ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମିଥ୍ୟା ଖବର ଓ ଗୁଜବ ପ୍ରଚାର କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି। ପାକିସ୍ତାନର କିଛି ଡିଜିଟାଲ୍ ହ୍ୟାଣ୍ଡେଲ୍‌ ସୋସିଆଲ୍ ମିଡିଆ ଓ ହ୍ବାଟସ୍‌ଆପ୍ ମେସେଜ୍‌ ଜରିଆରେ ମିଛ ଖବର ପ୍ରଚାର କରୁଛନ୍ତି। ସେଭଳି ଦୁଇଟି ପ୍ରମୁଖ ଗୁଜବ ହେଉଛି ଏଟିଏମ୍‌ରେ ଟଙ୍କା ନଥିବା ଓ ତେଲ ଓ ଏଲ୍‌ପିଜି ଶୀଘ୍ର ସରିଯିବ। ଉଭୟ ଖବରକୁ ସରକାର ଦୃଢ଼ ଭାବେ ଖଣ୍ଡନ କରିଥିବା ବେଳେ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଯୁଦ୍ଧକୁ ନେଇ ଲୋକମାନଙ୍କ ମନରେ ଭୟ ସୃ‌ଷ୍ଟି କରିବାକୁ ହୀନ ଚକ୍ରାନ୍ତ ଚାଲିଛି। ଏଟିଏମ୍‌ ୨-୩ ଦିନ ବନ୍ଦ ରହିବ ବୋଲି ହ୍ବାଟସ୍‌ଆପ୍‌ରେ ଚ‌ାଲିଥିବା ପ୍ରଚାର ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Advertisment

ଏଟିଏମ୍ ଠିକ୍‌ ଚାଲିଛି: ବ୍ୟାଙ୍କ
ତେଲ, ଏଲ୍‌ପିଜିର ଅଭାବ ନାହିଁ: ତୈଳ କମ୍ପାନି

ଏଟିଏମ୍‌ରେ ଟଙ୍କା ରହିଛି। ତାହା ସ୍ବାଭାବିକ ଭାବେ କାମ କରୁଛି ବୋଲି ବ୍ୟାଙ୍କଗୁଡ଼ିକ ସ୍ପଷ୍ଟ କରିଛନ୍ତି। ଏଟିଏମ୍‌କୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି, ସେହି ମେସେଜ୍‌କୁ ପ୍ରଥମେ ନିଜେ ଯାଞ୍ଚ କରିବା ପରେ ଅନ୍ୟମାନଙ୍କ ପାଖକୁ ପଠାଇବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ମନରେ ଭୟ ସୃଷ୍ଟି କରି ସେମାନଙ୍କୁ ଏଟିଏମ୍ ଓ ବ୍ୟାଙ୍କ ସାମ୍ନାରେ ଲମ୍ବା ଧାଡ଼ି‌ରେ ଠିଆ କରାଇବାର ଚକ୍ରାନ୍ତ ଚାଲିଛି। ଯୁଦ୍ଧ ଭଳି ସ୍ଥିତି ଲାଗିରହିଥିବା ଦର୍ଶାଇବା ଲାଗି ପାକିସ୍ତାନ ପଟୁ ଡିଜିଟାଲ୍ ମାଧ୍ୟମରେ ଏଭଳି ମିଥ୍ୟା ଗୁଜବ ପ୍ରଚାର କରାଯାଉଛି। ଏହି ଗୁଜବ ପରେ ଦେଶର ପ୍ରମୁଖ ବ୍ୟାଙ୍କ ଯଥା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି ଯେ ଏଟିଏମ୍‌କୁ ନେଇ କୌଣସି ସମସ୍ୟା ନାହିଁ। ସେଗୁଡ଼ିକ ଠିକ୍‌ ଭାବେ ଚାଲିଛି। ବ୍ୟାଙ୍କ ଅଫ୍‌ ବରୋଦା, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ମଧ୍ୟ ସମାନ ସୂଚନା ଦେଇଛନ୍ତି। 

ଦେଶର ପ୍ରମୁଖ ତୈଳ କମ୍ପାନି ଭାରତୀୟ ତୈଳ ନିଗମ ସ୍ପଷ୍ଟ କରିଛନ୍ତି ଯେ ଭୟରେ ତେଲ କିମ୍ବା ଏଲ୍‌ପିଜି କିଣିବାର କୌଣସି କାରଣ ନାହିଁ। ଦେଶର ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ ପରିମାଣର ତେଲ ଓ ଏଲ୍‌ପିଜି ରହିଛି। ସୋସିଆଲ୍‌ ମିଡିଆରେ ତେଲ ଓ ଏଲ୍‌ପିଜିକୁ ନେଇ ବିଭିନ୍ନ ପ୍ରକାର ମିଛ ଭିଡିଓ ଓ ଫଟୋ ପ୍ରଚାର ହେବା ପରେ କମ୍ପାନି ଏହି ସ୍ପଷ୍ଟୀକରଣ ଦେଇଛି। ପେ‌ଟ୍ରୋଲ୍‌ ପମ୍ପ୍‌ରେ ଅଯଥାରେ ଭିଡ଼ ନ କରିବା ଓ ଶାନ୍ତ ରହିବାକୁ କମ୍ପାନି ଲୋକମାନଙ୍କୁ ପରାମର୍ଶ ଦେଇଛି। ଏହା ଫଳରେ କମ୍ପାନି ସ୍ବାଭାବିକ ଓ ନିରବଚ୍ଛିନ୍ନ ଭାବେ ସମସ୍ତଙ୍କୁ ‌ତେଲ ଯୋଗାଇପାରିବ ବୋଲି କହିଛି।