ବଡ଼ଭାଇଙ୍କ ମହାନତା:ମୁକେଶଙ୍କ ପରେ ଲକ୍ଷ୍ମୀ ମିତ୍ତଲ

୧୬୦୦ କୋଟି ଦେଇ ସାନ ଭାଇକୁ ସଙ୍କଟରୁ ଉଦ୍ଧାର କଲେ

ନୂଆଦିଲ୍ଲୀ: କୋଟିପତି ଧନୀ ଲୋକମାନଙ୍କ ଘରେ ପାରିବାରିକ ମୂଲ୍ୟବୋଧ ବୋଲି କିଛି ନାହିଁ ବୋଲି ଯେଉଁମାନେ ଭାବୁଛନ୍ତି ସେମାନଙ୍କ ଭାବନା ଭୁଲ। ଦୁଇଟି ଘଟଣା ହେଉଛି ଏହାର ବଳିଷ୍ଠ ପ୍ରମାଣ। କିଛି ଦିନ ତଳେ ଘୋର ଆର୍ଥିକ ସଙ୍କଟରେ ଫସିଯାଇଥିବା ସାନ ଭାଇ ଅନିଲ ଅମ୍ବାନିଙ୍କୁ ତାଙ୍କ ବଡ଼ ଭାଇ ତଥା ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଉଦ୍ଧାର କରିଥିଲେ। ଏବେ ଆଉ ‌ଜଣେ ଧନୀ ବ୍ୟକ୍ତି ବଡ଼ ଭାଇ ହେବାର ଦାୟିତ୍ବ ତୁଲାଇଛନ୍ତି। ସେ ହେଉଛନ୍ତି ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲ। ତାଙ୍କ ସାନ ଭାଇ ପ୍ରମୋଦ ମିତ୍ତଲ ଆର୍ଥିକ ସଙ୍କଟରେ ଫସିଯାଇଥିଲେ। ତାଙ୍କୁ ୧୬୦୦ କୋଟି ଟଙ୍କାର ସହାୟତା ଦେଇ ଲକ୍ଷ୍ମୀ ମିତ୍ତଲ ଉଦ୍ଧାର କରିଛନ୍ତି।
ପ୍ରମୋଦ ହେଉଛନ୍ତି ଗ୍ଲୋବାଲ୍ ଷ୍ଟିଲ୍ ‌ହୋଲ୍‌ଡିଂ ନାମକ ସଂସ୍ଥାର ମାଲିକ। ତାଙ୍କ କଂପାନି ଉପରେ ଷ୍ଟେଟ୍‌ ଟ୍ରେଡିଂ କାର୍ପୋରେସନ (ଏସ୍‌ଟିସି)ର ୨୨୧୦ କୋଟି ଟଙ୍କା ବାକି ପଡ଼ିଥିଲା ଯାହାକୁ ପ୍ରମୋଦ ଦେଇପାରୁନଥିଲେ। ବଡ଼ ଭାଇ ଲକ୍ଷ୍ମୀ ୧୬୦୦ କୋଟି ଟଙ୍କାର ସହାୟତା ଦେବା ପରେ ସେ ନିଜ ମୁଣ୍ଡ ଉପରୁ ବାକିଆ ବୋଝ ହାଲୁକା କରିପାରିଛନ୍ତି। ଏଭଳି କଠିନ ସମୟରେ ସହାୟତା ଦେଇଥିବାରୁ ସେ ବଡ଼ ଭାଇଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
ଅମ୍ବାନି ପରିବାର ଭଳି ମିତ୍ତଲ ପରିବାରରେ ମଧ୍ୟ ବିଭାଜନ ହୋଇଥିଲା। ୧୯୯୪ରେ ଲକ୍ଷ୍ମୀ ଏବଂ ପ୍ରମୋଦ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଉଭୟ ନିଜ ବାଟରେ ଆଗକୁ ବଢ଼ିଥିଲେ। ଲକ୍ଷ୍ମୀ ମିତ୍ତଲ ବିଶ୍ବ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବେଳେ ପ୍ରମୋଦ କିନ୍ତୁ ନିଜ କାରବାରକୁ ନେଇ ସଂଘର୍ଷ କରୁଥିଲେ।
ଠିକ୍ ସମୟରେ ଏସ୍‌ଟିସି‌ର ବାକିଆ ଟଙ୍କା ପଇଠ କରି ପ୍ରମୋଦ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରିଛନ୍ତି। ଏଥି ସହିତ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଯେଉଁ ଅପରାଧିକ ମାମଲା ଦାୟର କରାଯାଇଥିଲା, ସେଥିରୁ ମଧ୍ୟ ଖୁବଶୀଘ୍ର ନିସ୍ତାର ମିଳିଯିବ ବୋଲି ଆଶା କରାଯାଉଛି।
୨୦୦୮-୨୦୧୦ ମଧ୍ୟରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଥିଲା ତାହାର ପ୍ରଭାବରେ ପ୍ରମୋଦଙ୍କ ଇସ୍ପାତ କଂପାନିର ସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିଲା ଏବଂ ଏହା ବିପୁଳ କ୍ଷତି ସହିଥିଲା। ସେହି ସ୍ଥିତିରୁ କଂପାନି ନିଜକୁ ବାହାର କରିପାରିନଥିଲା। ଏହା ପରେ ବିଭିନ୍ନ କଂପାନିର ପେମେଣ୍ଟ୍‌ ଦେବାରେ ପ୍ରମୋଦ ବିଫଳ ହୋଇଥିଲେ ଯାହା ତାଙ୍କ ପ୍ରତି ବିପଦ ଟାଣିଆଣିଥିଲା।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ଏରିକ୍ସନ ପକ୍ଷରୁ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲା‌ରେ ଅନୀଲ ଅମ୍ବାନିଙ୍କୁ ଜେଲ୍ ଯିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଏରିକ୍ସନର ସବୁ ଟଙ୍କା ଫେରାଇବାକୁ ଅନିଲଙ୍କୁ ସୁପ୍ରିମକୋର୍ଟ ଗତ ୧୯ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଆର୍ଥିକ ସହାୟତା ଦେଇ ଅନୀଲଙ୍କୁ ଜେଲ୍‌ ଯିବାରୁ ମୁକେଶ ବଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର