ଚବିଶ ଘଣ୍ଟା ମିଳିବ ଆର୍‌ଟିଜିଏସ୍‌ ସୁବିଧା

ମୁମ୍ବାଇ : ରିଅଲ ଟାଇମ୍ ଗ୍ରସ୍‌ ସେଟଲମେଣ୍ଟ୍‌ ସିଷ୍ଟମ୍ (ଆର୍‌ଟିଜିଏସ୍‌) ଡିସେମ୍ବର ୧୪ ରାତି ସାଢ଼େ ୧୨ଟାରୁ ଚବିଶ ଘଣ୍ଟା ଉପଲବ୍ଧ ହୋଇଛି। ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହା ସହିତ ବିଶ୍ବର କିଛି ହାତଗଣତି ଦେଶର ତାଲିକାରେ ଭାରତର ନାମ ଯୋଡ଼ି ହୋଇଛି। ଆର୍‌ଟିଜିଏସ୍‌ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଅକ୍ଟୋବରରେ ଘୋଷଣା କରାଯାଇଥିଲା। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଶ୍ରୀ ଦାସ ରିଜର୍ଭ ବ୍ୟାଙ୍କ, ଆଇଏଫ୍‌ଟିଏଏସ୍‌ ଓ ଅନ୍ୟ ସେବା ପ୍ରଦାନକାରୀ ସହଯୋଗୀଙ୍କ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି।

ଆର୍‌ଟିଜିଏସ୍‌କୁ ୨୦୦୪ ମାର୍ଚ୍ଚ ୨୬ରେ ଆରମ୍ଭ କରାଯାଇଥିଲା। ସେହି ସମୟରେ ମାତ୍ର ଚାରିଟି ବ୍ୟାଙ୍କକୁ ନେଇ ଏହା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ବ୍ୟବସ୍ଥା ସହ ୨୩୭ଟି ବ୍ୟାଙ୍କ ଯୋଡ଼ି ହୋଇଥିବା ବେଳେ ଦୈନିକ ୪.୧୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ୬.୩୫ ଲକ୍ଷ କାରବାର ହେଉଛି। ମୋଟା ଅଙ୍କର କାରବାର ଲାଗି ଆର୍‌ଟିଜିଏସ୍‌କୁ ବ୍ୟବହାର କରାଯାଇଥାଏ। ଅତି କମ୍‌ରେ କାରବାର ପରିମାଣ ଦୁଇ ଲକ୍ଷ ଟଙ୍କା ହେବା ଦରକାର। ଆର୍‌ଟିଜିଏସ୍‌ ଚବିଶ ଘଣ୍ଟା ଉପଲବ୍ଧ ହେବା ପରେ ବ୍ୟାବସାୟିକ, ବାଣିଜ୍ୟ ଓ ଆର୍ଥିକ ସଂସ୍ଥା ଏବଂ ସୀମାପାର ପାଣ୍ଠି ସ୍ଥାନାନ୍ତର କରୁଥିବା ସଂସ୍ଥା ଓ ବ୍ୟକ୍ତିମାନେ ଉପକୃତ ହେବେ। କମ୍ ମୂଲ୍ୟର ପାଣ୍ଠି ହସ୍ତାନ୍ତର ପାଇଁ ବ୍ୟବହାର କରାଯାଉଥିବା ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ବହୁ ପୂର୍ବରୁ ୨୪ ଘଣ୍ଟା ଘଣ୍ଟା ଉପଲବ୍ଧ ହେଉଛି। ଉଭୟ ଏନ୍‌ଇଏଫ୍‌ଟି ଓ ଆରଟିଜିଏସ୍‌ କାରବାରରେ କୌଣସି ଶୁଳ୍କ ଲାଗୁ କରାଯାଇନାହିଁ।

ସମ୍ବନ୍ଧିତ ଖବର