ଇସ୍ପାତ ଶିଳ୍ପ ପାଇଁ ୬୩୨୨ କୋଟିର ପ୍ରୋତ୍ସାହନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଦେଶର ଇସ୍ପାତ ଶିଳ୍ପ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ରେ ୬୩୨୨ କୋଟି ଟଙ୍କାର ପ୍ରୋତ୍ସାହନ ଇସ୍ପାତ ଉଦ୍ୟୋଗୀଙ୍କୁ ମିଳିବ। ସ୍ବତନ୍ତ୍ର ଧରଣର ଇସ୍ପାତ ଉତ୍ପାଦନ କରୁଥିବା କମ୍ପାନି ଗୁଡ଼ିକୁ ଏହି ପ୍ରୋତ୍ସାହନ ୫ ବର୍ଷର ଅବଧିରେ ପ୍ରଦାନ କରାଯିବ। ଉକ୍ତ ଯୋଜନାରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ନିବେଶ ଆସିବ ବୋଲି ଆଶା ରଖାଯାଇଛି। ୨୦୨୩-୨୪ରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିରେ ୫,୨୫,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରୁ ୬୮ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ବୋଲି ସରକାର କହିଛନ୍ତି।

ଇସ୍ପାତ ଶିଳ୍ପରେ ଭାରତ ବର୍ତ୍ତମାନ ସେତେଟା ମୂଲ୍ୟଯୋଗ କରିପାରି ନାହିଁ। ‌ଇସ୍ପାତରେ ମୂଲ୍ୟଯୋଗ କରି ଦେଶରେ ସ୍ବତନ୍ତ୍ରମାନର ଇସ୍ପାତ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ଲାଗି ଏହି ଘୋଷଣା କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ୪ ପ୍ରତିଶତରୁ ୧୨ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ ବୋଲି କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ତେବେ କମ୍ପାନି ପିଛା ସର୍ବାଧିକ ୨୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦିଆଯିବାର ଯୋଜନା ରହିଛି। ଉକ୍ତ ଯୋଜନାରେ କୋଟେଡ/ପ୍ଲେଟେଡ ଇସ୍ପାତ ଉତ୍ପାଦ, ମଜଭୁତ ଇସ୍ପାତ, ଆଲୟ ଇସ୍ପାତ ଆଦି ୫ଟି ବର୍ଗର ସ୍ବତନ୍ତ୍ର ଇସ୍ପାତର ଉତ୍ପାଦନ କରାଯିବ। ଭାରତରେ ପଞ୍ଜୀକୃତ ହୋଇ ସ୍ବତନ୍ତ୍ର ଇସ୍ପାତ ଉତ୍ପାଦନ କରୁଥିବା କମ୍ପାନି ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ଯୋଜନା ଦ୍ବାରା ‌‌ଦେଶର ଉଭୟ ବଡ଼ ଏବଂ ଛୋଟ ଇସ୍ପାତ କମ୍ପାନି ଲାଭବାନ ହେବେ। ସ୍ବତନ୍ତ୍ର ଇସ୍ପାତର ବ୍ୟବହାର ପ୍ରତିରକ୍ଷା ଠାରୁ ମହାକାଶ, ଶକ୍ତି, ଅଟୋମୋବାଇଲ ଆଦି ଶିଳ୍ପରେ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର