ଭୁବନେଶ୍ବର: ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ଗୁଡ଼ିକ ଟିକସ ଓ ଜରିମାନା ଆଦାୟ କରିବା ଉପରେ ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ସେମାନଙ୍କ ଅବହେଳା ପାଇଁ ୪.୬୪ କୋଟି ଟଙ୍କାର ଟିକସ ଓ ୯.୨୮ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇପାରିନାହିଁ। ମୋଟ ଉପରେ ଆର୍‌ଟିଓଗୁଡ଼ିକ ୧୩.୯୨ କୋଟି ଟଙ୍କା ଆଦାୟ କରିପାରିନାହାନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅଡିଟ୍‌ କରିବା ବେଳେ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ଆର୍‌ଟିଓମାନଙ୍କ ଏହି ବିଫଳତାକୁ ଧରିଛନ୍ତି। ସିଏଜି ଅଡିଟ୍‌ ବେଳେ ରାଜ୍ୟର ୩୫ଟି ଆର୍‌ଟିଓ ମଧ୍ୟରୁ ୨୬ଟି ଆର୍‌ଟିଓର ୨୦୨୦ ଡିସେମ୍ବରରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ତଥ୍ୟକୁ ଅନୁଶୀଳନ କରିଥିଲେ। ବାହନ ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଥିଲା ଯେ ୧୬ଟି ଆର୍‌ଟିଓରେ ପଞ୍ଜୀକୃତ ହୋଇଥିବା ୧,୬୩,୮୦୦ଟି ମାଲବାହୀ ଗାଡ଼ି ମଧ୍ୟରୁ ୩୦୮୧ ଗାଡ଼ିର ମାଲିକ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ପଇଠ କରିନାହାନ୍ତି। ଆର୍‌ଟିଓ ପାଖରେ ଥିବା ମାନୁଆଲ୍ ରେଜିଷ୍ଟର୍‌ ସହିତ ବାହନ ତଥ୍ୟକୁ ମିଳାଇବା ପରେ ଜଣାପଡ଼ିଥିଲା ଯେ ଏହି ଗାଡ଼ିଗୁଡ଼ିକୁ କୌଣସି ଛାଡ଼ ସୁବିଧା ମଧ୍ୟ ପ୍ରଦାନ କରାଯାଇନାହିଁ। ଏହି ଗାଡ଼ିଗୁଡ଼ିକରୁ ମୋଟ ୧୩.୯୨ କୋଟି ଟଙ୍କାର ଟିକସ ଓ ଜରିମାନା ଆଦାୟ କରିବାର ସୁଯୋଗ ଥିଲା ବୋଲି ସିଏଜି କହିଛନ୍ତି।

Advertisment

ଅଡିଟ୍‌ ବେଳେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି। ବାହନ ସଫ୍ଟୱେର୍‌ରେ ଖିଲାପିଙ୍କ ତାଲିକା ସୃଷ୍ଟି କରିବାର ସୁବିଧା ଥିଲେ ମଧ୍ୟ, ସମ୍ପୃକ୍ତ ଆର୍‌ଟିଓଗୁଡ଼ିକ ଖିଲାପି ଗାଡ଼ି ମାଲିକଙ୍କୁ କୌଣସି ନୋଟିସ୍ ପଠାଇ ନଥିଲେ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେବେ ଖିଲାପିଙ୍କୁ ଶୀଘ୍ର ନୋଟିସ୍ ପଠାଯିବ ବୋଲି ଆର୍‌ଟିଓଗୁଡ଼ିକ ସିଏଜିଙ୍କୁ ଅବଗତ କରିଛନ୍ତି।

ସିଏଜି ଆର୍‌ଟିଓଗୁଡ଼ିକର ଧରିଥିବା ଆଉ ଏକ ତ୍ରୁଟି ହେଉଛି ଗାଡ଼ିଗୁଡ଼ିକରୁ କମ୍ ଟିକସ ସଂଗ୍ରହ କରିବା। ଗାଡ଼ି ମୂଲ୍ୟର ଏକ ନିର୍ଦ୍ଦିଷ୍ଟ ଭାଗକୁ ଟିକସ ଆକାରରେ ସଂଗ୍ରହ କରିବା ଲାଗି ଓଡ଼ିଶା ମୋଟର ଯାନ ଟିକସ (ଓଏମ୍‌ଭିଟି) ନିୟମ ୧୯୭୫ରେ ବ୍ୟବସ୍ଥା ରହିଛି। ସେଥିରେ ୨୦୧୭ରେ ଏକ ସଂଶୋଧନ ହୋଇଥିଲା, ଯେଉଁଥିରେ ଟିକସ ହାରକୁ ବୃଦ୍ଧି କରାଯାଇଥିଲା। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତର ଗାଡ଼ି ପଞ୍ଜୀକରଣ ତଥ୍ୟକୁ ଅନୁଶୀଳନ କରିବା ବେଳେ ସିଏଜି ଜାଣିବାକୁ ପାଇଥିଲେ ଯେ ଏହି ସମୟରେ ୨୫ଟି ଆର୍‌ଟିଓରେ ୧୨,୨୮,୨୭୬ ଗାଡ଼ି ବ୍ୟକ୍ତିଗତ ବ୍ୟବହାର ଲାଗି ପଞ୍ଜୀକରଣ ହୋଇଥିଲା। ସେଥିରେ କାର୍‌, ମୋଟରସାଇକଲ୍ ଓ ମୋପେଡ୍ ଭଳି ଗାଡ଼ି ରହିଛି। ସେଥିରୁ ୪୩୭୮ଟି ଗାଡ଼ିରୁ ବର୍ଦ୍ଧିତ ହାର ବଦଳରେ କମ୍ ଟିକସ ସଂଗ୍ରହ କରାଯାଇଥିଲା। ଗାଡ଼ିର ପଞ୍ଜୀକରଣକୁ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରିବା ପୂର୍ବରୁ କେତେ ଟିକସ ସଂଗ୍ରହ କରାଯାଇଛି ତାହାକୁ ଆର୍‌ଟିଓଗୁଡ଼ିକ ଯାଞ୍ଚ କରିନଥିଲେ। ଯାହା ଫଳରେ ୧.୧୬ କୋଟି ଟଙ୍କାର ଟିକସ ଓ ୨୩.୨୬ ଲକ୍ଷ ଟଙ୍କାର ଜରିମାନା ସଂଗ୍ରହ ହୋଇପାରିନଥିଲା।