ସାଉଦିଠୁ ଶସ୍ତା ପଡ଼ୁଛି ରୁଷ୍‌ ତେଲ

ନୂଆଦିଲ୍ଲୀ : ଭାରତ ସହିତ ତେଲ କାରବାରକୁ ଜାରି ରଖିବା ଲାଗି ରୁଷ୍‌ ବିପୁଳ ରିହାତି ପ୍ରଦାନ କରୁଛି। ଏବେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ ଭାରତ ପାଇଁ ସାଉଦି ଆରବ ତେଲ ତୁଳନାରେ ରୁଷ୍ ତେଲ ଶସ୍ତା ପଡ଼ୁଛି। ଗତ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତ ରୁଷ୍ ତେଲ ସାଉଦି ତୁଳନାରେ ଶସ୍ତା ରହିଛି। ରୁଷ୍ ବ୍ୟାରେଲ ପିଛା ୧୯ ଡଲାର ରିହାତି ଦେଉଛି। ଭାରତ ଏବେ ସର୍ବାଧିକ ପରିମାଣର ତେଲ ଇରାକରୁ କିଣୁଥିବା ବେଳେ ଦ୍ବିତୀୟ ସବାଧିକ ରୁଷ୍‌ରୁ ମଗାଉଛି। ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁଁ ରୁଷ୍ ଉପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ କଠୋର ଅର୍ଥନୈତିକ କଟକଣା ଲଗାଇବା ପରେ ରୁଷ୍ ଏହାର ତେଲକୁ ରିହାତି ଦାମ୍‌ରେ ବିକ୍ରି କରିବା ଉପରେ ଜୋର ଦେଉଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି କାହାକୁ ଖାତିର ନକରି ଭାରତ ଓ ଚୀନ୍ ସେହି ତେଲ କିଣିବାକୁ ଅସମ୍ଭବ ଆଗ୍ରହ ଦେଖାଇଛନ୍ତି। ଯେହେତୁ ଭାରତ ଏହାର ୮୫% ତୈଳ ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଛି, ତେଣୁ ଯେଉଁଠାରୁ ତାହା ଶସ୍ତାରେ ମିଳୁଛି ଭାରତ ପାଇଁ ତାହା ଭଲ।

ଯଦିଓ ଭାରତ ଅଧିକ ପରିମାଣର ‌ରୁଷ୍ ତେଲ କିଣୁଛି, କିନ୍ତୁ ତାହା ସାଉଦିର କ୍ଷତି ଭାବେ ବିଚାର କରାଯାଇପାରିବ ନାହିଁ। ସାଉଦି ଏବେ ଅଧିକ ତେଲ ୟୁରୋପ ପଠାଉଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ହାରାହାରି ଦାମ୍ ୧୦୨ ଡଲାର ଥିବା ବେଳେ ରୁଷ୍ ୧୯ ଡଲାରର ରିହାତି ଦେଉଛି। ସେଥିପାଇଁ ‌ଗତ ଫେବ୍ରୁଆରି ପରଠାରୁ ଭାରତରେ ରୁଷ୍‌ ତେଲ ପରିମାଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବଜାରରେ ସାଉଦି ଆରବ ନେତୃତ୍ବାଧୀନ ଓପେକ୍ ରାଷ୍ଟ୍ରଗୁଡ଼ିକର ତେଲ ଦାମ୍ ବ୍ୟାରେଲ ପିଛା ୯ ଡଲାର ଅଧିକ ରହୁଛି।

ସମ୍ବନ୍ଧିତ ଖବର