ରୁଷୀୟ ତୈଳ ଉପରେ ‘ଜି୭’ର ‘ପ୍ରାଇସ୍‌ କ୍ୟାପ୍‌’ ସମର୍ଥନ ନ କରିବା ପାଇଁ ଭାରତର ନିଷ୍ପତ୍ତିକୁ ସ୍ବାଗତ କଲା ରୁଷ୍‌

ମସ୍କୋ: ‘ଜି୭’ ଓ ସେମାନଙ୍କ ମିତ୍ର ରାଷ୍ଟ୍ରସମୂହ ରୁଷୀୟ ତୈଳ ପ୍ରତି ଲାଗୁ କରିଥିବା ନିର୍ଦ୍ଧାରିତ ମୂଲ୍ୟକୁ (ପ୍ରାଇସ୍‌ କ୍ୟାପ୍‌) ସମର୍ଥନ ନ କରିବା ଲାଗି ଭାରତ ଗ୍ରହଣ କରିଥିବା ନିଷ୍ପତ୍ତିକୁ ରୁଷ୍‌ ସ୍ବାଗତ କରିଛି।

ଡିସେମ୍ବର ୯ ତାରିଖ ଦିନ ରୁଷ୍‌ସ୍ଥିତ ଭାରତର ରାଷ୍ଟ୍ରଦୂତ ପବନ କପୁରଙ୍କୁ ଭେଟିବା ସମୟରେ ରୁଷୀୟ ଉପ-ପ୍ରଧାନମନ୍ତ୍ରୀ ଆଲେକ୍‌ଜେଣ୍ଡର୍‌ ନୋଭାକ୍‌ ଉପରୋକ୍ତ ବିବୃତି ଦେଇଛନ୍ତି।

ଜାରି କରିଥିବା ବିବୃତିରେ ରୁଷୀୟ ବୈଦେଶିକ ମନ୍ତ୍ରାଳୟ କହିଛି, ଡିସେମ୍ବର ୫ ତାରିଖ ଦିନ ‘ଜି୭’ ଦେଶସମୂହ ଓ ସେମାନଙ୍କର ମିତ୍ର ରାଷ୍ଟ୍ରମାନେ ରୁଷୀୟ ତୈଳ ଉପରେ ଲାଗୁ କରିଥିବା ‘ପ୍ରାଇସ୍‌ କ୍ୟାପ୍‌’କୁ ସମର୍ଥନ ନ କରିବା ପାଇଁ ଭାରତ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଉପ-ପ୍ରଧାନମନ୍ତ୍ରୀ ସ୍ବାଗତ କରିଛନ୍ତି।

Image Courtesy of Seeking Alpha

ଶକ୍ତି ସଙ୍କଟ ସମୟରେ ବିଶ୍ବର ପୂର୍ବ ଓ ଦକ୍ଷିଣାଞ୍ଚଳରେ ଥିବା ଦେଶଗୁଡ଼ିକୁ ବ୍ୟାପକ ଇନ୍ଧନ ରପ୍ତାନି କରିବା ଲାଗି ରୁଷ୍‌ କରିଥିବା ରାଜିନାମା ଦାୟିତ୍ବର ସହ ସମ୍ପନ୍ନ କରୁଥିବା କଥା ନୋଭାକ୍‌ ଗୁରୁତ୍ବାରୋପ କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରୁଷ୍‌ରୁ ଆମଦାନି ହେଉଥିବା ତୈଳ ଉପରେ ‘ପ୍ରାଇସ୍‌ କ୍ୟାପ୍‌’ ଲାଗୁ କରିବା ଲାଗି ସେପ୍ଟେମ୍ବର ମାସରେ ‘ଜି୭’ ରାଷ୍ଟ୍ରସମୂହ ରାଜି ହୋଇଥିଲେ।

ରୁଷୀୟ ବୈଦେଶିକ ମନ୍ତ୍ରାଳୟ ଜାରି କରିଥିବା ବିବୃତି ଅନୁସାରେ, ୨୦୨୨ ମସିହାର ପ୍ରଥମ ୮ ମାସରେ ଭାରତକୁ ରୁଷୀୟ ତୈଳ ଆମଦାନି ୧୬.୩୫ ନିୟୁତ ଟନ୍‌କୁ ବୃଦ୍ଧି ପାଇଛି। ମସ୍କୋ ଓ କିବ୍‌ ମଧ୍ୟରେ ଯୁଦ୍ଧ ଲାଗିବା ସତ୍ତ୍ବେ ଭାରତ ରୁଷ୍‌ରୁ ତୈଳ ଖରିଦ କରିବା ଅବ୍ୟାହତ ରଖିଛି। ରୁଷୀୟ ତୈଳ ଖରିଦ କରିବା ନି‌ଷ୍ପତ୍ତିକୁ ଭାରତର ବୈଦେଶିକ ମନ୍ତ୍ରାଳୟ ବି ସମର୍ଥନ କରିଛି।

ସମ୍ବନ୍ଧିତ ଖବର