ବିବାଦରେ ସବ୍ୟସାଚୀଙ୍କ ମଙ୍ଗଳସୂତ୍ର ବିଜ୍ଞାପନ

୨୪ ଘଣ୍ଟା ଭିତରେ ହଟାଇବାକୁ ମନ୍ତ୍ରୀଙ୍କ ଧମକ

ନୂଆଦିଲ୍ଲୀ : ଧର୍ମ ଓ ସଂସ୍କୃତି ପ୍ରତି ଅପମାନ ଭାବେ ଅଭିଯୋଗ କରି କଂପାନିଗୁଡ଼ିକର ବିଜ୍ଞାପନକୁ ବିରୋଧ କରାଯାଉଥିବା ମାମଲା ସଂଖ୍ୟା ଚଳିତ ବର୍ଷ ବଢ଼ିବାରେ ଲାଗିଛି। ଲୋକଙ୍କ ଏଭଳି ଆକ୍ରୋଶର ଶିକାର ହୋଇଛନ୍ତି ଗହଣା ଓ ଫେସନ ଡିଜାଇନର୍‌ ସବ୍ୟାସଚୀ ମାଖାର୍ଜୀ। ତାଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ମଙ୍ଗଳସୂତ୍ରର ବିଜ୍ଞାପନ ବେଶ ବିବାଦୀୟ ହୋଇପଡ଼ିଛି। ଏହି ବିଜ୍ଞାପନରେ ନଗ୍ନତାକୁ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଛି। ଚବିଶ ଘଣ୍ଟା ଭିତରେ ବିଜ୍ଞାପନକୁ ପ୍ରତ୍ୟାହାର କରିବା ଲାଗି ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ମରୋତ୍ତମ ମିଶ୍ର ଆଜି ସବ୍ୟାସଚୀଙ୍କୁ ଧମକ ଦେଇଛନ୍ତି। ସଚ୍ୟାସାଚୀଙ୍କ ମଙ୍ଗଳସୂତ୍ର ବିଜ୍ଞାପନ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ ହେବା ପରଠାରୁ ବିବାଦରେ ରହିଛି। ମଙ୍ଗଳସୂତ୍ରକୁ ଅତ୍ୟନ୍ତ ବିବାଦୀୟ ଢଙ୍ଗରେ ଉପସ୍ଥାପନ କରାଯାଇଛି।

ଶ୍ରୀ ମିଶ୍ର କହିଛନ୍ତି ଯେ ଏଭଳି ବିଜ୍ଞାପନକୁ ନେଇ ଆମେ ପୂର୍ବରୁ ସତର୍କ କରାଇଥିଲୁ। ମୁଁ ବ୍ୟକ୍ତିଗତ ଭାବେ ଡିଜାଇନର ସବ୍ୟସାଚୀଙ୍କୁ ୨୪ ଘଣ୍ଟା ସମୟ ଦେଉଛି। ଯଦି ଏହି ଆପତ୍ତିଜନକ ଓ ଅଶ୍ଳୀଳ ବିଜ୍ଞାପନକୁ ପ୍ରତ୍ୟାହାର କରାନଯିବ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ ପଠାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ଗହଣା ଭାବେ ମଙ୍ଗଳସୂତ୍ରର ବେଶ ଗୁରୁତ୍ବ ରହିଛି। ଆମର ବିଶ୍ବାସ ରହିଛି ଯେ ମଙ୍ଗଳସୂତ୍ରର ହଳଦିଆ ଭାଗ ହେଉଛି ମାତା ପାର୍ବତୀ ଏବଂ କଳା ଭାଗ ହେଉଛି ପ୍ରଭୁ ଶିବଙ୍କ ପ୍ରତୀକ। ମାତା ପାର୍ବତୀଙ୍କ କରୁଣାରୁ ବୈବାହିକ ଜୀବନ ସୁଖମୟ ରହିଥାଏ। ହିନ୍ଦୁ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧିଥାନ୍ତି। କେବଳ ହିନ୍ଦୁ ସଙ୍କେତକୁ କାହିଁକି ଏଭଳି ଦୁଃଖଦାୟକ ଘଟଣାରେ ବ୍ୟବହାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟ ଧର୍ମକୁ ନେଇ ଯଦି ସେଭଳି ପଦକ୍ଷେପ ନେଇପା‌ରିବେ ତେବେ ଆମେ ତାଙ୍କୁ ପ୍ରକୃତ ସାହସୀ କହିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ର ବିଜେପିର ଆଇନଗତ ପରାମର୍ଶଦାତା ଆଶୁତୋଷ ଦୁବେ ମଧ୍ୟ ସବ୍ୟସାଚୀଙ୍କୁ ଆଇନଗତ ନୋଟିସ୍‌ ପଠାଇଥିବା ଜଣାପଡ଼ିଛି।

ବିଜ୍ଞାପନ ଲୋକମାନଙ୍କ ରୋଷର ଶିକାର ହେବା ଏହା ନୂଆ କଥା ନୁହେଁ। ଗତବର୍ଷ ଦୀପାବଳି ସମୟରେ ତନିସ୍କର ଏକ ବିଜ୍ଞାପନ ବିବାଦୀୟ ହୋଇପଡ଼ିଥିଲା। କଂପାନି ବାଧ୍ୟ ହୋଇ ତାହାକୁ ପ୍ରତ୍ୟାହାର କରିଥିଲା। ଚଳିତ ବର୍ଷ ଫ୍ୟାବ୍‌ଇଣ୍ଡିଆ ଓ ଡାବର୍‌ର ବିଜ୍ଞାପନକୁ ନେଇ ବିବାଦ ଦେଖାଦେବାରୁ କଂପାନି ସେଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି। ଫ୍ୟାବ୍‌ଇଣ୍ଡିଆ ଏହାର ପୋଷାକ ସମ୍ଭାର ନାମ ଜସ୍ନ-ଏ-ରିୱାଜ୍ ରଖିବାରୁ ବିବାଦୀୟ ହୋଇପଡ଼ିଥିଲା। ଲୋକମାନେ ସେହି ନାମକୁ ‌ଦୀପାବଳି ସହ ଯୋଡ଼ି କଂପାନିକୁ ଭର୍ତ୍ସନା କରିଥିଲେ। ସେହିପରି ସଙ୍ଗଲିଙ୍ଗୀ ପ୍ରସଙ୍ଗ ଉପରେ କର୍‌ୱା ଚୌଥ୍‌ ବିଜ୍ଞାପନ ପ୍ରସ୍ତୁତ କରି ଡାବର୍‌ର ବିଜ୍ଞାପନ ବିବାଦୀୟ ହୋଇଥିଲା। ବଲିଉଡ୍‌ ତାରକା ଅମିର ଖାନଙ୍କ ଅଭିନିତ ସିଏଟ୍‌ ବିଜ୍ଞାପନକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର