ଗ୍ରାମୀଣ ଜଳ ଓ ପରିମଳ ବ୍ୟବସ୍ଥା: ଓଡ଼ିଶା ପାଇବ ୫,୨୮୦ କୋଟି

ପ୍ରତିବର୍ଷ ୧୦୦୦ କୋଟିରୁ ଅଧିକ ମିଳିବ
୫ ବର୍ଷ ପାଇଁ ମିଳିବ ଆବଧ ଅନୁଦାନ
ପଞ୍ଚଦଶ ଅର୍ଥ କମିସନ କରିଥିଲେ ସୁପାରିସ

ଭୁବନେଶ୍ବର : ଓଡ଼ିଶା ସମେତ କେତେକ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କେନ୍ଦ୍ର ସରକାର ଆଜି ଗ୍ରାମାଞ୍ଚଳର ଜଳ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ସ୍ତରରେ ଏବଂ ଗ୍ରାମାଞ୍ଚଳରେ ଜଳ ଓ ପରିମଳ ବ୍ୟବସ୍ଥାର ବିକାଶ ଓ ଉନ୍ନତି ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମୋଟ ୧,୪୨,୦୮୪ କୋଟି ଟଙ୍କାର ଆବଧ (ଟାଏଡ୍‌) ଅନୁଦାନ ଦେବେ। ଏହି ଅନୁଦାନ ରାଶି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା‌ ବିନିଯୋଗ ହେବ। ପ୍ରତି ଘରେ ଟ୍ୟାପ୍ ଜରିଆରେ ପାଣି ପହଞ୍ଚାଇବା ଓ ଗ୍ରାମୀଣ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ଏହି ଅନୁଦାନ ବିଶେଷ ସହାୟକ ହେବ ବୋଲି କୁହାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ୍ କ୍ରମେ ଏହି ଅନୁଦାନର ବ୍ୟବସ୍ଥା କରାଯାଇଛି। ଏଥିରୁ ଓଡ଼ିଶାକୁ ୫,୨୮୦ କୋଟି ଟଙ୍କା ମିଳିବ। ଓଡ଼ିଶାକୁ ମିଳିବାକୁ ଥିବା ପାଣ୍ଠି ପାଞ୍ଚଟି ଆର୍ଥିକ ବର୍ଷରେ ବିଭିନ୍ନ କିସ୍ତିରେ ମିଳିବ। ଆର୍ଥିକ ବର୍ଷ ୨୦୨୧-୨୨ରେ ୧,୦୦୨ କୋଟି ଟଙ୍କା, ୨୦୨୨-୨୩ରେ ୧୦୩୬ କୋଟି ଟଙ୍କା, ୨୦୨୩-୨୪ରେ ୧୦୪୮ କୋଟି ଟଙ୍କା, ୨୦୨୪-୨୫ରେ ୧୧୧୦ କୋଟି ଟଙ୍କା ଓ ୨୦୨୫-୨୬ରେ ୧୦୮୪ କୋଟି ଟଙ୍କା ମିଳିବ।

କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ପାଞ୍ଚ ବର୍ଷ ଭିତରେ ଯେଉଁ ୧,୪୨,୦୮୪ କୋଟି ଟଙ୍କା ଦେବେ ‌ସେଥିରୁ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ୨୬,୯୪୦ କୋଟି ଟଙ୍କା ଜାରି କରାଯିବ। ୨୦୨୨-୨୩ରେ ୨୭,୯୦୮ କୋଟି ଟଙ୍କା, ୨୦୨୩-୨୪ରେ ୨୮,୨୧୨ କୋଟି ଟଙ୍କା, ୨୦୨୪-୨୫ରେ ୨୯,୮୮୦ କୋଟି ଟଙ୍କା ଓ ୨୦୨୫-୨୬ରେ ୨୯,୧୪୪ କୋଟି ଟଙ୍କା ଜାରି କରାଯିବ। କେଉଁ ଆଧାର ଏହି ଆବଧ ଅନୁଦାନ ଜାରି କରାଯିବ ଓ ତାହା କିଭଳି ବ୍ୟବହାର ହେବ ସେ ନେଇ କେନ୍ଦ୍ର ବ୍ୟୟ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏଥିପାଇଁ ଜଳ ଶକ୍ତି ମନ୍ତ୍ରଣାଳୟ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଏହା ଆବଧ ଅନୁଦାନ ପାଣ୍ଠି ଲାଗି ରାଜ୍ୟଗୁଡ଼ିକ ନିମନ୍ତେ ଯୋଗ୍ୟତାର ମାନଦଣ୍ଡ ଧାର୍ଯ୍ୟ କରିବ ଓ ସୁପାରିସ କରିବ। ସେହି ଅନୁସାରେ ବ୍ୟୟ ବିଭାଗ ରାଜ୍ୟଗୁଡ଼ିକୁ ପାଣ୍ଠି ଦେବ। ପ୍ରଥମ କିସ୍ତିରେ ୨୫ଟି ରାଜ୍ୟକୁ ଆବଧ ପାଣ୍ଠି ଜାରି କରାଯିବ।

ଗ୍ରାମାଞ୍ଚଳରେ ପାଇପ୍‌ ଜରିଆରେ ପାନୀୟ ଜଳ ବ୍ୟବସ୍ଥା କରିବା ଲାଗି ଆବଧ ଅନୁଦାନ ଆକାରରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ଉପଲବ୍ଧ ରହିଛି। ଭାରତ ସରକାର ୫୦ ହଜାର କୋଟି ଟଙ୍କାର ବଜେଟ୍ ସହାୟତା ଦେଇଥିବା ବେଳେ ରାଜ୍ୟଗୁଡ଼ିକ ୩୦ ହଜାର କୋଟି ଟଙ୍କା ଦେବେ ଏବଂ ଚଳିତ ବର୍ଷ ପାଇଁ ୨୮ ହଜାର କୋଟି ଟଙ୍କାର ଅଟ୍ଟକଳ ଧାର୍ଯ୍ୟ କରାଯାଇଛି। ଜଳ ଓ ପରିମଳ ପ୍ରକଳ୍ପ ଲାଗୁ କରିବା ଲାଗି ରାଜ୍ୟର ଜଳ ଓ ପରିମଳ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ ଓ ସାର୍ବଜନୀନ ସ୍ବାସ୍ଥ୍ୟ ବିଭାଗ ଗ୍ରାମ ପଞ୍ଚାୟତଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦେବେ। ଜଳ ଶକ୍ତି ବିଭାଗ ଯେଉଁ ମାନୁଆଲ୍ ଜାରି କରିବ ତାହାକୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ପ୍ରତି ଗ୍ରାମ ପଞ୍ଚାୟତକୁ ଦିଆଯିବ। ପଞ୍ଚାୟତ ସ୍ତର କର୍ମଚାରୀଙ୍କୁ ଏନେଇ ସଚେତନ କରିବା ଓ ସେମାନଙ୍କ ଦକ୍ଷତାରେ ଉନ୍ନତି ଓ ପ୍ରଶିକ୍ଷଣ ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ କରାଯିବ।

ପଞ୍ଚଦଶ ଅର୍ଥଙ୍କ ସୁପାରିସ ଅନୁଯାୟୀ ପାଞ୍ଚ ବର୍ଷ ଭିତରେ ଗ୍ରାମୀଣ ସଂସ୍ଥା ଓ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ମୋଟ ୨,୩୬,୮୦୫ କୋଟି ଟଙ୍କା ଦିଆଯିବ। ‌ଏହାର ୬୦% ରାଶିକୁ ପାନୀୟ ଜଳ, ବର୍ଷା ଜଳ ସଂରକ୍ଷଣ ଓ ଜଳ ରିସାଇକଲିଂ, ପରିମଳ ଓ ଖୋଲାରେ ମଳମୂତ୍ର ତ୍ୟାଗ (ଓଡିଏଫ୍) ସ୍ଥିତିର ରକ୍ଷଣାବେକ୍ଷଣ ଦିଗରେ ବ୍ୟୟ କରିବା ଲାଗି କମିସନ କହିଛନ୍ତି। ଜଳ ଓ ପରିମଳକୁ ଜାତୀୟ ଅଗ୍ରାଧିକାର କ୍ଷେତ୍ର ଭାବେ କମିସନ ଚିହ୍ନଟ କରିଛନ୍ତି।

ସମ୍ବନ୍ଧିତ ଖବର