ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆର୍ଏସ୍ପି)ର ବାର୍ଷିକ ଉତ୍ପାଦନ କ୍ଷମତା ୮୦ ଲକ୍ଷ ଟନ୍ରେ ପହଞ୍ଚିବ ବୋଲି ଦିନିକିଆ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି ଯେ ଆର୍ଏସ୍ପିର ଉତ୍ପାଦନ କ୍ଷମତା ୪୦ ଟନ୍ରୁ ବୃଦ୍ଧି କରି ୮୦ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ଆର୍ଏସ୍ପିର ଉତ୍ପାଦନ କ୍ଷମତାକୁ ୨୦ ଲକ୍ଷ ଟନ୍ରୁ ବଢ଼ାଇ ୪୫ ଲକ୍ଷ ଟନ୍ କରିବାକୁ ୧୨ ହଜାର କୋଟି ଟଙ୍କାର ସମ୍ପ୍ରସାରଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା କାରଖାନାର ଉତ୍ପାଦନ କ୍ଷମତା ୩୩ ଲକ୍ଷ ଟନ୍ରେ ପହଞ୍ଚି ପାରିନାହିଁ।
ଶ୍ରୀ ସିଂହ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଲେ, ଜାତୀୟ ଇସ୍ପାତ ନୀତି-୨୦୧୭ ଅନୁଯାୟୀ ୨୦୩୦ ସୁଦ୍ଧା ଭାରତରେ ଇସ୍ପାତ ଉତ୍ପାଦନ ୩୦ କୋଟି ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଥିରେ ଓଡ଼ିଶାର ଅବଦାନ ୧୦ କୋଟି ଟନ୍ ହେବ। ଦେଶର ଇସ୍ପାତ ରାଜଧାନୀ ଭାବେ ବିବେଚିତ କଳିଗନଗର ଶିଳ୍ପାଞ୍ଚଳ ଇସ୍ପାତ ଉତ୍ପାଦନର ପ୍ରମୁଖ କେନ୍ଦ୍ରସ୍ଥଳୀ ହେବ। ୨୦୩୦ ସୁଦ୍ଧା ମୁଣ୍ଡପିଛା ଇସ୍ପାତ ବ୍ୟବହାର ପରିମାଣ ୧୬୦ କେଜିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ଯାହା ବର୍ତ୍ତମାନ ୬୮ କେଜି ରହିଛି। ଶ୍ରୀ ସିଂହ ଆସନ୍ତାକାଲି କଳିଙ୍ଗନଗର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ।
ଇସ୍ପାତ ଜେନେରାଲ୍ ହସ୍ପିଟାଲ (ଆଇଜିଏଚ୍)କୁ ମେଡ଼ିକାଲ୍ କଲେଜରେ ରୂପାନ୍ତରୀତ କରିବା ବିଷୟରେ ଶ୍ରୀ ସିଂହ କହିଥିଲେ, ଆଇଜିଏଚ୍ରେ ପ୍ରସ୍ତାବିତ ସୁପର ସ୍ପେଶାଲିଟି ସେବା ଉପଲବ୍ଧ ହେବ। ଏହି କ୍ରମରେ ସେ ଆଜି ବର୍ନ ଓ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଶିଳାନ୍ୟାସ କରିଛନ୍ତି। ଡାକ୍ତର ଓ ବିଶେଷଜ୍ଞଙ୍କ ଅଭାବ ପୂରଣ ଲାଗି ୧୦୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଛଡ଼ା ଏଠାରେ ହୃଦରୋଗ ବିଭାଗରେ ସ୍ୱତନ୍ତ୍ର ସେବା ସମ୍ପ୍ରସାରଣ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ଦେଇଥିବା ପ୍ରସ୍ତାବକୁ ପ୍ରାଧାନ୍ୟ ଦିଆଯାଇ ତୁରନ୍ତ ପଦକ୍ଷେପ ନିଆଯିବ। ସେଲ୍ ହକି ଏକାଡ଼େମୀର ବିକାଶ ସଂକ୍ରାନ୍ତ ପ୍ରଶ୍ନରେ ଶ୍ରୀ ସିଂହ କହିଲେ, ଏ ଦିଗରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସାଙ୍ଗକୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦିଆଯିବ। ବିଶେଷକରି ମହିଳା ହକି ଖେଳାଳିଙ୍କ ପାଇଁ ଏକାଡ଼େମୀରେ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପ୍ରସାରଣ କରାଯିବ। କର୍ମଚାରୀଙ୍କ ବେତନ ସଂଶୋଧନ ଓ ସେମାନଙ୍କୁ ସଂଶୋଧନ ପେନ୍ସନ୍ ପ୍ରଦାନ ନିମନ୍ତେ ସଦୟ ବିଚାର କରାଯିବ ବୋଲି ସେ କହିଛନ୍ତି।
ଆର୍ଏସ୍ପି ଉତ୍ପାଦନ ୮୦ ଲକ୍ଷ ଟନ୍ ହେବ
/sambad/media/post_attachments/wp-content/uploads/2018/06/RSP-product.jpg)