ପାରାଦୀପ ତୈଳ ବିଶୋଧନାଗାରରେ ନିବେଶ କରିବ ରୁଷିଆ

ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ତୈଳ କଂପାନି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ପାରାଦୀପରେ ସ୍ଥାପନ କରାଯାଇଥିବା ତୈଳ ବିଶୋଧନାଗାର ପ୍ରକଳ୍ପରେ ରୁଷିଆ ପୁଞ୍ଜିନିବେଶ କରିବ। ୨୧ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଯେଉଁ ୨୮ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି, ସେଥିରୁ ଗୋଟିଏ ହେଉଛି ପାରଦୀପ ରିଫାଇନାରି ସମ୍ପର୍କିତ ଏମ୍‌ଓୟୁ।

ପାରାଦୀପ ଠାରେ ଡାଉନଷ୍ଟ୍ରିମ୍ ୟୁନିଟ୍ ସହିତ ଏକ ଡୁଆଲ୍ ଫିଡ୍ କ୍ରାକର୍ ୟୁନିଟ୍ ସ୍ଥାପନା ହେବାର ସମ୍ଭାବନାକୁ ଅନ୍ୱେଷଣ କରିବା ପାଇଁ ଇଣ୍ଡିଆନ ଅଏଲ ଏବଂ ରୁଷିଆର ପେଟ୍ରୋକେମିକାଲ କମ୍ପାନି ସିବୁର୍ ମଧ୍ୟରେ ଷ୍ଟେଟ୍‌ମେଣ୍ଟ ଅଫ୍ ଇଣ୍ଟେଣ୍ଟ୍ ଅଫ୍ କୋଲାବୋରେସନ ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ପାଇଁ ଆଲୋଚନା ଚଳିତ ବର୍ଷ ଜାନୁଆରିରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଅଗ୍ରଗତି ପରିଲିକ୍ଷିତ ହୋଇଛି । ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ଅବସରରେ ତୈଳ ଓ ଗ୍ୟାସ୍‌ କ୍ଷେତ୍ରକୁ ନେଇ ଅନ୍ୟ ୬ଟି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ସେହିପରି, ଇସ୍ପାତ କ୍ଷେତ୍ରରେ ରୁଷିଆର କଂପାନି ଆଇପି ବାର୍ଡେନ ଓ ସେଲ୍‌, ଜେଏସ୍‌ପିଏଲ୍ ଓ ଜେଏସ୍‌ଡବ୍ଲୁ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହାବ୍ୟତୀତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି । ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କାରଣରୁ ଏହା ସମ୍ଭବ ହୋଇଥିବା କୁହାଯାଉଛି। ଶ୍ରୀ ପ୍ରଧାନ ୨୦୧୯ ଅଗଷ୍ଟ ଓ ଅକ୍ଟୋବରରେ ମସ୍କୋ ଏବଂ ଭ୍ଲାଡ଼ିଭୋଷ୍ଟାକ୍ ଗସ୍ତ କରି ତୈଳ ଓ ଉସ୍ପାତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଦୃଢ଼ କରିବା ପାଇଁ କାର୍ଯ୍ୟ କରିଥିଲେ । ଏହି ପୃଷ୍ଠଭୂମିରେ ଭାରତୀୟ ଇସ୍ପାତ କ୍ଷେତ୍ର ପାଇଁ ରୁଷିଆରୁ କୋକିଂ କୋଲ୍ ଆମଦାନି, ମସ୍କୋ ଠାରେ ଭାରତ ଏନର୍ଜି ଅଫିସ ସ୍ଥାପନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ସମ୍ବନ୍ଧିତ ଖବର