ଭୁବନେଶ୍ବର: ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ବ୍ୟାପକ ବୃଦ୍ଧି ହୋଇଛି। ଅକ୍ଟୋବର ମାସର ୬ରୁ ୧୧ ତାରିଖ ମଧ୍ୟରେ ରୁପା ଦାମ୍‌ରେ ୧୯ ହଜାର ଟଙ୍କାର ବୃଦ୍ଧି ଘଟିଛି। ଫଳରେ ରୁପା କେଜି ୧,୯୦,୦୦୦ ଟଙ୍କା ଭଳି ରେକର୍ଡ ସ୍ତରରେ ପହଞ୍ଚିଯାଇଛି। କେବଳ ରୁପା ନୁହେଁ, ସୁନା ବି ମହଙ୍ଗା ହୋଇଛି। ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୫୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ଦାମ୍ ୬୧୨୦ ଟଙ୍କା ବଢ଼ିଛି।

Advertisment

ବଜାର ତଥ୍ୟ ଅନୁଯାୟୀ ଚଳିତ ମାସ ୫ରେ ରୁପା କେଜି ଦାମ୍‌ ୧,୬୫,୦୦୦ ଟଙ୍କା ଥିଲା। ଏହାପରେ ସେଥିରେ ଲଗାତାର ପାଞ୍ଚଦିନ ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। ୯ ଓ ୧୦ ତାରିଖରେ ଦାମ୍ ୭୦୦୦ ଟଙ୍କା ଲେଖାଏଁ ବଢ଼ିଥିଲା। କେବଳ ଏହି ଦୁଇଦିନରେ ରୁପା ଦର ୧୪ହଜାର ଟଙ୍କା ବଢ଼ିଥିଲା। ‌ଯଦି ଆସନ୍ତା ସପ୍ତାହରେ ଦରବୃଦ୍ଧିର ସେହି ଧାରା ଜାରି ରହିବ ତେବେ ଭୁବନେଶ୍ବରରେ ରୁପା କେଜି ୨ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିବା ଆଶଙ୍କାକୁ ଅସ୍ବୀକାର କରିହେବ ନାହିଁ। ୨୨ କ୍ୟାରେଟ୍‌ ସୁନା ଦର ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ ଚଳିତ ମାସ ୫ରେ ଏହାର ଦାମ୍ ଭୁବନେଶ୍ବରରେ ୧,୦୯,୪୫୦ ଟଙ୍କା ଥିଲା। ସପ୍ତାହ ସାରା ଏହାର ଦାମ୍ ବଢ଼ିଥିଲା। ଫଳରେ ଅକ୍ଟୋବର ୧୨ ତାରିଖରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧,୧୪,୬୫୦ ଟଙ୍କାରେ ପହଞ୍ଚିଥିଲା। ସେହିପରି, ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ଚଳିତ ମାସ ୫ ତାରିଖରେ ୧,୧୯,୪୦୦ ଟଙ୍କା ଥିଲା। ଅକ୍ଟୋବର ୧୨ ସୁଦ୍ଧା ସେହି ଦର ୧,୨୫,୦୮୦ ଟଙ୍କାକୁ ବୃଦ୍ଧି ପାଇଥିଲା।

ସୁନା ଓ ରୁପା ଦରରେ ହେଉଥିବା ବୃଦ୍ଧିର ଅନେକ କାରଣ ରହିଛି। ବିଶେଷଜ୍ଞମାନଙ୍କ କହିବାନୁସାରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ଥିତିରେ ଥିବାରୁ ସୁନା ଆମଦାନୀ ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ପ୍ରଥମ ଥର ୪୦୦୦ ଡଲାରରୁ ଅଧିକ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିରେ ଅନିଶ୍ଚିତତା, ଭୂରାଜନୈତିକ ସଙ୍କଟ ଆଦିକୁ ମଧ୍ୟ ସୁନା ଓ ରୁପା ଦରବୃଦ୍ଧିର ଅନ୍ୟତମ କାରଣ କୁହାଯାଉଛି। ରୁପାକୁ ଶିଳ୍ପ କାରଖାନାଗୁଡ଼ିକରେ ବ୍ୟାପକ ଭାବେ ବ୍ୟବହାର କରାଯାଉଥିବାରୁ ତାହାର ଚାହିଦା ବଢ଼ିବା ସହ ଦର ବଢ଼ୁଛି। ଗତ ସପ୍ତାହରେ ହୋଇଥିବା ଦରବୃଦ୍ଧି ପାଇଁ ଆମେରିକା ସରକାରରେ ସଟ୍‌ଡାଉନ୍‌କୁ ମଧ୍ୟ ଦାୟୀ କରାଯାଉଛି। 

କିଲେ ସୁନାରେ କିଣିହେବ ଲ୍ୟାଣ୍ଡ୍‌ରୋଭର୍‌

ନୂଆଦିଲ୍ଲୀ: ଏକ ସମ୍ପତ୍ତି ଭାବେ ସୁନାର ମୂଲ୍ୟ ବିଗତ ବର୍ଷଗୁଡ଼ିକରେ କିଭଳି ବଢ଼ିଛି ତାହା ଉପରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋଏଙ୍କା ଏକ ଚିତ୍ର ଉପସ୍ଥାପନ କରିଛନ୍ତି। ସୋସିଆଲ୍ ମିଡିଆରେ ସେ ଜଣାଇଛନ୍ତି ଯେ ୧୯୯୦ରେ ଏକ କେଜି ସୁନାର ଦାମ୍ ଯାହା ଥିଲା ତାହା ସେହି ସମୟରେ ଏକ ମାରୁତି ୮୦୦ର ଦାମ୍ ପାଖାପାଖି ଥିଲା। ୨୦୦୦ ବେଳକୁ ୧ କେଜି ସୁନାର ଦାମ୍ ମାରୁତି ଏଷ୍ଟିମ୍‌, ୨୦୦୫ରେ ଟା‌ୟୋଟା ଇନୋଭା, ୨୦୧୦ରେ ଫର୍ଚୁନର୍ ଓ ୨୦୧୯ରେ ବିଏମ୍‌ଡବ୍ଲ୍ୟୁ କାର୍‌ ମୂଲ୍ୟ ପାଖାପାଖି ଥିଲା। ୨୦୨୫ରେ ଏକ କେଜି ସୁନାରେ ବିଳାସପୂର୍ଣ୍ଣ ଲ୍ୟାଣ୍ଡ୍‌ରୋଭର୍ ଗାଡ଼ି କିଣିହେବ ବୋଲି ସେ ଜଣାଇଛନ୍ତି। ସେ ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଯଦି ସୁନା ମୂଲ୍ୟରେ ଏହିଭଳି ବୃଦ୍ଧି ଜାରି ରହିବ ତେବେ ୨୦୩୦ ବେଳକୁ ୧ କେଜି ସୁନାରେ ରୋଲ୍‌ସ ରଏସ୍‌ କାର୍‌ ଏବଂ ୨୦୪୦ ବେଳକୁ ପ୍ରାଇଭେଟ୍ ଜେଟ୍ କିଣିହେବ।