ମୁମ୍ବାଇ: ଅନେକ ବର୍ଷ ପରେ ଭାରତୀୟ ଷ୍ଟକ୍ ବଜାର ଏଭଳି ଏକ ମାସକୁ ସାମ୍ନା କରିଛି, ଯାହା ନିବେଶକମାନଙ୍କ ନିଦ ହଜାଇ ଦେଇଛି। ଆଜି ସେହି ମାସ ଫେବ୍ରୁଆରି ଶେଷ ହୋଇଛି। ଶେଷ ଦିନରେ ମଧ୍ୟ ଏହାର ତାଣ୍ଡବ ଜାରି ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଆଜି ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୪୨୦ ପଏଣ୍ଟ ତଳକୁ ଖସି ୨୨,୧୨୪ ପଏଣ୍ଟରେ ବନ୍ଦ ହୋଇଛି। ଫେବ୍ରୁଆରି ମାସ ସାରାରେ ସେନ୍ସେକ୍ସ ୪୩୦୦ ପଏଣ୍ଟ ହରାଇଛି। ଏହାର ପ୍ରଭାବରେ ନିବେଶକମାନଙ୍କ ସମ୍ପତ୍ତିରେ ୪୦.୬ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି। କେବଳ ଶୁକ୍ରବାର ଦିନ ସେମାନେ ୮.୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। କିଛି ଦିନ ତଳେ ୪୦୦ ଲକ୍ଷ କୋଟି ଡଲାରରୁ ଉପରେ ରହୁଥିବା ଷ୍ଟକ୍ ବଜାରର ମୋଟ୍ ବଜାର ପୁଞ୍ଜି ପରିମାଣ ୩୮୪.୨୨ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଫେବ୍ରୁଆରି ମାସଟି ନିଫ୍ଟି ପାଇଁ ସବୁଠୁ ଖରାପ ମାସ ସାବ୍ୟସ୍ତ ହୋଇଛି। ୧୯୯୬ରେ ଏହା ନିଜ ଯାତ୍ରା ଆରମ୍ଭ କରିବା ଦିନଠାରୁ କେବେ ଏଭଳି ଲମ୍ବା ସମୟ ଲଗାତାର ଭାବେ ତଳକୁ ଖସିନଥିଲା। ଗତବର୍ଷ ସେପ୍ଟେମ୍ବରରେ ନିଫ୍ଟି ଏହାର ସର୍ବକାଳୀନ ଶ୍ରେଷ୍ଠ ସ୍ତର ହାସଲ କରିଥିଲା। ତା ପରଠାରୁ ଏହା ଲଗାତାର ପାଞ୍ଚ ମାସ ହେଲାଣି ତଳକୁ ଖସୁଛି।
ସେନ୍ସେକ୍ସ ଖସିଲା ୪୩୦୦ ପଏଣ୍ଟ
ନିବେଶକ ହରାଇଲେ ୪୦.୬ ଲକ୍ଷ କୋଟି
ସେନ୍ସେକ୍ସ ଓ ନିଫ୍ଟିରେ ହେଉଥିବା ହ୍ରାସର ଦୁଇଟି ପ୍ରମୁଖ କାରଣ ରହିଛି। ପ୍ରଥମ କାରଣଟି ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ସମ୍ଭାଳିବା ପରଠାରୁ ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବାକୁ ଧମକ ଦେଉଛନ୍ତି, ଯାହା ସାରା ବିଶ୍ବରେ ଏକ ବାଣିଜ୍ୟ ଯୁଦ୍ଧର ଆହ୍ବାନ ସଦୃଶ ହୋଇଛି। ତାହା ରପ୍ତାନିକାରୀଙ୍କ ଆୟ ଓ ଦେଶର ବୈଦେଶିକ ମୁଦ୍ରା ସ୍ଥିତିକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିଛି। ଷ୍ଟକ୍ ବଜାର ଅସ୍ଥିରତାର ଦ୍ବିତୀୟ କାରଣଟି ହେଉଛି ବୈଦେଶିକ ନିବେଶକମାନଙ୍କ ଦ୍ବାରା ଲଗାତାର ଭାବେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର। ସେମାନେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ପାଣ୍ଠି ପ୍ରତ୍ୟାହାର କରିସାରିଲେଣି। ସାରା ବିଶ୍ବରେ ଡଲାର ପୁଣି ଥରେ ଶକ୍ତିଶାଳୀ ହୋଇଥିବାରୁ ବିଶ୍ବର ବିଭିନ୍ନ ଦେଶରେ ନିବେଶ କରୁଥିବା ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଡଲାର ଉପକରଣରେ ନିବେଶକୁ ଅଗ୍ରାଧିକାର ଦେଉଛନ୍ତି। ତେଣୁ ସେମାନେ ଭାରତ ଭଳି ଉଦୀୟମାନ ବଜାରରୁ ପାଣ୍ଠି ପ୍ରତ୍ୟାହାର କରି ଅନ୍ୟତ୍ର ଖଟାଉଛନ୍ତି। ଅନ୍ୟ ପକ୍ଷରେ, ବହୁ ନିବେଶକ ଭାରତରୁ ପାଣ୍ଠି ପ୍ରତ୍ୟାହାର କରି ଚୀନ୍ରେ ଲଗାଉଛନ୍ତି। ସେଠାରେ ସେମାନଙ୍କୁ ଅଧିକ ରିଟର୍ଣ୍ଣ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/01/5ILk600BZdhOMnJwFHsG.jpg)