ମୁମ୍ବାଇ : ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି। ଶୁକ୍ରବାର ଦିନ ଟଙ୍କା ମୂଲ୍ୟ ରେକର୍ଡ ୮୨ ଟଙ୍କା ୩୨ ପଇସାରେ ପହଞ୍ଚିଛି। ଗତକାଲି ପ୍ରଥମ ଥର ପାଇଁ ଟଙ୍କା ମୂଲ୍ୟ ୮୨ ତଳକୁ ଖସିଥିଲା।
ଅନ୍ତଃବ୍ୟାଙ୍କ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଟଙ୍କାର କାରବାର ଶୁକ୍ରବାର ଦିନ ୮୨ ଟଙ୍କା ୧୯ ପଇସାରେ ଆରମ୍ଭ ହୋଇଥିଲା। ପରେ ଏହା ୮୨ ଟଙ୍କା ୪୩ ପଇସା ସ୍ତରକୁ ହ୍ରାସ ପାଇଥିଲା। କିନ୍ତୁ ଶେଷବେଳକୁ କାରବାର ୮୨ ଟଙ୍କା ୩୨ ପଇସାରେ ବନ୍ଦ ହୋଇଛି। ଶୁକ୍ରବାର ଟଙ୍କା ମୂଲ୍ୟ ୧୫ ପଇସା ଦୁର୍ବଳ ହୋଇଛି। ଗୁରୁବାର ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୮୨ ଟଙ୍କା ତଳକୁ ଖସିଥିଲା। ବୁଧବାର ତୁଳନାରେ ଗୁରୁବାର ଟଙ୍କା ମୂଲ୍ୟରେ ୫୫ ପଇସା ହ୍ରାସ ଘଟି ୮୨ ଟଙ୍କା ୧୭ ପଇସାରେ ବନ୍ଦ ହୋଇଥିଲା। କ୍ରମାଗତଭାବେ ୪ ସପ୍ତାହ ହେଲା ଟଙ୍କା ମୂଲ୍ୟ କମୁଛି। ମାସକ ମଧ୍ୟରେ ପ୍ରାୟ ୩.୫ ପ୍ରତିଶତ ହ୍ରାସ ଘଟିଛି।
ଚଳିତବର୍ଷ ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଲାଣି, ଯାହାକି ୨୦୧୩ ମସିହାଠାରୁ ଏପର୍ଯ୍ୟନ୍ତ କେବେ ଦେଖାଯାଇ ନଥିଲା। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେଉଥିବାରୁ ଭାରତର ଚିନ୍ତା ବଢ଼ିଯାଇଛି। ଭାରତ ଏହାର ମୋଟ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ଆମଦାନି କରିଥାଏ। ତେଣୁ ତେଲ ଠାରୁ ଆରମ୍ଭ କରି ଔଷଧ ଓ ଅନ୍ୟାନ୍ୟ ଆମଦାନି ସାମଗ୍ରୀର ମୂଲ୍ୟ ବାବଦରେ ଭାରତକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଭାରତୀୟ ଛାତ୍ରଛାତ୍ରୀଙ୍କ ବିଦେଶରେ ପାଠ ପଢ଼ିବା ଖର୍ଚ୍ଚ ମଧ୍ୟ ବଢ଼ିଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/cartoon.jpg)