୫୦୦ କୋଟିର ହସ୍ତତନ୍ତ ବଜାର: ରାଜ୍ୟରେ ୬୬,୫୩୧ ବୁଣାକାର ପରିବାର

ଭୁବନେଶ୍ବର: ରାଜ୍ୟ‌ରେ ୬୬,୫୩୧ ବୁଣାକାର ପରିବାର ଥିବା ବେଳେ ବୁଣାକାରଙ୍କ ସଂଖ୍ୟା ୧.୨୨ ଲକ୍ଷ ରହିଛି। ହସ୍ତତନ୍ତ ଅର୍ଥନୀତିର ଆକାର ହେଉଛି ୫୦୦ କୋଟି ଟଙ୍କା। ବୁଣାକାରମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କୋଭିଡ୍ ମହାମାରୀ ବର୍ଷରେ ବୟନିକା ୯୦ କୋଟି ଟଙ୍କା, ସମ୍ବଲପୁରୀ ବସ୍ତ୍ରାଳୟ ୬୦ କୋଟି ଟଙ୍କା ଓ ସେରିଫେଡ୍‌ ୧୦ କୋଟି ଟଙ୍କାର ବ୍ୟବସାୟ କରିଥିଲେ ବୋଲି ହସ୍ତତନ୍ତ ଓ ବୟନ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି। ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହସ୍ତତନ୍ତ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିତି ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବରଗଡ଼ର ବେହେରା ହାଟ ହେଉଛି ଦେଶର ସର୍ବବୃହତ ହସ୍ତତନ୍ତ ହାଟ। ଏହାର ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ବ୍ୟୟ କରିବେ। ଫଳରେ ଏହି ହାଟରେ ଏକ ସମୟରେ ୫୦୦ ବୁଣାକାର କାର୍ଯ୍ୟ କରିପାରିବେ ବୋଲି ସେ କହିଛନ୍ତି।

ଏହି ଅବସରରେ ହସ୍ତତନ୍ତ ସଚିବ ଶୁଭା ଶର୍ମା ହସ୍ତତନ୍ତର ବିକାଶରେ ନାବାର୍ଡର ଭୂମିକାକୁ ପ୍ରଶଂସା କରିଛନ୍ତି। ଅଫ୍‌ ଫାର୍ମ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍ (ଇଏଫ୍‌ପିଓ), ମିନି ଓଏଫ୍‌ପିଓ, କୌଶଳ ବିକାଶ ଓ ମହିଳା ଏସ୍‌ଏଚ୍‌ଜିଙ୍କ ଜରିଆରେ ହସ୍ତତନ୍ତ କ୍ଷେତ୍ରରେ ଅଣୁ ଓ ଜୀବିକା ସଂସ୍ଥାର ବିକାଶ ଲାଗି ନାବାର୍ଡ କାର୍ଯ୍ୟ କରୁଥିବା ସେ କହିଛନ୍ତି। ପ୍ରଦର୍ଶନୀ, ମେଳା, ଗ୍ରାମୀଣ ହାଟ, ଗ୍ରାମୀଣ ମାର୍ଟ ଓ ବଜାର ଓ ବୁଣାକାରଙ୍କୁ ନେଇ ଭାବ ବିନିମୟ କାର୍ଯ୍ୟକ୍ରମ ଜରିଆରେ ନାବାର୍ଡ ଗରିବ ବୁଣାକାରମାନଙ୍କୁ ଉତ୍ତମ ମୂଲ୍ୟ ପାଇବାର ଏକ ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର କହିଛନ୍ତି ଯେ ନାବାର୍ଡ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ଦୁଇଟି ଓଏଫ୍‌ପିଓର ପ୍ରସାର କରୁଛି। ତାହା ହେଉଛି ସୋନପୁରର ଡୁଙ୍ଗୁପାଲି ବୁଣାକାର ପ୍ରଡ୍ୟୁସର୍ସ କଂପାନି ଓ କେନ୍ଦୁଝରର କେନ୍ଦୁଝରି ବୁଣାକାର ପ୍ରଡ୍ୟୁସର୍ସ କଂପାନି। ସ୍ବତନ୍ତ୍ର ପ୍ରକାର ହସ୍ତତନ୍ତ ଉତ୍ପାଦ ଲାଗି ଜିଆଇ ଟ୍ୟାଗ୍ ହାସଲ କରିବା ଲାଗି ମଧ୍ୟ ଏହା ସହଯୋଗ ପ୍ରଦାନ କରୁଛି। ଆଗାମୀ ଦିନରେ ଯାଜପୁରର ଏକ ଓଏଫ୍‌ପିଓର ପ୍ରସାର ଦାୟିତ୍ବ ନାବାର୍ଡ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ନିର୍ଦେଶକ ଏସ୍‌ କେ ହୋତା, କେଭିଆଇସିର ନିର୍ଦେଶକ ଏସ୍‌ କେ ମହାନ୍ତି, ଏନ୍‌ଆଇଏଫ୍‌ଟି ଭୁବନେଶ୍ବରର ନିର୍ଦେଶକ ଶୋଭନ କ୍ରିଷ୍ଣ ସାହୁ, ଏସ୍‌ଏଲ୍‌ବିସି ସଂଯୋଜକ ଅରୁପାନନ୍ଦ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର