ମୋଦୀଙ୍କ ଏସ୍‌ପିଜି ସୁରକ୍ଷା ରାଶି ୬୦୦ କୋଟିକୁ ବୃଦ୍ଧି

ସ୍ବଚ୍ଛ ବାୟୁ ପାଇଁ ୪,୪୦୦ କୋଟି
ବିଜୁଳି ପାଇଁ ଘରେ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର
ବିଏସ୍ଏନ୍ଏଲ୍ ଓ ଏମ୍‌ଟିଏନ୍‌ଏଲ୍‌କୁ ୩୭,୬୪୦ କୋଟି
ସବ୍‌ସିଡି ବ୍ୟୟ କମିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସପିଜି ସୁରକ୍ଷା ଦେବା ବାବଦ ବ୍ୟୟବରାଦ ଚଳିତ ବଜେଟରେ ୬୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ ବଜେଟରେ ଏହି ରାଶି ୫୪୦ କୋଟି ଟଙ୍କା ରହିଥିଲା। ୩୦୦୦ ସ୍ବତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନେଇ ଗଠିତ ଏସପିଜି ସୁରକ୍ଷା ବର୍ତ୍ତମାନ କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଗାନ୍ଧୀ ପରିବାରକୁ ମିଳୁଥିବା ଏହି ସୁବିଧାକୁ ଗତବର୍ଷ ପ୍ରତ୍ୟାହାର କରି ନିଆଯାଇଛି।

ସ୍ବଚ୍ଛ ବାୟୁ ପାଇଁ ୪,୪୦୦ କୋଟି
ସହରାଞ୍ଚଳବାସୀଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବା ଲାଗି ୪,୪୦୦ କୋଟି ଟଙ୍କାର ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି) ବିଷୟରେ ଘୋଷଣା କରାଯାଇଛି। ଏକ ନିୟୁତରୁ ଅଧିକ ଲୋକ ବାସ କରୁଥିବା ସହର ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଉତ୍ସାହିତ କରିବେ। ଏଥିପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ମାନଦଣ୍ଡ ଧାର୍ଯ୍ୟ କରିବେ। ବାୟୁ ପ୍ରଦୂଷଣକୁ ରୋକିବା ଲାଗି ପୁରୁଣା ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ଗୁଡ଼ିକୁ ବନ୍ଦ କରିବାକୁ ବଜେଟ୍‌ରେ ଘୋଷଣା କରାଯାଇଛି। ସେହି କାରଖାନାର ଜମିକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଲାଗି ଉପଲବ୍ଧ କରାଯିବ।

ବିଜୁଳି ପାଇଁ ଘରେ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର
ବିଜୁଳି ପାଇଁ ଆଗାମୀ ଦି‌ନରେ ‌ଉପଭୋକ୍ତାଙ୍କ ଘରେ ପ୍ରି ପେଡ୍‌ ସ୍ମାର୍ଟ ମିଟର ଲାଗିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ଏହି ସୂଚନା ଦେଇଛନ୍ତି। ଏଥିରେ ମିଟର ଯୋଗାଣକାରୀ ଏବଂ ରେଟ୍ ଚୟନର ସୁଯୋଗ ପ୍ରଦାନ କରାଯିବ। ଏହି ଯୋଜନାରେ ପୁରୁଣା ମିଟରକୁ ଧୀରେ ଧୀରେ ହଟାଇ ଦିଆଯିବ। ଆସନ୍ତା ୩ ବର୍ଷ ଭିତରେ ପୁରୁଣା ମିଟର ବଦଳାଇ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇବା ପାଇଁ ବଜେଟରେ ଅର୍ଥମନ୍ତ୍ରୀ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି।

ବିଏସ୍ଏନ୍ଏଲ୍ ଓ ଏମ୍‌ଟିଏନ୍‌ଏଲ୍‌କୁ ୩୭,୬୪୦ କୋଟି
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌କୁ ବଜେଟରେ ୩୭,୬୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ୪ ଜି ସ୍ପେକ୍ଟ୍ରମ କ୍ରୟ ଏବଂ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ବାବଦ ରାଶି ପ୍ରଦାନ ଲାଗି ଏହି ଅର୍ଥ ଯୋଗାଇ ଦିଆଯାଇଛି।

ସବ୍‌ସିଡି ବ୍ୟୟ କମିଲା
ସରକାରଙ୍କ ସବସିଡ଼ି ବ୍ୟୟବରାଦ କମିଛି। ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ସରକାର ଖାଦ୍ୟ, ସରକାର ଏବଂ ପେଟ୍ରୋଲିୟମ ଉତ୍ପାଦ ସବ୍‌ସିଡି ବାବଦରେ ମୋଟ ୨, ୨୭, ୭୯୪ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ୨୦୧୯-୨୦ ବଜେଟ ଆକଳନରେ ସରକାରଙ୍କ ସବସିଡି ବ୍ୟୟବରାଦ ୩,୦୧,୬୯୪ କୋଟି ଟଙ୍କା ରହିଥିଲା। ୨୦୨୦-୨୧ରେ ସାର ସବସିଡି ବାବଦରେ ୭୧,୩୦୯ କୋଟି, ଖାଦ୍ୟ ସବସିଡି ବାବଦରେ ୧,୧୫,୫୭୦ କୋଟି, ଏବଂ ପେଟ୍ରୋଲିୟମ ଉତ୍ପାଦ ସବସିଡି ବାବଦରେ ୪୦,୯୧୫ କୋଟି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର