ଭୁବନେଶ୍ବର: ସୁନା ମୂଲ୍ୟରେ ବୃଦ୍ଧିର ଧାରା ଅବ୍ୟାହତ ରହିଛି। ଶୁକ୍ରବାର ମଧ୍ୟ ଉଭୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନାର ଦାମ୍ ବଢ଼ିଛି। ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୬୦,୨୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗୁରୁବାର ଏହି ଦାମ୍ ୬୦ ହଜାର ୧୦୦ ଟଙ୍କା ଥିଲା। ସେହିପରି, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୭୦ ଟଙ୍କା ବୃଦ୍ଧି ପାଇ ୬୫,୭୩୦ ଟଙ୍କା ହୋଇଛି। ଗତକାଲି ଏହି ମୂଲ୍ୟ ୬୫, ୫୬୦ ଟଙ୍କା ଥିଲା। କେବଳ ସୁନା ନୁହେଁ, ରାଜଧାନୀରେ ରୁପା ମଧ୍ୟ ମହଙ୍ଗା ହୋଇଛି। ଆଜି ରୁପାର କେଜି ପିଛା ଦାମ୍ ୫୦୦ ଟଙ୍କା ବୃଦ୍ଧି ପାଇ ୭୯,୦୦୦ ଟଙ୍କା ହୋଇଛି। ଚଳିତ ମାସ ୧ ତାରିଖରେ ରୁପା କେଜି ୭୬, ୨୦୦ ଟଙ୍କା ଥିଲା। ଆଠ ଦିନ ଭିତରେ ସେଥିରେ ୨୮୦୦ ଟଙ୍କାର ବୃଦ୍ଧି ଘଟିଛି।

Advertisment

ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେଉଥିବାରୁ ସ୍ଥାନୀୟ ବଜାରରେ ତାହାର ମୂଲ୍ୟ ବଢ଼ୁଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍‌ସ ପିଛା ଦାମ୍ ୨୧୬୫ ଡଲାର ରହିଛି। ଆମେରିକାର ଫେଡେରାଲ୍ ରିଜର୍ଭ ଜୁନ୍‌ରୁ ସୁଧ କମ୍ କରିବ ବୋଲି ସଙ୍କେତ ଦେବା ପରଠାରୁ ସୁନା ଦାମ୍ ବଢ଼ିବାରେ ଲାଗିଛି। ନିବେଶକମାନେ ଏହାକୁ ଏକ ସୁରକ୍ଷିତ ନିବେଶ ବିକଳ୍ପ ଭାବେ ଗ୍ରହଣ କରି ସେଥିରେ ନିବେଶ କରୁଛନ୍ତି। ଅନ୍ୟ ପକ୍ଷରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣୁଥିବାରୁ ଏହି ମୂଲ୍ୟବାନ ଧାତବର ଚାହିଦା ବଢ଼ିଛି। ଭାରତର ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୫,୭୫୬ ଟଙ୍କା ହୋଇଛି। ଜାତୀୟ ବଜାରରେ ଗୋଟିଏ ସପ୍ତାହରେ ସୁନା ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି ହୋଇଛି।