ସେନା ପରିବହନ ବିମାନ କାରଖାନାର ଶିଳାନ୍ୟାସ

ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବ: ମୋଦୀ

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀ ପାଇଁ ଗୁଜରାଟର ଭଦୋଦରାରେ ସି-୨୯୫ ବିମାନ ନିର୍ମାଣ ହେବ। ଟାଟା ଏବଂ ଏୟାରବସ୍‌ ପକ୍ଷରୁ ମିଳିତ ଭାବେ ହେବାକୁ ଥିବା ଏହି କାରଖାନାର ଶିଳାନ୍ୟାସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ଏହି କାରଖାନାରୁ ପରିବହନ ବିମାନ ଉତ୍ପାଦନ ଆରମ୍ଭ ହେଲେ ଭାରତ ବିଶ୍ବର କେତୋଟି ମୁଷ୍ଟିମେୟ ଦେଶ ତାଲିକାରେ ସାମିଲ ହେବ ଯେଉଁମାନଙ୍କ ପାଖରେ ଏଭଳି ବିମାନ ନିର୍ମାଣ କ୍ଷମତା ରହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ବର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ତେଣୁ ଖୁବଶୀଘ୍ର ଭାରତ ଯାତ୍ରୀବାହୀ ବିମାନ ମଧ୍ୟ ବିଶ୍ବ ପାଇଁ ନିର୍ମାଣ କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ପ୍ରଥମ ଥର ପାଇଁ ଭାରତରେ ସାମରିକ ବିମାନ ଏକ ଘରୋଇ କମ୍ପାନି ଦ୍ବାରା ନିର୍ମାଣ ହେବାକୁ ଯାଉଛି। ଉକ୍ତ କାରଖାନା ଭାରତୀୟ ବାୟୁସେନାର ଅତିରିକ୍ତ ଚାହିଦା ପୂରଣ ସହିତ ବିଶ୍ବକୁ ଉଚ୍ଚମାନର ପରିବହନ ବିମାନ ରପ୍ତାନି କରିବାରେ ସମର୍ଥ ହେବ।
ଉଲ୍ଳେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଭାରତ ଏୟାରବସ୍ ଡିଫେନ୍ସ ଆଣ୍ଡ୍ ସ୍ପେସ ସହିତ ୨୧୯୩୫ କୋଟି ଟଙ୍କାର ଏକ ରାଜିନାମା କରିଥିଲା। ରାଜିନାମା ଅନୁଯାୟୀ, ଏହି କମ୍ପାନିଠାରୁ ଭାରତ ୫୬ଟି ସି-୨୯୫ ବିମାନ ସଂଗ୍ରହ କରିବ। ଭାରତୀୟ ବାୟୁସେନାରେ ବ୍ୟବହୃତ ହେଉଥିବା ୬୦ ଦଶକର ଏଭ୍ରୋ-୭୪୮ ବିମାନ ସ୍ଥାନ ସି-୨୯୫ ନେବ। ରାଜିନାମା ଅନୁଯାୟୀ, ଏୟାରବସ ୧୬ଟି ବିମାନ ସ୍ପେନର ସେଭିଲେ କାରଖାନାରେ ନିର୍ମାଣ କରି ୪ ବର୍ଷ ମଧ୍ୟରେ ଯୋଗାଇ ଦେବ। ଅବଶିଷ୍ଟ ୪୦ଟି ବିମାନ ଟାଟା ଆଡଭାନ୍ସଡ ସିଷ୍ଟମ୍ସ ଲିମିଟେଡର ମିଳିତ ସହଯୋଗରେ ଭାରତର ଏହି କାରଖାନାରେ ନିର୍ମାଣ ହେବ। ଭାରତୀୟ କାରଖାନାରୁ ପ୍ରଥମ ବିମାନ ୨୦୨୬ ସେପ୍ଟେମ୍ବରରେ ନିର୍ମାଣ ହୋଇ ବାହାରିବ। ଅବଶିଷ୍ଟ ୩୯ଟି ବିମାନ ୨୦୩୧ ଅଗଷ୍ଟ ସୁଦ୍ଧା ନିର୍ମାଣ ହେବ।

ପ୍ରଥମ ଥର ପାଇଁ ୟୁରୋପ ବାହାରେ ସି-୨୯୫ ବିମାନ ନିର୍ମାଣ ହେଉଛି। ଭାରତକୁ ୫୬ଟି ଏୟାରକ୍ରାଫ୍ଟ ମିଳିସାରିବା ପରେ ଏୟାରବସ୍‌କୁ ଅନ୍ୟ ଘରୋଇ ସଂସ୍ଥା ଏବଂ ବିଦେଶକୁ ରପ୍ତାନି କରିବାର ସୁଯୋଗ ମିଳିବ। ଅବଶ୍ୟ ଏଥିପାଇଁ ଭାରତ ସରକାରଙ୍କ ମଞ୍ଜୁରି ଆବଶ୍ୟକ। ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କ କହିବାନୁଯାୟୀ, ଏହି କାରଖାନାରେ ଉତ୍ପାଦନ ହେବାକୁ ଥିବା ବିମାନରେ ୯୬ ପ୍ରତିଶତ ଜିନିଷ ବ୍ୟବହୃତ ହେବ। ଉକ୍ତ ପ୍ରକଳ୍ପ ଜରିଆରେ ୬୦୦ ଉଚ୍ଚକୁଶଳୀ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିସହିତ ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର