ପାଶ୍ଚାତ୍ୟ କଟକଣା ଏଡ଼ାଇବାରେ ଭାରତକୁ ସାହାଯ୍ୟ କରିବ ରୁଷ୍‌

ନୂଆଦିଲ୍ଲୀ : ତେଲ କାରବାର ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ଲଗାଇଥିବା କଠୋର କଟକଣା କାର୍ଯ୍ୟକାରୀ ହେବା ପରେ ଚିନ୍ତିତ ହୋଇପଡ଼ିଥିବା ଭାରତକୁ ଆଶ୍ବାସନା ଦେଇଛି ରୁଷ୍। ଏହି କଟକଣାର ମୁକାବିଲା ଲାଗି ଭାରତକୁ ସାହାଯ୍ୟ କରାଯିବ ବୋଲି ରୁଷ୍‌ର ଉପ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡର ନୋଭାକ୍ କହିଛନ୍ତି। ଅଧିକ ପରିମାଣର‌ ତେଲ ପରିବହନ କରିହେଉଥିବା ଜାହାଜ ଲିଜ୍‌ରେ ଦେବା ଓ ତିଆରି କରିବାରେ ରୁଷ୍ ଭାରତକୁ ସାହାଯ୍ୟ କରିବ। ଏହି ପ୍ରସଙ୍ଗରେ ନୋଭାକ୍‌ଙ୍କ ସହ ମସ୍କୋରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପବନ କପୁର ଆଲୋଚନା କରିଛନ୍ତି।

ଲଗାତାର ଦ୍ବିତୀୟ ମାସ ଲାଗି ରୁଷ୍‌ରୁ ଭାରତ ସର୍ବାଧିକ ପରିମାଣର ତେଲ କିଣିଛି। ରିହାତି ଦାମ୍‌ରେ ମିଳୁଥିବାରୁ ରୁଷ୍‌ରୁ ଅଧିକ ତେଲ କିଣିବା ଉପରେ ଭାରତ ଗୁରୁତ୍ବ ‌ଦେଉଛି। ସେଥିପାଇଁ ଇରାକ ଏବଂ ସାଉଦି ଆରବରୁ ତେଲ କିଣା ହ୍ରାସ ପାଇଛି। ରୁଷ୍‌ରୁ ଭାରତ ଏକ ପଞ୍ଚମାଂଶ ତେଲ କିଣୁଛି। ଭାରତର ତେଲ ଯୋଗାଣକାରୀ ତାଲିକାରେ ରୁଷ୍‌, ଇରାକ ଓ ଆଉଦି ପରେ ଆମେରିକା ଚତୁର୍ଥ ସ୍ଥାନରେ ରହିଛି।

ରୁଷ୍‌ ତେଲ କାରବାର ଉପରେ ୟୁରୋପୀୟ ସଂଘ ଓ ବ୍ରିଟେନ୍ କଟକଣା ଲଗାଇବା ପରେ ‌ଜାହାଜର ବୀମା ଏବଂ ପରିବହନ ଟ୍ୟାଙ୍କର ସଂଗ୍ରହ କରିବା ଭାରତ ଲାଗି କଷ୍ଟକର ହେବ। ବିନା ବୀମାରେ ବିପୁଳ ତେଲ କିଣିବା ଏକ ବିପଦପୂର୍ଣ୍ଣ କାର୍ଯ୍ୟ। ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ୍‌ର ଆୟ ଉତ୍ସକୁ ସଙ୍କୁଚିତ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷ୍‌ର ତେଲ କାରବାର ଉପରେ କଟକଣା ଲଗାଇଛନ୍ତି। କାରଣ ତେଲ ବିକ୍ରିରୁ ହିଁ ରୁଷ୍ ଅଧିକ ଆୟ କରିଥାଏ।

ସମ୍ବନ୍ଧିତ ଖବର