୪୫ତମ ରୁଚି ପ୍ରତିଷ୍ଠା ଦିବସ : ନିଷ୍ଠା, ସାଧନା ଓ ସାଧୁତା: ସଫଳତାର ଶ୍ରେଷ୍ଠ ସୂତ୍ର

ଡକ୍ଟର ଶରତ କୁମାର ସାହୁ

ଆଜିକୁ ୪୫ ବର୍ଷତଳେ ରଥଯାତ୍ରା ଭଳି ଏକ ପବିତ୍ର ତିଥିରେ ଜନ୍ମ ନେଇଥିଲା – ଓଡ଼ିଶା ଶିଳ୍ପଜଗତର ଏକ ନୂଆ ସମ୍ଭାବନା ‘ରୁଚି’। କଟକର ମଧୁପାଟଣା ଶିଳ୍ପାଚଂଳ – ଯାହା ଦିନେ ଉତ୍କଳଗୌରବ ମଧୁବାବୁଙ୍କ ପୁଣ୍ୟସ୍ମୃତିରେ ହୋଇ ଉଠିଥିଲା ସ୍ମରଣୀୟ, ସେହି ଭୂମିରେ ନିଜ ଜନ୍ମଜାତକର ଅୟମାରମ୍ଭ କରିଥିଲା ଏଇ ଅନୁଷ୍ଠାନ। ଆଜି ତା’ର ୪୫ତମ ଶୁଭ ସ୍ବନକ୍ଷତ୍ର ପାଳନ କରୁଛି ଭାରତୀୟ ଶିଳ୍ପ ସମ୍ରାଜ୍ୟର ଏଇ ସମୃଦ୍ଧ ଓ ବିକଶିତ ଉଦ୍ୟୋଗଟି। ଓଡ଼ିଶାର ପୁରପଲ୍ଲୀଠାରୁ ଭାରତର ଊଣାଅଧିକ ମହାନଗରୀରେ ‘ରୁଚି’ର ଉପସ୍ଥିତି ଆଜି ବେଶ୍ ଉତ୍ସାହଜନକ। ଆମ ରାଜ୍ୟର ପ୍ରତିଟି ରୋଷେଇଘରେ ‘ରୁଚି’ ମସଲାର ମହକ। ଆଉ ଏହି ମହକ ପଛର କୁହୁକଟି ହେଉଛି କୋଟି କୋଟି ଓଡ଼ିଆଙ୍କ ସ୍ନେହ-ଶ୍ରଦ୍ଧା ଓ ଭଲପାଇବା।

ବିଶ୍ୱ ଦରବାରରେ ପୂର୍ବରୁ ଓଡ଼ିଶାର ପରିଚୟ ଥିଲା ସୀମିତ। କିନ୍ତୁ ଉତ୍କର୍ଷ କଳା, ସଂସ୍କୃତି, ବିକାଶ ଓ ପ୍ରଗତିକାମୀ ଏଇ ରାଜ୍ୟର ପରିଚୟ ଏବେ ବିଶ୍ୱ ଦରବାରରେ ବେଶ୍ ଚର୍ଚ୍ଚିତ। ଓଡ଼ିଶାର ଶୈଳ୍ପିକ ପରିବେଶ ଏବେ ସୃଷ୍ଟି କରିଛି ନୂଆ ସଂକଳ୍ପ ଓ ସଂଭାବନା। ୧୯୭୬ ମସିହାର ଆଜିର ଶୁଭଦିନରେ ମୁଁ, ମୋର ବାପା ସ୍ବର୍ଗତ ବନମାଳୀ ସାହୁ ଓ ବ୍ରହ୍ମପୁର ଅଂଚଳର ଜଣେ କର୍ମଠ ଯୁବକଙ୍କୁ ନେଇ ଏକ ଛୋଟିଆ ସେଡ୍‌ରେ ଆରମ୍ଭ କରିଥିଲୁ ଆମର ଛୋଟିଆ ଆଶା ଓ ସଂଭାବନାକୁ। ଆଜି ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏହା ପରିଣତ ହୋଇଛି ଓଡ଼ିଶା ଶିଳ୍ପ ଓ ଉଦ୍ୟୋଗ ଜଗତର ଏକ ମହାଦ୍ରୁମରେ। ଆଜି ଆମେ ଯେଉଁଠି ପହଂଚିଛୁ – ତା’ ମୂଳରେ ରହିଛି ମଣିଷ ଜୀବନର ସୁନ୍ଦର ମୂଲ୍ୟବୋଧରୁ କିଛି – ନିଷ୍ଠା, ସାଧନା ଓ ସାଧୁତା। ଏସବୁକୁ ସାଥୀରେ ଧରି ଶୁଦ୍ଧତା ଓ ଗୁଣବତ୍ତାକୁ ନେଇ ରୁଚି ଓଡ଼ିଶାର ପ୍ରତିଟି ରୋଷେଇଘରେ ତା’ର ସୁଗନ୍ଧ ସୁରଭିତ ପସରା ମେଲି ଦେଇଛି। ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରର ବିକାଶକୁ ନେଇ ଏଇ ଅଳ୍ପ କେଇ ବର୍ଷତଳୁ ପ୍ରୟାସ ଆରମ୍ଭ ହୋଇଥିଲା ବେଳେ ଆମେ ଏହି କ୍ଷେତ୍ରକୁ ନିଜସ୍ବ ଗବେଷଣା ଏବଂ ପ୍ରଚେଷ୍ଟା ଜରିଆରେ ବହୁ ପୂର୍ବରୁ ପହଂଚିଛୁ। ଉନ୍ନତମାନର ଗବେଷଣା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ରୁଚି ନିଜର ଉତ୍ପାଦିତ ସାମଗ୍ରୀର ବଜାର ଚାହିଦାକୁ ମେଂଟାଇବାରେ ସମର୍ଥ ହୋଇଛି। ଆଜି ଯଦି ଓଡ଼ିଶା ସମେତ ପୂର୍ବଭାରତରେ ‘ରୁଚି’ ମସଲା ଜଗତର ଏକ ଶୀର୍ଷ ବ୍ରାଣ୍ଡରେ ପରିଣତ ହୋଇଥାଏ- ତା’ ପଛରେ ରହିଛି ଅଗଣିତ ଖାଉଟିଙ୍କ ଆମ ପ୍ରତି ଅସୀମ ବିଶ୍ୱାସନୀୟତା ଓ ସେମାନଙ୍କର ଆଶୀର୍ବାଦ। ଏମାନଙ୍କ ସହିତ ଆମର ଔଦ୍ୟୋଗିକ ସହଯୋଗୀମାନେ, ଡିଲର, ରିଟେଲରବନ୍ଧୁ, ଆମର ଶୁଭେଚ୍ଛୁ ଏବଂ ଆମ କର୍ମଚାରୀମାନେ ହୋଇଛନ୍ତି, ଆମ ପ୍ରଗତି ରଥର ସାଥୀ ଓ ସାରଥୀ। ଆମ ସହିତ ସୁଖଦୁଃଖରେ ସାମିଲ ହୋଇଥିବା ଏଇ କୋଟି କୋଟି ଗ୍ରାହକ ହେଉଛନ୍ତି ପ୍ରକୃତରେ ଆମପାଇଁ ଭଗବାନ। ଅସୀମ ଭଲପାଇବାର ଛୁଆଁରେ ସେମାନେ ‘ରୁଚି’କୁ କରିଛନ୍ତି ମହକିତ, ବିଶ୍ୱ ବଜାରରେ ଗର୍ବିତ କରିଛନ୍ତି ‘ରୁଚି’ର ପରିଚୟକୁ। ସେହି କୋଟି ଓଡ଼ିଆଙ୍କ ପ୍ରାଣର ସ୍ପନ୍ଦନ ଭାବେ ‘ରୁଚି’ ସବୁବେଳେ ସମର୍ପିତ ଭାବେ କାର୍ଯ୍ୟ କରିଚାଲିଛି। ରୁଚି କେବଳ ମସଲା, ସିମେଇ ବା ଫ୍ରୋଜନଫୁଡ୍ସ ଉତ୍ପାଦନ, ବିପଣନ କରୁଥିବା ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନୁହେଁ- ଏହା ନିଜର ଉନ୍ନତମାନ, ଗୁଣାତ୍ମକ ପଦ୍ଧତି ଓ ଉଚ୍ଚ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ଏକ ଜନକଲ୍ୟାଣକାରୀ ଅନୁଷ୍ଠାନ। ଏହି ଉଦ୍ୟୋଗ ନିଜ ଖାଉଟିମାନଙ୍କ ସ୍ବାର୍ଥରକ୍ଷା ପାଇଁ ଯେତିକି ଯତ୍ନଶୀଳ ନିଜ କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ମଧ୍ୟ ଅଧିକ ପ୍ରତିବଦ୍ଧ। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଖାଉଟିମାନଙ୍କ ସ୍ବାର୍ଥରକ୍ଷା ଓ ସେମାନଙ୍କ ମଙ୍ଗଳ ପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛି ରୁଚି ଉଦ୍ୟୋଗ।

ବର୍ତ୍ତମାନର କରୋନା ମହାମାରୀ ଜନିତ ସମସ୍ୟାରେ ସାରା ଦେଶ ଜର୍ଜରିତ ଏବଂ ଆକ୍ରାନ୍ତ। କିନ୍ତୁ ଏଭଳି ବିପତ୍ତିକାଳରେ ରୁଚି ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ କୋଷକୁ ଅର୍ଥରାଶି ଦାନ ସହ ରାଜ୍ୟ ଏବଂ ରାଜ୍ୟ ବାହାରେ ପୀଡ଼ିତ ଓ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆମାନଙ୍କୁ ସେବା, ସହଯୋଗ ଓ ସହାୟତାର ହାତ ବଢ଼ାଇଛି।

ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଦେଶ ବିଦେଶ ପରିଦର୍ଶନ କରି ନିଜର ଦୀର୍ଘ ଅଭିଜ୍ଞତାରୁ କହୁଛି ଯେ- ଓଡ଼ିଶା ମାଟିରେ ସଫଳତା ପାଇଁ ସୁଯୋଗ ଓ ସମ୍ଭାବନାର ଯେଉଁ ପ୍ରାଣପ୍ରାଚୁର୍ଯ୍ୟ ଅଛି, ତାହା ବିଶ୍ୱରେ ଅନ୍ୟତ୍ର କେଉଁଠି ନାହିଁ। କେବଳ ଶିଳ୍ପ କି ଉଦ୍ୟୋଗ କ୍ଷେତ୍ର ନୁହେଁ – ସବୁ ସାମାଜିକ ଓ ମାନବୀୟ ଜୀବନକ୍ଷେତ୍ରକୁ ଆମେ ଏକ ବୃହତ୍ତର କଲ୍ୟାଣକାରୀ ଆଭିମୁଖ୍ୟରେ ପରିଣତ କରିପାରିଲେ – ତାହା ହେବ ମଣିଷ ସମାଜ ପାଇଁ ଏକ ଅନୁପମ ଉପଲବ୍ଧି । ଆଜିର ଏହି ଶୁଭଦିନରେ ମୁଁ ସାରା ଓଡ଼ିଶାର ଅଗଣିତ ଶୁଭେଚ୍ଛୁଙ୍କୁ ଜଣାଉଛି ମୋର ହୃଦୟଭରା ଶୁଭକାମନା।

ପରିଚାଳନା ନିର୍ଦ୍ଦେଶକ
ରୁଚି ଉଦ୍ୟୋଗ, କଟକ-୧୦

ସମ୍ବନ୍ଧିତ ଖବର