ନୂଆଦିଲ୍ଲୀ: ରୁଷ୍ ସହ ଭାରତର ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ଭାରତ ସରକାର ତେଲ କମ୍ପାନିଗୁଡ଼ିକୁ ରୁଷ୍‌ରୁ ତେଲ ନ କିଣିବାକୁ କହିଥିବା ଚର୍ଚ୍ଚା ହେଉଛି। ନୂଆ ତେଲ କିଣିବା ଲାଗି କମ୍ପାନିଗୁଡ଼ିକ ଗତ ସପ୍ତାହରେ କୌଣସି ବରାଦ ଦେଇନାହାନ୍ତି। ୨୦୨୨ରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ବିପୁଳ ରିହାତି ଦେବାରୁ ଭାରତ ରୁଷ୍‌ରୁ ବହୁ ପରିମାଣର ତେଲ କିଣୁଥିଲା। ଗତ ଚାରି ବର୍ଷ ଧରି ସେହି ଧାରା ଅବ୍ୟାହତ ରହିଛି। କିନ୍ତୁ ଇତି ମଧ୍ୟରେ ରୁଷ୍‌ ତେଲ ଉପରୁ ରିହାତି କମ୍ ହେବାରେ ଲାଗିଥିବା ବେ‌ଳେ ଅନ୍ତର୍ଜ‌ାତୀୟ ସ୍ତରରେ ଚାପ ବଢ଼ୁଛି। ଦେଶର ଚାରିଟି ତୈଳ କମ୍ପାନି ଭାରତୀୟ ତୈଳ ନିଗମ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍, ଭାରତ ପେଟ୍ରୋଲିୟମ୍ ଓ ମାଙ୍ଗାଲୋର ରିଫାଇନାରି ପେଟ୍ରୋକେମିକାଲ୍‌ ଗତ ସପ୍ତାହରେ ରୁଷ୍‌ରୁ କିଛି ତେଲ କିଣିନାହାନ୍ତି। ସେମାନେ ପୂର୍ବରୁ ଲଗାତାର ଭାବେ ରୁଷ୍‌ ତେଲ କିଣୁଥିଲେ। ଘରୋଇ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ନାଏରା ଏନର୍ଜି ରୁଷ୍ ତେଲ କିଣିବା ପାଇଁ ବଷିର୍କିଆ ଚୁକ୍ତି କରିଛନ୍ତି। ସେମାନେ ମଧ୍ୟ ବିପୁଳ ପରିମାଣର ତେଲ କିଣୁଥିଲେ। 

Advertisment

ଯେଉଁମାନେ ରୁଷ୍‌ ତେଲ କିଣିବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟିକସ ଲଗାଯିବ ବୋଲି ଚଳିତ ମାସ ୧୪ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଥିଲେ। ୟୁରୋପୀୟ ସଂଘ (ଇୟୁ) ମଧ୍ୟ ରୁଷ୍ ତେଲ ଉପରେ କଟକଣା ଲଗାଇଛି। ଗତକାଲି ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିବା ବେଳେ ରୁଷ୍‌ରୁ ଯୁଦ୍ଧାସ୍ତ୍ର ଓ ତେଲ କିଣୁଥିବାରୁ ଅତିରିକ୍ତ ଜରିମାନା ଲଗାଇଛନ୍ତି। ଯଦି ୟୁକ୍ରେନ୍ ସହ ଶାନ୍ତି ଚୁକ୍ତି ପାଇଁ ରୁଷ୍ ରାଜି ହେବ ନାହିଁ ତେବେ ୧୦-୧୨ ଦିନ ଭିତରେ ରୁଷ୍‌ର ଗ୍ରାହକମାନଙ୍କ ଉପରେ ମାଧ୍ୟମିକ କଟକଣା ଲଗାଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ବର୍ତ୍ତମାନ ସମୟରେ ଭାରତ ୩୫ ପ୍ରତିଶତ ତେଲ ରୁଷ୍‌ରୁ ମଗାଉଛି। ୨୦୨୫ର ପ୍ରଥମ ଛଅ ମାସରେ ଘରୋଇ ତେଲ କମ୍ପାନିଗୁଡ଼ିକ ସେଥିରୁ ୬୦% ତେଲ କିଣିଛନ୍ତି। ରିଲାଏନ୍ସ ପକ୍ଷରୁ ଆବୁଧାବି ମୁର୍ବାନ କ୍ରୁଡ୍‌ କିଣାଯାଉଛି।