ନୂଆଦିଲ୍ଲୀ: ଦେଶରେ ଧନୀ ଲୋକଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧିର ପ୍ରଭାବ ରିଅଲ ଇଷ୍ଟେଟ୍‌ ଶିଳ୍ପରେ ଦେଖିବାକୁ ମିଳିଛି। ୧୦୦ କୋଟି ଟଙ୍କାରୁ ଅଧିକ ଦାମ୍‌ର ଘର କିଣିବା ଲାଗି ଯେଭଳି ଏବେ ଦୌଡ଼ ଚାଲିଛି। ଦେଶର ବିଭିନ୍ନ ସହର, ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ଏଭଳି ଘର ଅଧିକ ବିକ୍ରି ହେଉଛି। ଆଉ ଗ୍ରାହକମା‌ନେ ହେଉଛନ୍ତି ସ୍ବଚ୍ଛଳ ବର୍ଗର ଲୋକ। ଭାରତୀୟ ଧନୀ ହୁଅନ୍ତୁ କିମ୍ବା ପ୍ରବାସୀ ଭାରତୀୟ, ସେମାନେ ଏହି ଘରଗୁଡ଼ିକୁ କିଣୁଛନ୍ତି।

Advertisment

୨୦୨୧ରେ ଡିମାର୍ଟର ମୁଖ୍ୟ ରାଧାକ୍ରିଷ୍ଣ ଦମାନି ମୁମ୍ବାଇର ମାଲାବାର ହିଲ୍‌ରେ ଏକ ଘର କିଣିବାରେ ୧୦୦୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତାହାକୁ ନେଇ ସେହି ସମୟରେ ପ୍ରବଳ ଚର୍ଚ୍ଚା ହୋଇଥିଲା। କାରଣ ତିନି ବର୍ଷ ପୂର୍ବେ ସେଭଳି ଡିଲ୍‌କୁ ସ୍ବାଭାବିକ ‌ବିଚାର କରାଯାଉନଥିଲା। ଏବେ କିନ୍ତୁ ସେଭଳି ଦାମୀ ଘର ବିକ୍ରି ସଂଖ୍ୟା ଏତେ ବଢ଼ିଯାଇଛି‌ ଯେ ତାହା ବଜାର ଲାଗି ସ୍ବାଭାବିକ ମନେ ହେଉଛି। ମୁମ୍ବାଇର ମାଲାବାର ହିଲ୍‌, ଦିଲ୍ଲୀର ଗୁରୁଗ୍ରାମ ଓ ବେଙ୍ଗାଲୁରର ରାଜୀବନଗର ଓ ‌କେଆର ପୁରମ୍‌ ଭଳି ସ୍ଥାନରେ ଏହି ଘରଗୁଡ଼ିକ ବିକ୍ରି ହେଉଛି। ମୁମ୍ବାଇର ମାଲାବାର ହିଲ୍‌ରେ ଜେ ପି ଟାପାରିଆଙ୍କ ପରିବାର ୩୬୯ କୋଟି ଟଙ୍କାରେ ଏକ ଘର କିଣିଛନ୍ତି। ନୀରଜ ବଜାଜ ୨୫୨.୫ କୋଟି ଟଙ୍କା ଓ ବି କେ ଗୋଏଙ୍କା ୨୩୦.୫ କୋଟି ଟଙ୍କା ଖର୍ଚ୍ଚ କରି ସେହି ସମାନ ଅଞ୍ଚଳରେ ଘର କିଣିଛନ୍ତି। ଦିଲ୍ଲୀରେ ଋଷି ପର୍ତି ୧୯୦ କୋଟି ଟଙ୍କା, ସ୍ବାତୀ ଅଗ୍ରୱାଲ୍ ୯୫ କୋଟି ଟଙ୍କା ଓ ରାଜେଶ ମାଗୋ ୩୩ କୋଟି ଟଙ୍କା ଖର୍ଚ୍ଚ କରି ଘର କିଣିଛନ୍ତି। ସମସ୍ତେ ଗୁରୁଗ୍ରାମରେ ଘରଗୁଡ଼ିକୁ କିଣିଛନ୍ତି। ବେଙ୍ଗାଲୁରୁରେ ଦାମୀ ଘରଗୁଡ଼ିକ ରାଜୀବ ନଗର, ରାମାଗୁଆ-ଦାନହାଲି ଓ କେ ଆର୍‌ ପୂରମ ଅଞ୍ଚଳରେ ବିକ୍ରି ହୋଇଛି। ରୁଇୟା ଇଣ୍ଟରନ୍ୟାସନାଲ୍ ହୋଲ୍‌ଡିଂସ୍‌ ୬୪ କୋଟି ଟଙ୍କା ବ୍ୟୟରେ ରାଜୀବ ନଗରରେ ଏକ ଘର କିଣିଛି। ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତି ୫୦ କୋଟି ଟଙ୍କାରେ ଏକ ଘର କିଣି ଚର୍ଚ୍ଚା ସୃଷ୍ଟି କରିଛନ୍ତି। କରିସ୍ମା ହୋଟେଲ୍ ତରଫରୁ ୪୦ କୋଟି ଟଙ୍କା ଓ ଅନିଲ କୁମାର ଗୋଏଲ୍‌ ୩୭.୫ କୋଟି ଟଙ୍କା ଖର୍ଚ୍ଚ କରି ଘର କିଣିଛନ୍ତି। 

ଦେଶରେ ଧନୀ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୩ରେ ପ୍ରତି ୫ ଦିନରେ ଜଣେ ଲେଖାଏଁ ବିଲିଓନେୟାର ସୃଷ୍ଟି ହୋଇଛନ୍ତି ଯେଉଁମାନଙ୍କ ପାଖରେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଏକ ଆକଳନ ଅନୁସାରେ ୨୦୨୩ରେ ଅତି ଧନୀକ ବର୍ଗର ଲୋକ ସଂଖ୍ୟା ୧୩୨୬୩ ଥିଲା। ୨୦୨୮ ସୁଦ୍ଧା ସେଭଳି ଲୋକଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇ ୧୯୯୦୮ରେ ପହଞ୍ଚିବ। ସେହି ଶ୍ରେଣୀର ଲୋକମାନେ ଦାମୀ ଘର କିଣିବାରେ ଆଗରେ ରହିଛି। ବିଳାସବ୍ୟସନ ସହ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଥିବା ଏହି ଘରଗୁଡ଼ିକୁ କିଣିବା ଲାଗି ସେମାନେ ଧାଡ଼ି ଲଗାଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ରିଅଲ ଇଷ୍ଟେଟ୍‌ କମ୍ପାନିଗୁଡ଼ିକ ଅର୍‌ମାନି, ଟ୍ରମ୍ପ୍ ଓ ଫୋର୍ ସିଜନ୍‌ସ ଭଳି ବ୍ରାଣ୍ଡ୍‌ ସହ ସହଯୋଗିତା ସ୍ଥାପନ କରି ଘରଗୁଡ଼ିକୁ ନିର୍ମ‌ାଣ ଓ ଡିଜାଇନ୍ କରୁଛନ୍ତି ଯାହା ଧନୀ ଲୋକମାନଙ୍କ ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବ।