ରୁଷି ମୋଦୀଙ୍କ ସମ୍ପତ୍ତିକୁ ନେଇ ବିବାଦ

ମୁମ୍ବାଇ: ଟାଟା ଷ୍ଟିଲର ପୂର୍ବତନ ସିଏମଡି ରୁଷି ମୋଦୀଙ୍କ ଦକ୍ଷିଣ ମୁମ୍ବାଇର କାର୍ମିକେଲ ରୋଡରେ ଥିବା ଏକ ମୂଲ୍ୟବାନ ସମ୍ପତ୍ତି ହାତେଇବାକୁ ‌ନେଇ ତାଙ୍କ ଭାଇଙ୍କ ପୁଅ ଓ ଋଷିଙ୍କ ଜଣେ ବନ୍ଧୁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ପୁତୁରା ଜାମସେଦ ମୋଦୀ ଓ ସାଙ୍ଗ ବସନ୍ତ ମିଶ୍ର ରୁଷିଙ୍କ ସମ୍ପତ୍ତି ଦାବି କରିବା ଆରମ୍ଭ କରିଦେଇଛନ୍ତି। ରୁଷି ମୋଦୀ ଓ ପତ୍ନୀ ସିଲୁଙ୍କର କିଛି ପିଲାପିଲି ନାହାନ୍ତି। ବମ୍ବେ ହାଇକୋର୍ଟରେ ରୁଷିଙ୍କ ବମ୍ବେରେ ଥିବା ଏକ ମୂଲ୍ୟବାନ ସମ୍ପତ୍ତିକୁ ନେଇ ଦୁଇଟି ଇଚ୍ଛାପତ୍ର ହୋଇଛି। ୨୦୦୭ ମେ ୧୦ରେ ହୋଇଥିବା ଏକ ଇଚ୍ଛାପତ୍ରକୁ ଆଧାର କରି ରୁଷିଙ୍କ ପୁତୁରା ସମ୍ପତ୍ତି ଦାବି କରୁଛନ୍ତି। ତେବେ ରୁଷିଙ୍କ ସାଙ୍ଗ ବସନ୍ତ ୨୦୦୩ ମସିହାର ଏକ ଇଚ୍ଛାପତ୍ରକୁ ନେଇ ସମ୍ପତ୍ତି ଦାବି କରୁଛନ୍ତି। ୨୦୦୭ରେ ‌ଇଚ୍ଛାପତ୍ରରେ ଜାଲିଆତି ହୋଇଥିବା ବସନ୍ତ ଦାବି କରିଛନ୍ତି। ଏହି ଇଚ୍ଛାପତ୍ର ‌ହେବା‌େ‌ବଳେ ରୁଷିଙ୍କ ମାନସିକ ଅବସ୍ଥା ଠିକ ନଥିଲା ବୋଲି ସେ କହିଛନ୍ତି। ରୁଷି ମୋଦୀଙ୍କର ଦେହାନ୍ତ ୨୦୧୪ ମେ ମାସରେ ୯୬ ବର୍ଷରେ ହୋଇଥିଲା। ରୁଷିଙ୍କର ଏହି ସମ୍ପତ୍ତିରେ ୩୦% ଅଂଶଧନ ଥିବା ବେଳେ ଜାମସେଦଙ୍କ ବାପା ଓ ଅନ୍ୟମାନଙ୍କର ଅବଶିଷ୍ଟ ଅଂଶଧନ ରହିଛି। ତେବେ ରୁଷିଙ୍କର ଘରେ ଥିବା ଅସ୍ଥାବର ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ସପ୍ତାହରେ ରିସିଭର କୋର୍ଟରେ ତାଙ୍କ ରିପୋର୍ଟ ଦାଖଲ କରିବେ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର