ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୨ ତଳକୁ ଖସିଲା ଟଙ୍କା : କିପରି ପ୍ରଭାବିତ ହେବେ ସାଧାରଣ ଲୋକେ ?

ମୁମ୍ବାଇ : ଡଲାର ତୁଳନାରେ ଟଙ୍କା ଦିନକୁ ଦିନ ଅଧିକ ଦୁର୍ବଳ ହେବାରେ ଲାଗିଛି । ଶୁକ୍ରବାରଦିନ ଏହା ଆହୁରି ଖସି ପ୍ରଥମ ଥର ପାଇଁ ଡଲାର ପିଛା  ୮୨ .୩୩ ତଳକୁ ଖସିଯାଇଛି । ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବଢାଇବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଡଲାର ସୁଦୃଢ ହେଉଛି । କାରଣ ନିବେଶକମାନେ ଡଲାରରେ ନିବେଶ କରି ଅଧିକ ରିଟର୍ଣ୍ଣ ପାଉଛନ୍ତି । କିନ୍ତୁ ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତିକୁ ଗୋଳମାଳ କରିଦେବାର ଆଶଙ୍କା ରହିଛି ।

ସାଧାରଣ ଲୋକେ କିପରି ପ୍ରଭାବିତ ହେବେ ?

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପେମେଣ୍ଟ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ । ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ ।  ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ପଢୁଛନ୍ତି କିମ୍ବା ବୁଲିବାକୁ ଯାଉଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ଏ ସଂପର୍କରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ଆମଦାନୀ ମହଙ୍ଗା ହେବ ,ଯାହାର ପ୍ରଭାବ ବଜାର ଦର ଉପରେ ପଡ଼ିବ। ମୁଖ୍ୟତଃ ଖାଇବା ତେଲ, ସୁନା,ରୁପା,ଖଣିଜ ତୈଳ ଆଦିର ଦର ବୃଦ୍ଧି ଘଟିବ। ଡଲାର ବୃଦ୍ଧିର ପ୍ରଭାବ ବର୍ତ୍ତମାନ ଖାଇବା ତେଲ ଉପରେ ଦେଖିବାକୁ ମିଳୁଛି । ଲିଟର ପିଛା ଏହାର ଦାମ ମଧ୍ୟ ବଢ଼ିଛି। ସେଇ ଭଳି ଆଗକୁ ସୁନାର ଦାମ ମଧ୍ୟ ଆଗକୁ ବଢିପାରେ।

ସେହିପରି ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି, ସୁନା, ରୂପା,ଖାଇବା ତେଲ, ଇଲେକ୍ଟ୍ରୋନିକ ଜିନିଷ,ଔଷଧ, ଚିକିତ୍ସା ସାମଗ୍ରୀ, ଅଶୋଧିତ ତୈଳର ଦର ବୃଦ୍ଧି ହେବ। ଆମଦାନୀ ହେଉଥିବା ସାମଗ୍ରୀ ଦର ବୃଦ୍ଧି ହେବ।

ଅନ୍ୟପକ୍ଷରେ ଆଉ ଜଣେ ଅର୍ଥନୀତି ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି, ଦୁର୍ବଳ ଟଙ୍କାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପଡ଼ିବ। ଡଲାର ମୂଲ୍ୟ ବଢ଼ିଲେ ଆମଦାନୀ ମହଙ୍ଗା ହେବା ଓ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇବ ।

ଦୁର୍ବଳ ଟଙ୍କା ଯୋଗୁଁ କିଏ ଲାଭରେ ରହିବେ ?

ଅନ୍ୟପକ୍ଷରେ ଭାରତ ରପ୍ତାନି କରୁଥିବା ସେବା ଓ ସାମଗ୍ରୀ ବାବଦରୁ ଅଧିକ ଆୟ କରିବ । ବିଶେଷକରି ସଫ୍ଟଓ୍ବାର ରପ୍ତାନି ବାବଦରେ ଅଧିକ ଆୟ କରିବ ଭାରତ । ଭାରତ ସଫ୍ଚଓ୍ବାର ରପ୍ତାନି କରି ଅଧିକ ବିଦେଶୀ ମୁଦ୍ରା ଆୟ କରିଥାଏ । ଏଣୁ ଦୁର୍ବଳ ଟଙ୍କାର ଏହା ଏକ ସକାରାତ୍ମକ ଦିଗ କୁହାଯାଇପାରେ ।

 

ସମ୍ବନ୍ଧିତ ଖବର