ସଡ଼କ ସୁରକ୍ଷା ପାଇଁ ୭,୨୭୦ କୋଟିର ସ୍କିମ୍: ଓଡ଼ିଶା ସମେତ ୧୪ଟି ରାଜ୍ୟରେ ଲାଗୁ ହେବ

ସଡ଼କ ଦୁର୍ଘଟଣା ୩୦% ହ୍ରାସ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୂନକୁ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୭,୨୭୦ କୋଟି ଟଙ୍କାର ନୂଆ ସ୍କିମ୍ ଲାଗୁ କରାଯିବ। ଏହି ସ୍କିମ୍ ଓଡ଼ିଶା ସମେତ ୧୪ଟି ରାଜ୍ୟରେ ଲାଗୁ ହେବ। ଦେଶର ୮୫% ସଡ଼କ ଦୁର୍ଘଟଣା ଏହି ରାଜ୍ୟଗୁଡ଼ିକରେ ହେଉଛି। ସେଥିପାଇଁ ଏହି ସ୍କିମ୍‌କୁ ସେହି ରାଜ୍ୟଗୁଡ଼ିକରେ ଲାଗୁ କରାଯିବ। ଏହା‌ ହେଉଛି ଏକ କେନ୍ଦ୍ର ପ୍ରାୟୋଜିତ ୬ ବର୍ଷିଆ ସ୍କିମ୍। ସ୍କିମ୍‌ ଲାଗି କେନ୍ଦ୍ର ସରକାର ୩,୬୩୫ କୋଟି ଟଙ୍କାର ବଜେଟ୍ ସହାୟତା‌ ପ୍ରଦାନ କରିବ। ବିଶ୍ବବ୍ୟାଙ୍କ ୧,୮୧୮ କୋଟି ଟଙ୍କା ଓ ଏସିଆନ୍ ଡେ‌ଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ୧,୮୧୮ କୋଟି ଟଙ୍କାର ଋଣ ପ୍ରଦାନ କରିବେ। ମୋଟ ବ୍ୟୟ ଅଟକଳ ମଧ୍ୟରୁ ୬,୭୨୫ କୋଟି ଟଙ୍କା ୧୪ଟି ରାଜ୍ୟକୁ ଦିଆଯିବ। ସଡ଼କ ଦୁର୍ଘଟଣାକୁ ନେଇ ସଚେତନତା ସୃଷ୍ଟି କରିବା ଏବଂ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଆଦିରେ ପ୍ରଦର୍ଶନ ବିଚାରକୁ ନେଇ ରାଜ୍ୟଗୁଡ଼ିକୁ ପାଣ୍ଠି ଦିଆଯିବ। ବଳକା ୫୪୫ କୋଟି ଟଙ୍କାକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଦକ୍ଷତା ଗଠନ କାର୍ଯ୍ୟରେ ବ୍ୟୟ କରିବ।

ସଡ଼କ ଦୁର୍ଘଟଣା ରୋକିବାରେ ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ମାପିବା ଲାଗି ୧୧ଟି ମାନଦଣ୍ଡକୁ ବ୍ୟବହାର କରାଯିବ। ଯେହେତୁ ଏହା ଏକ ଫଳାଫଳ ଭିତ୍ତିକ ସ୍କିମ୍ ତେଣୁ ଯେଉଁ ରାଜ୍ୟର ପ୍ରଦର୍ଶନ ଯେତେ ଉନ୍ନତ ରହିବ ତାହା ସେହି ଅନୁସାରେ ଅଧିକ ପାଣ୍ଠି ପାଇବ। ଅନୁଦାନ ରାଶି ପ୍ରଦାନ କରିବା ବେଳେ କିଛି ପ୍ରମୁଖ ମାନଦଣ୍ଡର ପ୍ରଦର୍ଶନ ବିଚାରକୁ ନିଆଯିବ। ସଡ଼କ ଦୁର୍ଘଟଣା ରୋକିବା ଲାଗି ରାଜ୍ୟଗୁଡ଼ିକ ତୃଣମୂଳ ସ୍ତରରେ ପଦକ୍ଷେପ ଗ୍ରହଣ କରିବେ। ମୋଟର ଯାନ (ସଂଶୋଧନ) ନିୟମ ୨୦୧୯ ଏ ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ବିଚାର କରାଯାଉଛି।

୨୦୧୯ରେ ଦେଶରେ ୪.୪୯ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧ ଲକ୍ଷ ୫୧ ହଜାର ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ସେଥି ମଧ୍ୟରୁ ଏହି ସ୍କିମ୍‌ ଲାଗି ଚିହ୍ନଟ କରାଯାଇଥିବା ୧୪ ରାଜ୍ୟରେ ୧, ୨୪,୩୭୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଗତ ପା‌ଞ୍ଚ ବର୍ଷ ଧରି ସମାନ ସ୍ତରରେ ରହିଛି। ୨୦୨୦ରେ ସଡ଼କ ଦୁର୍ଘଟଣାରେ ୧ ଲକ୍ଷ ୩୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। କୋଭିଡ୍-୧୯ ମହାମାରୀର ମୁକାବିଲା ଲାଗି ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ଗମନାଗମନ ଠପ୍ ହେବା ସତ୍ତ୍ବେ ସଡ଼କ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେବା ଚିନ୍ତାର ବିଷୟ। ନୂଆ ସ୍କିମ୍ ଜରିଆରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ୨୦୨୭ ସୁଦ୍ଧା ୩୦% ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଲୋକଙ୍କ ମଧ୍ୟରୁ ୫୪% ହେଉଛନ୍ତି ପଥଚାରୀ, ସାଇକେଲ୍ ଚାଳକ, ଦୁଇଚକିଆ କିମ୍ବା ତିନି ଚକିଆ ଯାନ ଚାଳକ।

୨୦୨୨-୨୩ରେ ସବୁ ରାଜ୍ୟ ପାଇଁ ଏକ ସମନ୍ବିତ ସଡ଼କ ଦୁର୍ଘଟଣା ଡାଟାବେସ୍ ଆରମ୍ଭ କରାଯିବ। ରାଜପଥ ଓ ପ୍ରମୁଖ ଜିଲ୍ଲା ସଡ଼କଗୁଡ଼ିକରେ ଥିବା ବ୍ଲାକ୍ ସ୍ପଟ୍‌ରେ ସୁଧାର ଆଣିବା ଲାଗି ଏହାକୁ ବ୍ୟବହାର କରାଯିବ। ରାଜ୍ୟ ରାଜପଥ ଓ ସହରାଞ୍ଚଳ ରାସ୍ତାର ସଡ଼କ ସୁରକ୍ଷା ଅଡିଟ୍ ବାଧ୍ୟତାମୂଳକ କରାଯିବ। ସଡ଼କ ସୁରକ୍ଷାକୁ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଯେଭଳି ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇବ ସେଥିପାଇଁ ଏକ ‘ଚ୍ୟାଲେଞ୍ଜ ରାଉଣ୍ଡ୍‌’ ଆୟୋଜନ କରାଯିବ। ଯେଉଁ ରାଜ୍ୟଗୁଡ଼ିକ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯିବ। ରାଜ୍ୟଗୁଡ଼ିକର ସଫଳତାକୁ ସ୍ବାଧୀନ ଯାଞ୍ଚ ଏଜେନ୍ସି ଜରିଆରେ ଅନୁଶୀଳନ କରାଯିବ।

ସମ୍ବନ୍ଧିତ ଖବର