ଦେବେ। ଖୁବ୍‌ଶୀଘ୍ର ଏହି ପାଣ୍ଠି ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀ: ଦେଶରେ ହର୍ବାଲ୍ ସାମଗ୍ରୀ ଚାଷର ପ୍ରସାର ଲାଗି ୪୦୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଦୁଇ ବର୍ଷ ଭିତରେ ଦଶ ଲକ୍ଷ ହେକ୍ଟର ଜମିରେ ହର୍ବାଲ ଚାଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ବାରା ଚାଷୀଙ୍କ ପାଇଁ ୫,୦୦୦ କୋଟି ଟଙ୍କାର ଆୟ ଉତ୍ସ ସୃଷ୍ଟି ହୋଇପାରିବ। ଔଷଧୀୟ ବୃକ୍ଷ ପାଇଁ ଆଞ୍ଚଳିକ ମଣ୍ଡିର ନେଟ୍‌ୱର୍କ ବିକଶିତ କରିବାକୁ ମଧ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାର ଯେଉଁ ୪୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ତାହାର ଏକ ଅଂଶକୁ ବ୍ୟବହାର କରି ଗଙ୍ଗା ନଦୀ କୂଳରେ ଔଷଧୀୟ ବୃକ୍ଷର ଏକ କରିଡର୍‌ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର