ଅନ୍‌ଲାଇନ୍‌ରେ ଆର୍‌ଟିଓ ସେବା, ୧୮ ପ୍ରକାର ସେବା ଘରେ ବସି ମିଳିବ

ଆଧାର ସାହାଯ୍ୟରେ କରାଯାଇପାରିବ, ସଡ଼କ ଓ ପରିବହନ ମନ୍ତ୍ରାଳୟର ବିଜ୍ଞପ୍ତି

ନୂଆଦିଲ୍ଲୀ: ଗାଡ଼ି ସଂକ୍ରାନ୍ତ ଅନେକ କାର୍ଯ୍ୟ ଏବେ ଅନ୍‌ଲାଇନ୍‌ରେ ହୋଇଯିବ। ଏଥିପାଇଁ ଆଉ ଲୋକମାନଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆର୍‌ଟିଓ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଘରେ ବସି ଆଧାରକାର୍ଡ ଅଥେଣ୍ଟିକେସନ୍‌ ମାଧ୍ୟମରେ ଲୋକମାନେ ଏସବୁ ସେବା ପାଇପାରିବେ। ଏଗୁଡ଼ିକ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ(ଯେଉଁ ଗାଡ଼ି ପାଇଁ ଦକ୍ଷତା ଯାଞ୍ଚ ଅନାବଶ୍ୟକ), ଗାଡ଼ି ପଞ୍ଜୀକରଣ, ଲର୍ନର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସରେ ଠିକଣା ପରିବର୍ତ୍ତନ, ଲାଇସେନ୍ସରୁ ଗାଡ଼ିର ବର୍ଗକୁ ସରେଣ୍ଡର, ଗାଡ଼ିର ଅସ୍ଥାୟୀ ପଞ୍ଜୀକରଣ, ଡୁପ୍ଲିକେଟ୍ ପଞ୍ଜୀକରଣ ପ୍ରମାଣପତ୍ର, ଗାଡ଼ିର ମାଲିକାନା ପରିବର୍ତ୍ତନ, ହାୟାର-ପ‌ର୍ଚେଜ ରାଜିନାମାକୁ ସ୍ବୀକୃତି କିମ୍ବା ରଦ୍ଦ, ଅନ୍ତର୍ଜାତୀୟ ଡ୍ରାଇଭିଂ ପର୍‌ମିଟ ଆଦି ୧୮ ପ୍ରକାରର ସେବା ରହିଛି।

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଏହି ସୁବିଧା ଦ୍ବାରା ନାଗରିକମାନଙ୍କୁ ଗାଡ଼ି ସଂପର୍କିତ ସେବା ପାଇଁ ଆରଟିଓରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କୌଣସି କର୍ମଚାରୀଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ଏହି ସୁବିଧା ଗୁଡ଼ିକ ଆର୍‌ଟିଓ କାର୍ଯ୍ୟାଳୟର ସେବା ପ୍ରଦାନ ମାନରେ ଉନ୍ନତି ଆଣିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଧାର ନଥିବା ବ୍ୟକ୍ତିମାନେ ଆଧାର ଏନ୍‌ରୋଲମେଣ୍ଟ ନମ୍ବର ମାଧ୍ୟମରେ ଏହି ସୁବିଧା ପାଇପାରିବେ। ଲୋକମାନଙ୍କୁ ବିଭିନ୍ନ ସେବା ପାଇଁ ଆର୍‌ଟିଓ କାର୍ଯ୍ୟାଳୟରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଏହା ସେସବୁ ଅସୁବିଧାକୁ ଦୂର କରିବ।

ସମ୍ବନ୍ଧିତ ଖବର